ଝିଣ୍ଟିକା ମାରି ବଣି ପୋଷୁଛି ଗ୍ରିଡ୍କୋ
ବିଜୁଳି ଖାଉଟିଙ୍କ ଉପରେ ଶୁଳ୍କ ବୋଝ; ଫାଇଦାରେ କମ୍ପାନୀ

ଭୁବନେଶ୍ବର : ବିଜୁଳି ଶୁଳ୍କକୁ ନେଇ ଯାବତୀୟ ବିବାଦ। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ବିଜୁଳି ଶୁଳ୍କ ନିର୍ଦ୍ଧାରଣ, ସ୍ଲାବ ପରିବର୍ତ୍ତନ, ବିଜୁଳି ବିତରଣକାରୀ ସଂସ୍ଥା (ଡିସକମ୍)ଗୁଡ଼ିକ ଯୋଗାଉଥିବା ସେବାକୁ ନେଇ ଲୋକମାନେ ଅସୁଖୀ। ମାତ୍ର ଡିସକମଗୁଡ଼ିକୁ ବିଜୁଳି ଯୋଗାଉଥିବା ସରକାରୀ ସଂସ୍ଥା ଗ୍ରିଡ୍କୋ କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁଁ କେବଳ ସରକାରଙ୍କ ଉପରେ ଚାପ ବଢ଼ୁନାହିଁ, ଖାଉଟି ମଧ୍ୟ ଟିକସ ବୋଝ ବୋହିବାକୁ ବାଧ୍ୟ ହେଉଛନ୍ତି।
ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଭୂଷଣ ଗ୍ରୁପ୍ ଅଫ୍ କମ୍ପାନୀ ରାଜ୍ୟରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ ୨୦୦୨ ମଇ ମାସରେ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଥିଲା। ଭୂଷଣ ଗ୍ରୁପ୍ ଅଧୀନସ୍ଥ ଭୂଷଣ ଲି. (ପରବର୍ତ୍ତୀ ସମୟରେ ଭୂଷଣ ପାୱାର ଏଣ୍ଡ ଷ୍ଟିଲ୍ ଲି.) ଓ ଭୂଷଣ ଷ୍ଟିଲ୍ ଏଣ୍ଡ ଷ୍ଟ୍ରିପ୍ସ ଲି. (ପରବର୍ତ୍ତୀ ସମୟରେ ଭୂଷଣ ଷ୍ଟିଲ୍ ଲି.) ଦୁଇଟି ଇସ୍ପାତ କାରଖାନା ବସାଇବାକୁ ସ୍ଥିର ହୋଇଥିଲା। ଏହା ସହିତ ଇସ୍ପାତ କାରଖାନାର ବିଜୁଳି ଚାହିଦା ମେଣ୍ଟାଇବା ପାଇଁ ଏକ ନିଜସ୍ବ ପ୍ଲାଣ୍ଟ (କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ) ବସାଇବା ପାଇଁ ଏହି ଚୁକ୍ତିପତ୍ରରେ ଉଲ୍ଲେଖ କରିଥିଲା। କମ୍ପାନୀ ନିଜ ସିପିପିରେ ଉତ୍ପାଦନ କରୁଥିବା ବିଜୁଳି ବଳକା ହେଲେ ତାହାକୁ ବିକ୍ରି କରିବାକୁ ଏକ ପାୱାର ପରଚେଜ୍ ଏଗ୍ରିମେଣ୍ଟ (ପିପିଏ) କରାଯିବାକୁ ଚୁକ୍ତିପତ୍ରରେ ବ୍ୟବସ୍ଥା ରଖାଯାଇଥିଲା।
ପରବର୍ତ୍ତୀ ସମୟରେ ଭୂଷଣ ଗ୍ରୁପ୍ ଅଫ୍ କମ୍ପାନୀ ଅଧୀନସ୍ଥ ଭୂଷଣ ପାୱାର ଏଣ୍ଡ ଷ୍ଟିଲ୍ ଲି. ୨୦୦୩ ମସିହାରେ ବିଜୁଳି ବିକ୍ରି କରିବା ପାଇଁ ଓଡ଼ିଶା ବିଜୁଳି ନିୟାମକ ଆୟୋଗ (ଓଇଆର୍ସି)କୁ ଅନୁରୋଧ କରିଥିଲା। ଏହାକୁ ୨୦୦୪ରେ ଓଇଆର୍ସି ଅନୁମୋଦନ କରିଥିଲେ। ଓଇଆର୍ସି ଦ୍ୱାରା ଏହି ମାମଲାର ଶୁଣାଣି ବେଳେ ଗ୍ରିଡ଼କୋ କର୍ତ୍ତୃପକ୍ଷଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। ମାତ୍ର ଗ୍ରିଡ୍କୋ ଭୂଷଣ କମ୍ପାନୀଠାରୁ ବିଜୁଳି କିଣିବା ସମ୍ପର୍କରେ ସେ କୌଣସି ନିର୍ଦିଷ୍ଟ ପ୍ରତିଶ୍ରୁତି ଦେଇ ନ ଥିଲେ। ଫଳରେ ଭୂଷଣ ପାୱାର ଏଣ୍ଡ ଷ୍ଟିଲ୍ ଲି. (ବିପିଏସ୍ଏଲ) ସେପ୍ଟେମ୍ବର ୨୦୦୫ରୁ ଡିସେମ୍ବର ୨୦୦୬ ମସିହା ମଧ୍ୟରେ ରାଜ୍ୟ ବାହାରର କିଛି ସଂସ୍ଥାକୁ ୨୪୭ ନିୟୁତ ୟୁନିଟ୍ ବିଜୁଳି ବିକ୍ରି କରିଥିଲା। ଏହାପରେ ଗ୍ରିଡ୍କୋ କର୍ତ୍ତୃପକ୍ଷ ବିପିଏସ୍ଏଲ୍ଠାରୁ ବିଜୁଳି କିଣିବାକୁ ଆଗ୍ରହ ପ୍ରକାଶ କରି ୟୁନିଟ୍ ପିଛା ୨ଟଙ୍କା ୨ ପଇସା ଦରରେ ବିଜୁଳି କିଣିଲେ। ସେତେବେଳେ ଗ୍ରିଡ଼କୋ କର୍ତ୍ତୃପକ୍ଷ ଅନ୍ୟ କମ୍ପାନୀର କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟରୁ ୟୁନିଟ୍ ପିଛା ୬୫ ପଇସାରୁ ୧ଟଙ୍କା ୧୦ ପଇସା ଦରରେ ବିଜୁଳି କିଣୁଥିବାବେଳେ ବିପିଏସଏଲଠାରୁ ୨ଟଙ୍କା ୨ ପଇସା ଦରରେ ବିଜୁଳି କିଣିଥିବା ସୂଚନା ମିଳିଛି। ଅନ୍ୟ ସଂସ୍ଥାଠାରୁ କମ୍ ଦରରେ ବିଜୁଳି କିଣିଥିବାବେଳେ ବିପିଏସଏଲଠାରୁ ଚଢ଼ା ଦରରେ କ୍ରୟ ଯୋଗୁଁ ଗ୍ରିଡ୍କୋକୁ କୋଟି କୋଟି ଟଙ୍କା ଅଧିକ ଖର୍ଚ କରିବାକୁ ପଡ଼ିଥିଲା। ଏହି ନିଷ୍ପତ୍ତି ସେତେବେଳେ କାହିଁକି ନିଆଯାଇଥିଲା ଓ କିଏ ନେଇଥିଲା ତାହା ଏବେ ବି ରହସ୍ୟାବୃତ୍ତ ।
କେବଳ ସେତିକି ନୁହେଁ ଭୂଷଣ ଗ୍ରୁପ୍ର ଦୁଇଟି ସଂସ୍ଥା ବିପିଏସ୍ଏଲ୍ ଓ ବିଏସ୍ଏଲ୍ଠାରୁ ୨୦୦୭ ଏପ୍ରିଲ୍ ଓ ୨୦୦୮ ଏପ୍ରିଲ ମାସଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଯଥାକ୍ରମେ ୟୁନିଟ୍ ପିଛା ୨ଟଙ୍କା ୦୨ ପଇସା ଓ ୨ଟଙ୍କା ୩୦ ପଇସାରେ ଦରରେ ବିଜୁଳି କିଣିଛି ଗ୍ରିଡ଼କୋ। ରାଜ୍ୟ ସରକାରଙ୍କ ସହ କମ୍ପାନୀର ଚୁକ୍ତିନାମା ଅନୁସାରେ ସିପିପିରୁ ଉତ୍ପାଦିତ ବଳକା ବିଜୁଳିଶକ୍ତିକୁ ସମ୍ପୃକ୍ତ କମ୍ପାନୀ ୧ଟଙ୍କା ୧୦ ପଇସା ୟୁନିଟ୍ ପିଛା ରାଜ୍ୟର ସଂସ୍ଥାକୁ ବିକ୍ରି କରିପାରିବେ। କିନ୍ତୁ ପୂର୍ବ ଚୁକ୍ତିନାମାକୁ ଉପେକ୍ଷା କରାଯାଇ ଚଢ଼ା ଦରରେ ବିଜୁଳି କିଣିଥିବାରୁ ଗ୍ରିଡ୍କୋ ଉପରେ ପଡ଼ିଥିଲା ପ୍ରାୟ ୨୫ କୋଟି ଟଙ୍କାର ବୋଝ। କେବଳ ସେତିକି ନୁହେଁ, ଭୂଷଣ ସଂସ୍ଥାଠାରୁ ବିଜୁଳି ନ କିଣିବାକୁ ପ୍ରଥମେ ନିଷ୍ପତ୍ତି ନେଇ ସମ୍ପୃକ୍ତ ସଂସ୍ଥାକୁ ବାହାରେ ବିଜୁଳି ବିକ୍ରି କରିବାକୁ ଗ୍ରିଡ୍କୋ ସୁଯୋଗ ଦେଇଥିଲା ବୋଲି ସ୍ବାଭାବିକ ଭାବରେ ସନ୍ଦେହ ସୃଷ୍ଟି ହୋଇଛି। ପୁଣି ରାଜ୍ୟ ସରକାର ଯେଉଁ ବିଜୁଳି ୧.୧୦ଟଙ୍କା ଦରରେ କିଣିଥାଆନ୍ତେ ତାହାକୁ ନ କିଣିବା ଯୋଗୁଁ କମ୍ପାନୀ ସେହି ବିଜୁଳିକୁ ରାଜ୍ୟ ବାହାରେ ବିକିବାକୁ ସୁଯୋଗ ପାଇଲା। ୨୦୦୫ରେ ୟୁନିଟ୍ ପିଛା ୩ ଟଙ୍କା ଓ ୨୦୦୬ ଡିସେମ୍ବରରେ ୟୁନିଟ୍ ପିଛା ୫.୬୪ ଟଙ୍କା ଦରରେ ବିଜୁଳି ବିକି ଭୂଷଣ କମ୍ପାନୀ ପ୍ରାୟ ୯୩ କୋଟି ଟଙ୍କା ଲାଭ କଲା। ଗ୍ରିଡ୍କୋ କର୍ତ୍ତୃପକ୍ଷଙ୍କ ପରୋକ୍ଷ ସହାୟତା ବିନା କମ୍ପାନୀ ଏହି ଲାଭ କରିବାକୁ କେବେ ସମର୍ଥ ହୋଇ ପାରି ନ ଥାନ୍ତା।
ଗ୍ରିଡ୍କୋର କ୍ଷତି ଭରଣା କରିବା ପାଇଁ ସରକାର ବାରମ୍ବାର ବ୍ୟାଙ୍କ ଗ୍ୟାରେଣ୍ଟି ଦେଉଛନ୍ତି। ମାତ୍ର କ୍ଷତି ଭରଣା କରି ଗ୍ରିଡ଼କୋ ଏଯାଏ ଆତ୍ମନିର୍ଭରଶୀଳ ହେବାକୁ ସକ୍ଷମ ହୋଇପାରି ନାହିଁ । ୨୦୧୬-୧୭ରେ କମ୍ପାନୀ ୩୯୪ କୋଟି ଟଙ୍କା, ୨୦୧୭-୧୮ରେ ୧୯୭ କୋଟି ଟଙ୍କା ଓ ୨୦୧୮-୧୯ରେ ୨୮୧ କୋଟି ଟଙ୍କା କ୍ଷତି ଘଟିଥିବା ଗ୍ରିଡ଼କୋ ରିପୋର୍ଟ ଦେଇଛି । କେବଳ ଏହି ବର୍ଷଗୁଡ଼ିକ ନୁହେଁ, କେବଳ ୨୦୧୪-୧୫ ଆର୍ଥିକ ବର୍ଷରେ ମାତ୍ର ୮୪ କୋଟି ଟଙ୍କା ଲାଭ ବ୍ୟତୀତ ଗତ ୧୦ ବର୍ଷମଧ୍ୟରେ ଗ୍ରିଡ୍କୋ କେବଳ କ୍ଷତି ହିଁ କ୍ଷତି କରିଛି।