ଅଧାରାସ୍ତାରୁ ବରକୁ ଉଠାଇ ନେଲା ପୁଲିସ

ଆଠଗଡ଼ : ବାହାହେବାକୁ ସାଙ୍ଗରେ ବରଯାତ୍ରୀ ଧରି ଯାଉଥିଲା ବର। ହେଲେ ହଠାତ୍ ଅଧା ରାସ୍ତାରେ ଗାଡ଼ି ଅଟକାଇ କିଛି ଲୋକ ବରକୁ ଉଠାଇ ନେଲେ। ପରିବାର ଲୋକେ କିଛି ବୁଝି ନ ପାରି ଥାନାର ଦ୍ୱାରସ୍ଥ ହେବା ପରେ ଘଟଣା ଉପରୁ ପରଦା ହଟିଛି। ବରକୁ କୌଣସି ଦୁର୍ବୃତ୍ତ ନୁହେଁ ବରଂ ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି। ଢେଙ୍କାନାଳରୁ ଆଠଗଡ଼କୁ ବିବାହ କରିବାକୁ ଯାଉଥିଲା ବର।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲା ତାଳବରକୋଟ ଗାଁର ପ୍ରକାଶ ସ୍ୱାଇଁ ଆଠଗଡ଼ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଆଜି(ଗୁରୁବାର) ଧୁମଧାମ୍ରେ ବରଯାତ୍ରୀ ଧରି ଆଠଗଡ଼ ଆସୁଥିଲେ। ବୀରକିଶୋରପୁର ଶିବ ମନ୍ଦିରରେ ବିବାହ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ମନ୍ଦିରଠାରୁ ମାତ୍ର କିଛି ବାଟ ପୂର୍ବରୁ ସାପୁଆ ପୋଲ ଉପରୁ ବରକୁ ପୁଲିସ ଉଠାଇ ନେଇଛି। ସାଦା ପୋଷାକଧାରୀ ପୁଲିସ କର୍ମଚାରୀ ଏକ ବୋଲେରୋରେ ଆସି ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଏନେଇ କଟକ ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ ସ୍ପଷ୍ଟ କରିଛନ୍ତି।
ଏସ୍ପିଙ୍କ ସୂଚନା ଅନୁସାରେ, ୨୦୧୮ ମସିହା ଫେବୃୟାରୀ ୭ ତାରିଖରେ ବାଙ୍କୀ ଥାନା ଅନ୍ତର୍ଗତ କଦଳୀବାଡିରେ ହୋଇଥିବା ଏକ ହତ୍ୟା ଘଟଣାରେ ପ୍ରକାଶ ସମ୍ପୃକ୍ତ ଥିଲା। ଦୁଇ ବର୍ଷ ହେଲା ପୁଲିସ ଆଖିରେ ଧୂଳି ଦେଇ ସେ ଫେରାର ହୋଇ ବୁଲୁଥିଲା। ତେବେ ଖବର ପାଇ ପୁଲିସ ଆଜି ପ୍ରକାଶକୁ ଉଠାଇନେଇଛି।