ଜିଏସ୍‌ଟି ରିଟର୍ଣ୍ଣ ଦାଖଲ ନକଲେ ସମ୍ପତ୍ତି ଜବତ

ନୂଆଦିଲ୍ଲୀ : ବାରମ୍ବାର ମ​ନେ ପକାଇବା ସତ୍ତ୍ବେ ଯେଉଁ ଟିକସଦାତାମାନେ ସେମାନଙ୍କର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ରିଟର୍ଣ୍ଣ ଦାଖଲ କରୁନାହାନ୍ତି ଏଣିକି ସେମାନଙ୍କର ସମ୍ପତ୍ତି ଜବତ କରାଯିବ। ଏହାଛଡା ଏଭଳି କ୍ଷେତ୍ରାରେ ଟିକସଦାତାଙ୍କ ବ୍ୟାଙ୍କ ଖାତା ମଧ୍ୟ ଜବତ କରାଯିବ ​ବୋଲି ଜଣାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଣାଯାଇଥିବା ନୂଆ ନିୟମ ଟିକସ ଅଧିକାରୀଙ୍କୁ କରଦାତାଙ୍କ ବି​ରୋଧରେ ଉପରୋକ୍ତ ପଦକ୍ଷେପ ଗ୍ରହଣ ଅଧିକାର ଦେବ। ଟିକସ ନିୟମର ଉତ୍ତମ ଅନୁପାଳନ ଲାଗି ଗ୍ରହଣ କରାଯାଉଥିବା ରଣନୀତିର ଏହା ଏକ ଅଂଶ।
ମିଳିଥିବା ସୂଚନାନୁଯାୟୀ ଦେଶରେ ପ୍ରାୟ ୧ କୋ‌ଟିରୁ ଅଧିକ ଜିଏସ୍‌ଟି ପଞ୍ଜିକୃତ କମ୍ପାନୀ ସମୟାନୁଯାୟୀ ସେମାନଙ୍କର ରିଟର୍ଣ୍ଣ ଦାଖଲରେ ବିଫଳ ହୋଇଛନ୍ତି। ଏଭଳି ଟିକସ ଖିଲାପକାରୀଙ୍କ ବିରୋଧରେ କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ​ବୋର୍ଡ ପକ୍ଷରୁ ଉପରୋକ୍ତ ପଦକ୍ଷେପ ଗ୍ରହଣ ଯୋଜନା କରାଯାଇଛି।

ଜିଏସ୍‌ଟିଆର ୩-ଏ ଏବଂ ଚୂଡାନ୍ତ ରିଟର୍ଣ୍ଣ ଦାଖଲର ୩ ଦିନ ପୂର୍ବରୁ ଟିକସ ଅଧିକାରୀ ଏ ​ନେଇ ତାଙ୍କର ପ୍ରକ୍ରିୟା ଆରମ୍ଭ କରିବେ। ସୂଚନାଯୋଗ୍ୟ ପ୍ରତି ମାସର ୨୦ ତାରିଖରେ ରିଟର୍ଣ୍ଣ ଦାଖଲ ଶେଷ ସମୟସୀମା ରହୁଛି। ଏହା ପରେ ଟିକସ ଅଧିକାରୀ ସିଷ୍ଟମ ଜରିଆରେ ସୃ​‌ଷ୍ଟି ହୋଇଥିବା ମେସେଜ୍‌କୁ ସମସ୍ତ ଟିକସ ଖିଲାପକାରୀଙ୍କ ନିକଟକୁ ପଠାଇଦେବେ। ରିଟର୍ଣ୍ଣ ଦାଖଲ ସମୟସୀମା ପୂରିବାର ୫ ଦିନ ପରେ ଏକ ଇଲେକ​​ଟ୍ରୋନିକ୍‌ ମେସେଜ୍‌ କରଦାତାଙ୍କ ନିକଟକୁ ପଠାଇ ଦିଆଯିବ। ଯେଉଁଥିରେ ରିଟର୍ଣ୍ଣ ଦାଖଲ ଲାଗି ୧୫ ଦିନ ସମୟ ଦିଆଯିବ। ଯଦି କରଦାତା ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହାର ପ୍ରତିକ୍ରିୟା ନ ଦିଅନ୍ତି ତେବେ ଟିକସ ଅଧିକାରୀ କରଦାତାଙ୍କର ଟିକସ ଦେୟ ପରିମାଣର ଅନୁଶୀଳନ କରିବେ।

Comments are closed.