ମହାନ ସନ୍ଥ ଗୁରୁ ରବିଦାସ ଜୟନ୍ତୀ ପାଳିତ

ଗୁରୁ ରବିଦାସ ଜୟନ୍ତୀ ଆଜି ସମଗ୍ର ଦେଶରେ ପାଳିତ ହୋଇଯାଇଛି। ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ଗୁରୁ ରବିଦାସ ସମାଜରୁ ଜାତିପ୍ରଥା ଭେଦଭାବକୁ ଦୂର କରିବା ପାଇଁ ପ୍ରୟାସ କରି ଆସୁଥିଲେ। ସେ କବୀର ଦାସଙ୍କର ସମସାମୟିକ ଓ ମୀରାବାଈ ତାଙ୍କର ଶିଷ୍ୟା ଥିଲେ। ରବି ଦାସଙ୍କ ନୀତିକୁ ଭିତ୍ତିକରି ଏକ ଧର୍ମ ଗଠନ ହୋଇଥିଲା ଓ ଏହାର ନାମ ରବି ଦାସିଆ ରଖାଯାଇଥିଲା। ଶିଖ୍‍ ଧର୍ମରେ ତାଙ୍କର ଯଥେଷ୍ଟ ମହତ୍ତ୍ୱ ରହିଛି। ତାଙ୍କ ଦ୍ୱାରା ରଚିତ ୪୦ଟି କବିତା ଶିଖ୍‍ ଧର୍ମର ଆଦି ଗ୍ରନ୍ଥରେ ସ୍ଥାନ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁ ରବିଦାସ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ବାର୍ତ୍ତା ଦେଇ ସେ କହିଛନ୍ତି ଗୁରୁ ରବିଦାସ ଜଣେ ମହାନ ସନ୍ଥ ଓ ଧର୍ମ ସଂସ୍କାରକ ଥିଲେ। ସେ ତାଙ୍କର ସମଗ୍ର ଜୀବନ ମାନବ ଜାତିର ସେବା ପାଇଁ ଉତ୍ସର୍ଗ କରିଦେଇଥିଲେ। ରାଷ୍ଟ୍ରପତି କହିଛନ୍ତି ତାଙ୍କର ବାଣୀ ମାଧ୍ୟମରେ ସେ ସମଗ୍ର ମାନବ ଜାତିକୁ ସମାନତା, ନ୍ୟାୟ, ଶାନ୍ତି ଓ ସଦ୍‍ଭାବନାର ବାର୍ତ୍ତା ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଗୁରୁ ରବି ଦାସ ସାମାଜିକ ସଦ୍‍ଭାବନା ଓ ଭ୍ରାତୃଭାବର ବିକାଶ ଦିଗରେ ସର୍ବଦା କାର୍ଯ୍ୟ କରି ଆସୁଥିଲେ। ତାଙ୍କର ବାଣୀରେ ଅନୁପ୍ରାଣୀତ ହୋଇ ସମାଜରେ ମୈତ୍ରୀ, ଭ୍ରାତୃଭାବ ଓ ସଦ୍‍ଭାବନାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ସେ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି।


ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ସନ୍ଥ ରବିଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। ଶ୍ରୀ ନାଇଡୁ କହିଛନ୍ତି ସନ୍ଥ ରବିଦାସ ସାର୍ବଜନୀନ ଭ୍ରାତୃଭାବରେ ବିଶ୍ୱାସ କରୁଥିଲେ ଓ ତାଙ୍କର ଲେଖା ଓ ବାଣୀ ମାଧ୍ୟମରେ ସେ ସମାଜରେ ଏକତାର ବାର୍ତ୍ତା ପ୍ରସାର କରିଛନ୍ତି। ରବିଦାସଙ୍କ ବାଣୀ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଅନୁସରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବି ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଶହଶହ ବର୍ଷ ପୂର୍ବେ ସନ୍ଥ ରବି ଦାସ ଦେଇଥିବା ସମାନତା, ସଦ୍‍ଭାବନା ଓ ଦୟାର ବାର୍ତ୍ତା ଏବେ ବି ଲୋକମାନଙ୍କୁ ଅନୁପ୍ରାଣିତ କରୁଛି ଓ ଆଗକୁ ଅନୁପ୍ରାଣିତ କରିଚାଲିବ।


ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁ ରବି ଦାସ ତାଙ୍କର କାର୍ଯ୍ୟ ମାଧ୍ୟମରେ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ ବୋଲି କହିଛନ୍ତି। ସେ କହିଛନ୍ତି ସମାଜର ସବୁବର୍ଗର ଲୋକମାନଙ୍କ ପାଇଁ ସେ କଲ୍ୟାଣମୂଳକ କାର୍ଯ୍ୟମାନ କରି ଯାଇଛନ୍ତି। ଶ୍ରୀ ଶାହା କହିଛନ୍ତି ରବି ଦାସ ତାଙ୍କର ବାଣୀ ଓ କାର୍ଯ୍ୟ ମାଧ୍ୟମରେ କର୍ମ ଏବଂ ଆତ୍ମଶୁଦ୍ଧିକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଥିଲେ।


ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ସନ୍ଥ ରବି ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି ସନ୍ଥ ରବି ଦାସଙ୍କ ଜୀବନୀରୁ ଲୋକମାନେ ଅନୁପ୍ରାଣୀତ ହେବା ଉଚିତ।

Comments are closed.