ବାହାଘର ପରଦିନ କରୋନାରେ ଗଲା ବର ଜୀବନ; ୯୫ ବରଯାତ୍ରୀ ସଂକ୍ରମିତ

ବାହାଘର ବେଳେ ବର ଦେହରେ ଥିଲା ପ୍ରବଳ ଉତ୍ତାପ । ଘଣ୍ଟାକୁ ଘଣ୍ଟା ସେ ମୂର୍ଛା ଯାଉଥିଲା । ତଥାପି ଧୁମଧାମରେ ହେଲା ବାହାଘର । ଗୁରୁଗ୍ରାମରେ ସଫ୍ଟୱେର ଇଞ୍ଜିନିୟର ଥିବା ବରର ବିବାହରେ ଯୋଗ ଦେଇଥିଲେ ଶତାଧିକ ଲୋକ । ହେଲେ ଦିନକ ପରେ ଚାଲିଗଲା ବରର ଜୀବନ । ପୁଲିସ ଓ ପ୍ରଶାସନକୁ ଖବର ନ ଦେଇ ପରିବାର ଲୋକ ନବ ବିବାହିତ ଯୁବକଙ୍କ ଅନ୍ତିମ ସଂସ୍କାର କରି ଦେଲେ । ଏହାପରେ ନିଜର ଭୟଙ୍କର ରୂପ ଦେଖାଇଲା କରୋନା । ବିବାହରେ ଯୋଗ ଦେଇଥିବା ବରଯାତ୍ରୀ ଓ ଭୋଜି ଖାଇବାକୁ ଆସିଥିବା ଅତିଥିଙ୍କ ମଧ୍ୟରରୁ ୯୫ ଜଣ କରୋନା ସଂକ୍ରମିତ ହୋଇଥିବା ପରୀକ୍ଷାରୁ ଜଣା ପଡ଼ିଲା। ଏହି ଘଟଣା ଘଟିଛି ବିହାରରେ । ରାଜଧାନୀ ପାଟନାଠାରୁ ୫୦ କିଲୋମିଟର ଦୂର ଢ଼ିହପାଲି ଅଞ୍ଚଳରେ । ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଜିଲା ପ୍ରଶାସନ ସିଲ୍ କରି ଦେଇଛି । ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି । ସଂକ୍ରମିତ ୯୫ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି ।

ବିବାହରେ ୫୦ ଜଣଙ୍କ ଯୋଗଦାନ ନିମନ୍ତେ ସରକାରଙ୍କ ମାର୍ଗଦର୍ଶିକାକୁ ଉଲ୍ଲଙ୍ଘନ କରି ଧୁମଧାମରେ ବିବାହ କରାଯିବା ଓ ବିବାହର ଦିନକ ପରେ ବରର ମୃତ୍ୟୁ ସମ୍ପର୍କରେ ଜିଲାପାଳଙ୍କୁ କେହି ଜଣେ ଅଜଣା ବ୍ୟକ୍ତି ସୂଚନା ଦେଇଥିଲେ । ଜିଲାପାଳଙ୍କ ନିର୍ଦେଶମତେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ଅଧିକାରୀ ଢ଼ିହପାଲିରେ ପହଞ୍ଚିବା ବେଳକୁ ବରର ଅନ୍ତିମ ସଂସ୍କାର କରି ଦିଆଯାଇଥିଲା । ଜୁନ୍ ୧୫ରେ ବିବାହ ପାଇଁ ବର ଗୁରୁଗ୍ରାମରୁ ଗାଁକୁ ଫେରିଥିଲା । ସେତେବେଳେକୁ ସେ ସମ୍ଭବତଃ କରୋନା ସଂକ୍ରମିତ ହୋଇଥିଲେ । ବାହାରୁ ଆସିଲେ କ୍ବାରେଣ୍ଟାଇନରେ ରହିବା ନିମନ୍ତେ ମାର୍ଗଦର୍ଶିକାକୁ ବର ପରିବାର ଲୋକ ମାନି ନ ଥିଲେ । ବରକୁ ଜ୍ବର ଓ କାଶ ହେଉଥିଲା । ଏହାକୁ ସାଧାରଣ ଥଣ୍ଡା ଭାବି ସେମାନେ ଅଣଦେଖା କରିଥିଲେ ଓ ବାହାଘରରେ ମାତିଥିଲେ । ବାହାଘର ଦିନ ମଧ୍ୟ ବରର ଦେହ ଖରାପ ଥିଲା । ଜ୍ବର ସହ କାଶ ଓ ଛିଙ୍କ ହେଉଥିଲା । ମଝିରେ ମଝିରେ ସେ ଚେତା ହରାଉଥିଲେ । ତଥାପି ବାହାଘର କରାଯାଇଥିଲା । ବିବାହ ପରଦିନ ଦେହ ଆହୁରି ଖରାପ ହେଉଥିଲା । ସେଥିପାଇଁ ତାଙ୍କୁ ପାଟନାସ୍ଥିତ ଏମସ ନେବାକୁ ବ୍ୟବସ୍ଥା ହୋଇଥିଲା । ମାତ୍ର ଡ଼ାକ୍ତରଖାନା ଯିବା ପୂର୍ବରୁ ବର ମୃତ୍ୟୁବରଣ କରିଥିଲା ।

ପରିବାର ଲୋକମାନେ ଏ ସମ୍ପର୍କରେ କାହାକୁ ନ ଜଣାଇ ତାଙ୍କର ଅନ୍ତିମ ସଂସ୍କାର କରି ଦେଇଥିଲେ । ପୁଲିସ ଓ ପ୍ରଶାସନ ପରିବାରର ଲୋକମାନଙ୍କର ସ୍ବାବ ପରୀକ୍ଷା କରିବା ପରେ ପରିବାରର ୧୫ ଜଣ କରୋନା ପଜିଟିଭ୍ ଥିବା ଜଣା ପଡ଼ିଥିଲା । ସେହିପରି ବରଯାତ୍ରୀ ଓ ଅତିଥିମାନଙ୍କ ମଧ୍ୟରୁ ୮୦ ଜଣ ପଜିଟିଭ୍ ବାହାରିଥିଲେ ।

Comments are closed.