ଫେବୃୟାରୀରେ ୭% ବଢ଼ିଲା ଜିଏସଟି ସଂଗ୍ରହ, ୧.୧୩ ଲକ୍ଷ କୋଟି ଆଦାୟ

ନୂଆଦିଲ୍ଲୀ: ସାମଗ୍ରୀ ଏବଂ ସେବା କର (ଜିଏସଟି) ସଂଗ୍ରହ ଫେବୃୟାରୀ ମାସରେ ୭ ପ୍ରତିଶତ ବୃଦ୍ଧି ପାଇଛି। ଏହି ମାସରେ ଜିଏସଟି ବାବଦରେ ମୋଟ ୧ ଲକ୍ଷ ୧୩ ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିବା ଅର୍ଥ ମନ୍ତ୍ରଣାଳୟ ଅଧୀନ ରାଜସ୍ବ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଏହା ଅର୍ଥ ବ୍ୟବସ୍ଥାରେ ସୁଧାର ହେଉଥିବା ସଙ୍କେତ। ତେବେ ଫେବୃୟାରୀରେ ଜିଏସଟି ସଂଗ୍ରହ ପରିମାଣ ଜାନୁୟାରୀଠାରୁ କମ୍‌ ରହିଛି। ଜାନୁୟାରୀରେ ୧ ଲକ୍ଷ ୧୯ ହଜାର ୮୭୫ କୋଟି ଟଙ୍କା ରହିଥିଲା।

ସୂଚନା ଅନୁସାରେ, ଫେବୃୟାରୀରେ ମୋଟ ଜିଏସଟି ସଂଗ୍ରହ ୧ ଲକ୍ଷ ୧୩ ହଜାର ୧୪୩ କୋଟି ଟଙ୍କା ଥିବାବେଳେ ସେଥିରୁ କେନ୍ଦ୍ରୀୟ ଜିଏସଟି (ସିଜିଏସଟି) ଅଂଶ ୨୧ ହଜାର ୯୨ କୋଟି ଟଙ୍କା, ରାଜ୍ୟ ଜିଏସଟି (ଏସଜିଏସଟି) ଅଂଶ ୨୭ ହଜାର ୨୭୩ କୋଟି ଏବଂ ଆଇଜିଏସଟି ଅଂଶ ୫୫ ହଜାର ୨୫୩ କୋଟି ଟଙ୍କା ରହିଛି। ଆଇଜିଏସଟିରେ ୨୪ ହଜାର ୩୮୨ କୋଟି ଟଙ୍କା ସାମଗ୍ରୀ ଆମଦାନି ବାବଦରେ ସଂଗ୍ରହ ହୋଇଛି। ଉପ କର ଅଂଶ ୯ ହଜାର ୫୨୫ କୋଟି ଅଛି।

ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଗତ ୫ ମାସ ଭିତରେ ଜିଏସଟି ରାଜସ୍ବ ସଂଗ୍ରହରେ ସୁଧାର ଦେଖିବାକୁ ମିଳୁଛି। ଫେବୃୟାରୀ ୨୦୨୧ରେ ଜିଏସଟି ସଂଗ୍ରହ ଗତବର୍ଷର ଫେବୃୟାରୀ ତୁଳନାରେ ୭ପ୍ରତିଶତ ଅଧିକ।

Comments are closed.