ବେଦାନ୍ତର ନିଜସ୍ବ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ମାମଲା – ଗ୍ରିଡ୍‌କୋକୁ ସୁହାଇବା ଭଳି ନିର୍ଦେଶନାମା ହୋଇଛି: ବିଦ୍ୟୁତ୍‌ ନିୟାମକ ଆୟୋଗ

ଭୁବନେଶ୍ବର: ଝାରସୁଗଡ଼ାଠାରେ ବେଦାନ୍ତର ୪ଟି ତାପଜ ସ୍ବାଧୀନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର(ଆଇପିପି)କୁ ନିଜସ୍ବ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଭାବେ ପରିବର୍ତ୍ତନ କରାଯିବା ଲାଗି ଗତ ୩ ବର୍ଷ ଧରି ବିଚାରାଧୀନ ରହିଥିବା ମାମଲାର ରାୟ ଗତ ୫ ତାରିଖରେ ପ୍ରକାଶ ପାଇଛି। ଏହି ନିର୍ଦେଶନାମାକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବକୁ ଦୂର କରିଛନ୍ତି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ। ଆୟୋଗ ପକ୍ଷରୁ କୁହାଯାଇଛି ରାଜ୍ୟର ଉପଭୋକ୍ତାଙ୍କ ସ୍ବାର୍ଥ ଏବଂ ଗ୍ରିଡ୍‌କୋକୁ ସୁହାଇବା ଭଳି ଏହି ନିର୍ଦେଶନାମା ଦିଆଯାଇଛି। ଚୁକ୍ତି ମୁତାବକ ବେଦାନ୍ତ ସ୍ବାଧୀନ ବିଦ୍ୟୁତ୍‌ କେନ୍ଦ୍ରରୁ ବିଦ୍ୟୁତ୍‌ କ୍ରୟ ନ କଲେ ମଧ୍ୟ ଗ୍ରିଡ୍‌କୋକୁ ଧାର୍ଯ୍ୟ ଦେୟ ବାବଦ ୯୦୦ କୋଟି ଟଙ୍କା ଦେବାକୁ ହୋଇଥାଏ। ଗ୍ରିଡ୍‌କୋ ଉପରୁ ଏହି ବୋଝ ହାଲୁକା କରିବା ଲାଗି ଆୟୋଗ ଏକ ସୁଚିନ୍ତିତ ନିର୍ଦେଶନାମା ଦେଇଥିବା ଆୟୋଗଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ବେଦାନ୍ତର ୪ଟି ସ୍ବାଧୀନ ବିଦ୍ୟୁତ୍‌ ଉାତ୍ପାଦନ କେନ୍ଦ୍ରରୁ ୨୪୦୦ ମେଗାୱାଟ୍‌ ବିଦ୍ୟୁତ୍‌ ମିିଳିଥାଏ। ଏଥିରୁ ୬୦୦ ମେଗାୱାଟ୍‌ ବିଦ୍ୟୁତ୍‌ ବେଦାନ୍ତ ରାଜ୍ୟକୁ ଅର୍ଥାତ ଗ୍ରିଡ୍‌କୋକୁ ବିକ୍ରି କରିବା ଲାଗି ଚୁକ୍ତି ହୋଇଥିଲା। ହେଲେ ଗ୍ରିଡ୍‌କୋ ଗତ କିଛି ବର୍ଷ ହେବ ବେଦାନ୍ତଠାରୁ ଚୁକ୍ତିଠାରୁ କମ ପରିମାଣର ବିଦ୍ୟୁତ କ୍ରୟ କରୁଥିଲା। ହେଲେ ଧାର୍ଯ୍ୟ ଦେୟ ଦେଉଥିଲା। ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗ୍ରିଡ୍‌କୋ ବେଦାନ୍ତର ସ୍ବାଧୀନ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ରରୁ ୬୦୦ ମେଗାୱାଟ୍ ବିଦ୍ୟୁତ୍‌ କିଣିବା ଲାଗି ଚୁକ୍ତି କରିଥିଲା। ଗତ କିଛି ବର୍ଷ ହେବ କରୋନା ଏବଂ ଅନ୍ୟାନ୍ୟ କାରଣରୁ ରାଜ୍ୟର ବିଦ୍ୟୁତ୍‌ ଚାହିଦା ହ୍ରାସ ପାଇଛି। ଅନ୍ୟପକ୍ଷରେ ଗ୍ରିଡ୍‌କୋ ବିଦ୍ୟୁତ୍‌ ଆବଶ୍ୟକତା ପୂରଣ କରିବା ଲାଗି ଚୁକ୍ତି ମୁତାବକ ଏନ୍‌ଟିପିସିର ତାଳଚେର୍‌, ପଶ୍ଚିମବଙ୍ଗର ଫାରକା ଏବଂ ବିହାର କାହେଲ୍‌ଗାଁରୁ ବିଦ୍ୟୁତ କ୍ରୟ କରି ଆସୁଛି। ସେହିପରି ଅନ୍ୟାନ୍ୟ ସୂତ୍ରରୁ ମଧ୍ୟ ଗ୍ରିଡ୍‌କୋ ବିଦ୍ୟୁତ୍‌ କିଣୁଥିବାରୁ ଏବେ ରାଜ୍ୟରେ ବଳକା ବିଦ୍ୟୁତ ରହିଛି। ଆବଶ୍ୟକତା ନ ଥିଲେ ସୁଦ୍ଧା ଗ୍ରିଡ୍‌କୋ ବେଦାନ୍ତକୁ ଚୁକ୍ତ ଅନୁସାରେ ଧାର୍ଯ୍ୟ ଦେୟ ​‌େପୖଠ କରି ଆସୁଥିଲା। ୨୦୧୮ରେ ବେଦାନ୍ତ ନିଜର ଆବଶ୍ୟକତା ଥିବାରୁ ତା’ର ସ୍ବାଧୀନ ବିଦ୍ୟୁତ୍‌ ଉାତ୍ପାଦନ କେନ୍ଦ୍ରକୁ ନିଜସ୍ବ ବିଦ୍ୟୁତ୍‌ ଉତ୍ପାଦନ କେନ୍ଦ୍ର ଭାବେ ପରିବର୍ତ୍ତନ କରିବା ଲାଗି ଆବେଦନ କରିଥିଲା। ବେଦାନ୍ତର ନିଜସ୍ବ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଭାବେ ଏହା ପରିବର୍ତ୍ତନ ହେଲେ ଗ୍ରିଡ୍‌କୋକୁ ଆଉ ଧାର୍ଯ୍ୟ ଦେୟ ଦେବାକୁ ପଡିବ ନାହିଁ।

ସେହିପରି ନିୟାମକ ମଧ୍ୟ ନିର୍ଦେଶନାମାର ପରିଚ୍ଛେଦର ୩୦ରେ ଆହୁରି ଉଲ୍ଲେଖ କରିଛନ୍ତି, ରାଜ୍ୟର ଯେଉଁ ସମୟରେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇବ ମାସକ ପୂର୍ବରୁ ଗ୍ରିଡ୍‌କୋ ବେଦାନ୍ତକୁ ଜଣାଇବ। ସେହିପରି ବେଦାନ୍ତ ବିଦ୍ୟୁତ୍‌ ଯୋଗାଇବ। ଯଦି ଗ୍ରିଡ୍‌କୋକୁ ବିଦ୍ୟୁତ୍‌ ଯୋଗାଣ ଲାଗି ବେଦାନ୍ତ ଅସମର୍ଥ ହୁଏ ତେବେ ଗ୍ରିଡ୍‌କୋ ଯେଉଁ ସୂତ୍ରରୁ ବିଦ୍ୟୁତ୍‌ କ୍ରୟ କରିବ ସେଥିପାଇଁ ଦରକାର ପଡୁଥିବା ଅଧିକ ଦେୟକୁ ବେଦାନ୍ତ ପ୍ରଦାନ କରିବ। ଗ୍ରିଡ୍‌କୋ ଅତିକମରେ ୩ ମାସ ପର୍ଯ୍ୟନ୍ତ ଧାର୍ଯ୍ୟ ଦେୟ ଦେଇ ଗ୍ରିଡ୍‌କୋ ବେଦାନ୍ତଠାରୁ ବିଦ୍ୟୁତ୍‌ ଆଣିପାରିବ, ହେଲେ ଏହି ନିର୍ଦେଶନାମାକୁ ଭୁଲ ଭାବେ ତର୍ଜମା କରାଯାଇଥିବାରୁ ଆୟୋଗ କ୍ଷୋଭ ପ୍ରକାଶ କରିଛନ୍ତି।

ବେଦାନ୍ତ ଆଲୁମିନା ଶିଳ୍ପ ପାଇଁ ଅଧିକ ବିଦ୍ୟୁତ୍‌ ଆବଶ୍ୟକ ଥିବାରୁ ଏହି ସ୍ବାଧୀନ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକୁ ନିଜସ୍ବ ବିଦ୍ୟୁତ କେନ୍ଦ୍ର(ସିଜିପି) ଭାବେ ପରିବର୍ତ୍ତନ କରିବା ଲାଗି ୨୦୧୮ରେ ବେଦାନ୍ତ ବିଦ୍ୟୁତ ନିୟାମକ ଆୟୋଗଙ୍କଠାର ଏକ ଆବେଦନ କରିଥିଲା। ଏହି ମାମଲାର ଶୁଣାଣି ବେଳେ ଗ୍ରିଡ୍‌କୋ ତାହାର ପକ୍ଷ ରଖିଥିଲା। ବେଦାନ୍ତର ସ୍ବାଧୀନ ବିଦ୍ୟୁତ୍‌ କେନ୍ଦ୍ରକୁ ନିଜସ୍ବ ବିଦ୍ୟୁତ୍‌ କେନ୍ଦ୍ର ପରିବର୍ତ୍ତନ ନ କରିବା ଲାଗି ଆୟୋଗଙ୍କ ନିକଟରେ ଯୁକ୍ତି ବାଢ଼ିଥିଲା। ରାଜ୍ୟରେ ବଳକା ବିଦ୍ୟୁତ ଥିବାରୁ ଆୟୋଗ ଗତ ଅକ୍ଟୋବର ୫ରେ ଏନେଇ ଗ୍ରିଡ୍‌କୋକୁ ସୁହାଇବା ଭଳି ଏକ ନିର୍ଦେଶ ଦେଇଥିଲେ।

Comments are closed.