ଆଶ୍ରମ ଛାତ୍ରୀଙ୍କ ପ୍ରତି ବଢୁଛି ଶୋଷଣ

0

ଭୁବନେଶ୍ୱର : ଗରିବ, ଅବହେଳିତ, ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଛାତ୍ରୀଙ୍କୁ ଶିକ୍ଷାଦାନ ଦେଇ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାପାଇଁ କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଚେଷ୍ଟିତ। ହେଲେ ଶିକ୍ଷାନୁଷ୍ଠାନରେ ଶିକ୍ଷକମାନେ ଶିକ୍ଷାଦାନକୁ ନିଜର କର୍ତ୍ତବ୍ୟ ବୋଲି ନଭାବି କୋମଳମତି ଛାତ୍ରୀଙ୍କୁ ଯୌନ ଶୋଷଣ କରୁଛନ୍ତି। ଓଡ଼ିଶାରେ ଗତ ୩ବର୍ଷ ମଧ୍ୟରେ ୨୯ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀ ଶିକ୍ଷକମାନଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇଛନ୍ତି। ସେଥିମଧ୍ୟରେ ମୟୂରଭଞ୍ଜ ଜିଲାରେ ସର୍ବାଧିକ ୧୨ଜଣ ଛାତ୍ରୀ ଶିକ୍ଷକମାନଙ୍କ ଦ୍ୱାରା ଯୌନ ଯାତନାର ଶିକାର ହୋଇଥିବାବେଳେ ଯାଜପୁର, ମାଲକାନାଗିରି, କୋରାପୁଟ ଓ ରାୟଗଡାରେ ୧୭ଜଣ ଛାତ୍ରୀଙ୍କ କ୍ଷେତ୍ରରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ବୋଲି ଅନୁସୂଚିତ ଜାତି ଓ ଜନଜାତି ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ବିଧାନସଭାକୁ ଦେଇଥିବା ତଥ୍ୟରୁ ଜଣାଯାଇଛି।
ସୂଚନା ଅନୁଯାୟୀ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରୀଙ୍କୁ ଶିକ୍ଷାଦାନ ଦେବାପାଇଁ ସରକାରଙ୍କ ଅଧୀନରେ ୧୬୭୦ଟି ସରକାରୀ ଆଶ୍ରମ ବିଦ୍ୟାଳୟ ରହିଥିବାବେଳେ ୨୪ଟି ବେସରକାରୀ ବିଦ୍ୟାଳୟ ରହିଛି। କୋରାପୁଟରେ ସର୍ବାଧିକ ୧୫୬ଟି, ମୟୂରଭଞ୍ଜରେ ୧୫୧, କନ୍ଧମାଳରେ ୧୩୫, ରାୟଗଡାରେ ୧୩୯ ଓ ସୁନ୍ଦରଗଡ଼ରେ ୧୩୦ଟି ବିଦ୍ୟାଳୟ ରହିଥିବାବେଳେ ଜଗତସିଂହପୁର, ଭଦ୍ରକ, ପୁରୀ, ଦେବଗଡ଼ ଓ କେନ୍ଦ୍ରାପଡାକୁ ଛାଡି ଅନ୍ୟାନ୍ୟ ଜିଲାରେ ୨୦ରୁ ଊର୍ଦ୍ଧ୍ବ ବିଦ୍ୟାଳୟ ରହିଛି। ତେବେ ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିବା ଜିଲା ମଧ୍ୟରେ ମୟୂରଭଞ୍ଜ ଆଗରେ ରହିଛି। ଜିଲାରେ ପ୍ରତିବର୍ଷ ପ୍ରାୟ ୪ରୁ ୫ଟି ଆଶ୍ରମ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନିର୍ଯାତନା ଦିଆଯାଉଛି।
ସେହିପରି ରାୟଗଡା ଜିଲାରେ ଗତ ୩ବର୍ଷ ମଧ୍ୟରେ ୮ଜଣ ଛାତ୍ରୀ ଯୌନ ନିର୍ଯାତନାର ଶିକାର ହୋଇଥିବାବେଳେ କୋରାପୁଟରେ ୩ଜଣ, ମାଲକାନାଗିରି ଓ ଯାଜପୁରରେ ୨ଜଣ ଏବଂ ଗଜପତି ଓ କେନ୍ଦୁଝରରେ ଜଣେ ଛାତ୍ରୀ ଏଭଳି ଶୋଷଣର ଶିକାର ହୋଇଛନ୍ତି। ସବୁଠାରୁ ବଡ଼କଥା ହେଲା ଶିକ୍ଷକଙ୍କ ଯୌନ ନିର୍ଯାତନା ସହି ନପାରି ମାଲକାନାଗିରିର ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ଯୌନ ନିର୍ଯାତନାର ଶିକାର ହୋଇ କୋରାପୁଟର ଜଣେ ଛାତ୍ରୀ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି।
ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଏହି ୨୯ଟି ମାମଲାରେ ୨୬ଜଣଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେମାନଙ୍କ ମଧ୍ୟରେ ଗଜପତି ଜିଲାରେ ଜଣେ ଲେଖାଏଁ ଶିକ୍ଷକ ରହିଥିବାବେଳେ ଯାଜପୁର,କେନ୍ଦୁଝର,ମାଲକାନାଗିରିରେ ୨ଜଣ ଲେଖାଏଁ, କୋରାପୁଟରେ ୩, ରାୟଗଡାରେ ୪ ଓ ମୟୂରଭଞ୍ଜରେ ୧୨ଜଣ ଶିକ୍ଷକ ରହିଥିବା ଜଣାଯାଇଛି।

Leave A Reply