କମୁଛି ଜିଏସ୍‌ଟି ସଂଗ୍ରହ: ଏପ୍ରିଲ, ମେ’ରେ ଟିକସ ଆଦାୟ କମିଛି ୪୮.୬୦%

ଭୁବନେଶ୍ବର,: କେନ୍ଦ୍ର ସରକାର ୨୦୧୭ ଜୁଲାଇ ପହିଲାରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ କରିଥିଲେ। ତେବେ​‌ ପ୍ରଥମ ତିନି ବର୍ଷ ଜିଏସ୍‌ଟି ସଂଗ୍ରହ ବେଶ ଉତ୍ସାହଜନକ ରହିବା ପରେ ଏବେ ଏଥିରେ କ୍ରମଶଃ ହ୍ରାସ ଘଟିବାରେ ଲାଗିଛି । ଏମିତିକି ଜିଏସ୍‌ଟି କାର୍ଯ୍ୟକାରୀ ହେବା ପୂର୍ବରୁ (ଭାଟ୍‌/ସିଏସ୍‌ଟି/ଇଟି/ଓଏସ୍‌ଟି/ପ୍ରବେଶ କର) ବାବଦରେ ଯାହା ଟିକସ ଆଦାୟ କରାଯାଉଥିଲା ଏବେ ଜିଏସ୍‌ଟି ସଂଗ୍ରହ ତା’ଠାରୁ ଢେର କମ୍‌ ହେଉଥିବା ରାଜ୍ୟ ବାଣିଜ୍ୟ କର ଏବଂ ଜିଏସ୍‌ଟି କମିଶନରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି ।
୨୦୧୭-୧୮ ଅଗଷ୍ଟ (ଜିଏସ୍‌ଟି କାର୍ଯ୍ୟକାରିତା ଅାରମ୍ଭ)ଠାରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ୬୧୨୭.୨୭ ​କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିବାବେଳେ ଏହି ସମୟରେ (ଭାଟ୍‌/ସିଏସ୍‌ଟି/ଇଟି/ଓଏସ୍‌ଟି/ପ୍ରବେଶ କର) ବାବଦରେ ୪୫୨୫ ​କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଛି । ତେବେ ୨୦୧୭-୧୮ରେ ​ମୋଟ ୧୦,୬୫୨.୮୧ କୋଟି ଟଙ୍କାର ରାଜସ୍ବ ସଂଗୃହୀତ କରାଯାଇଥିବା ଜଣାଯାଇଛି । ସେହିଭଳି ୨୦୧୮-୧୯ରେ ୧୦,୧୪୮.୧୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିବାବେଳେ ୨୦୧୯-୨୦ରେ ୧୨,୭୪୭.୯୯ ​କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ ହୋଇଛି । ୨୦୧୮-୧୯ ଏବଂ ୨୦୧୯-୨୦ରେ ​ ଯଥାକ୍ରମେ ୧୦,୩୩୨.୪୩ କୋଟି ଟଙ୍କା ଏବଂ ୧୨୮୪୯.୭୮ ​କୋଟି ଟଙ୍କାର ରାଜସ୍ବ ମିଳିଥିଲା । ତେବେ ୨୦୨୦-୨୧ ଅର୍ଥାତ୍‌ ଚଳିତ ଆର୍ଥିକବର୍ଷର ଏପ୍ରିଲ ଓ ମେ’ ଦୁଇ ମାସରେ ଜିଏସ୍‌ଟି ସଂଗ୍ରହ ଆଖିଦୃଶିଆ ଭାବେ ହ୍ରାସ ଘଟି ୧୦୯୨.୦୬ କୋଟି ଟଙ୍କାକୁ ଖସିଆସିଛି । ଏହି ଦୁଇ ମାସରେ (ଭାଟ୍‌/ସିଏସ୍‌ଟି/ଇଟି/ଓଏସ୍‌ଟି/ପ୍ରବେଶ କର) ବାବଦରେ ମଧ୍ୟ ତୁଳନାତ୍ମକ ଭାବେ ଟିକସ ସଂଗ୍ରହ ମାତ୍ର ୯.୯୦ ​କୋଟି ଟଙ୍କାକୁ ହ୍ରାସ ପାଇଛି । ଏହାଫଳରେ ଉଭୟ ଏପ୍ରିଲ ଏବଂ ମେ’ରେ ଜିଏସ୍‌ଟି ଓ (ଭାଟ୍‌/ସିଏସ୍‌ଟି/ଇଟି/ଓଏସ୍‌ଟି/ପ୍ରବେଶ କର) ବାବଦରେ ମୋଟ ରାଜସ୍ବ ସଂଗ୍ରହ ୧୧୦୧.୯୫ କୋଟି ଟଙ୍କାକୁୁ ଖସିଆସିଥିବା ରାଜ୍ୟ ବାଣିଜ୍ୟ କର ଏବଂ ଜିଏସ୍‌ଟି କମିଶନରଙ୍କ ପତ୍ରରେ ଦର୍ଶାଯାଇଛି ।

Comments are closed.