’କରୋନା’ ମୁକାବିଲା : ଏକାଠି ହେଲେ ଡବ୍ଲୁଏଚଓ, ଇୟୁ, ଚୀନ ଓ ଜି-୭

ବର୍ଲିନ : କରୋନା ଭୂତାଣୁ ସଂକ୍ରମଣର ବ୍ୟାପକତାକୁ  ରୋକିବା ସକାଶେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁରୋପୀୟ ସଂଘ, ଚୀନ୍‍ ସହ ମିଶି ଏକ ମିଳିତ କ୍ରିୟାନୁଷ୍ଠାନ ଯୋଜନା ପ୍ରସ୍ତୁତ ଉପରେ କାର୍ଯ୍ୟ କରିବା ଲାଗି ଜି-୭ ରାଷ୍ଟ୍ରଗୋଷ୍ଠୀ ଏକମତ ହୋଇଛନ୍ତି । ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ଆର୍ନ୍ତଜାତିକ ସ୍ତରରେ ଯେଉଁ ବିପଦ ସୃଷ୍ଟି ହୋଇଛି ତା’ର ମୁକାବିଲା ପାଇଁ ପୃଥକ୍‍ ପୃଥକ୍‍ ଭାବେ କାର୍ୟ୍ୟ କରିବା ସଫଳ ହେବ ନାହିଁ ବୋଲି ଏହି ଶିଳ୍ପସମୃଦ୍ଧ ରାଷ୍ଟ୍ରଗୋଷ୍ଠୀର ସଦସ୍ୟମାନେ ସହମତ ହୋଇଛନ୍ତି । ଜର୍ମାନୀ,ବ୍ରିଟେନ୍‍ ଓ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀମାନେ ମଙ୍ଗଳବାର ଏକ ବୈଠକରେ ମିଳିତ ହୋଇ ଚୁଡାନ୍ତ ନିଷ୍ପତ୍ତି ନେବେ। ବୈଠକରେ ଗସ୍ତ ନିୟନ୍ତ୍ରଣ, ଆଗୁଆ ସତର୍କତାମୂଳକ ପଦକ୍ଷେପ ଏବଂ ଭୂତାଣୁ ସଂକ୍ରାନ୍ତ ନେଇ ଗବେଷଣା ଆଦି ବିଷୟରେ ଆଲୋଚନା ହେବାର ସମ୍ଭାବନା ଅଛି । କରୋନା ଭୂତାଣୁରେ ଏପର୍ଯ୍ୟନ୍ତ ଚୀନରେ ୨୦,୫୦୦ ଲୋକ ସଂକ୍ରମିତ ହୋଇଥିବାବେଳେ ଚୀନ୍‍ ବାହାରେ ୧୯୨ଜଣ ବ୍ୟକ୍ତି ଏହି ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡିଛି ।
ଚୀନରେ ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ଏପର୍ୟ୍ୟନ୍ତ ୪୨୭ରେ ପହଞ୍ଚିଥିବାବେଳେ ଅନ୍ୟ ଦେଶଗୁଡ଼ିକରୁ ୨ଜଣ ଲୋକ ପ୍ରାଣ ହରାଇଛନ୍ତି । ସଂକ୍ରମିତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୬୩୨ଜଣ ସୁସ୍ଥ ହେବାପରେ ସେମାନଙ୍କୁ ହସ୍ପିଟାଲରୁ ଛାଡି ଦିଆଯାଇଛି ।

Comments are closed.