ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କ ନାତି ସରକାରୀ ଚାକିରିରୁ ବରଖାସ୍ତ

ନୂଆଦିଲ୍ଲୀ: ଗତ ମାସରେ ପରଲୋକ ଘଟିଥିବା ଜମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନିଙ୍କ ନାତି ଅନିସ ଉଲ୍‍ ଇସଲାମଙ୍କୁ ଜମ୍ମୁ କାଶ୍ମୀର ପ୍ରଶାସନ ସରକାରୀ ଚାକିରିରୁ ବହିଷ୍କୃତ କରିଛନ୍ତି । ପାକିସ୍ତାନ ସମର୍ଥିତ ଗିଲାନିଙ୍କ ନାତି ଏହି କେନ୍ଦ୍ର ଶାସିତ ଅଞ୍ଚଳର ପର୍ଯ୍ୟଟନ ବିଭାଗରେ ଜଣେ ରିସର୍ଚ୍ଚ ଅଫିସର ଭାବରେ ନିଯୁକ୍ତି ପାଇଥିଲେ । ୨୦୧୬ରେ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ନେତା ମେହବୁବା ମୁଫତି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଅନିସ୍‍ ଉଲ ଇସଲାମ ଜମ୍ମୁ କାଶ୍ମୀର ପର୍ଯ୍ୟଟନ ବିଭାଗର ଶେର୍‍ ଇ କାଶ୍ମୀର ଇଣ୍ଟରନ୍ୟାସନାଲ କନଫରେନ୍ସରେ ଜଣେ ରିସର୍ଚ୍ଚ ଅଫିସର ଭାବରେ ନିଯୁକ୍ତି ପାଇଥିଲେ । ସରକାରୀ ଚାକିରି ପାଇବାର କିଛି ମାସ ପୂର୍ବରୁ ଅନିସ ପାକିସ୍ତାନ ଯାଇଥିବା ଜଣାଯାଇଛି । ଅନିସଙ୍କୁ ନିଯୁକ୍ତି ଦେବାକୁ ସରକାରୀ ସ୍ତରରେ ଉଚ୍ଚ ମହଲରୁ ଚାପ ପଡିଥିଲା ଏବଂ ସମୁଦାୟ ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି ହୋଇଥିବା ଏକ ସୂତ୍ରରୁ ଜାଣିବାକୁ ମିଳିଛି । ଗିଲାନିଙ୍କ ସମୟରେ କାଶ୍ମୀରରେ ହୋଇଥିବା ହିଂସାକାଣ୍ଡ ଏବଂ ଆନ୍ଦୋଳନର ଚିତ୍ର ଉତ୍ତୋଳନ କରିବାକୁ ଅନିସ କିଛି ଲୋକଙ୍କୁ ଡ୍ରୋନ ଉଡାଇବାରେ ସହାୟତା କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ମୁଖ୍ୟମନ୍ତ୍ରୀ ଏବଂ ଗିଲାନିଙ୍କ ମଧ୍ୟରେ ବିବାଦ ପ୍ରଶମିତ କରିବାକୁ ଅନିସଙ୍କୁ ଏହି ନିଯୁକ୍ତି ଦିଆଯାଇଥିବା ଏବଂ ସେଥିରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାଯାଇଛି । ସରକାରୀ ସୂତ୍ରରୁ କୁହାଯାଇଛି ଯେ ୨୦୦୫ ଠାରୁ ଉକ୍ତ ପଦବୀ ଖାଲି ପଡିଥିଲା ଏବଂ ତାହା ପୂରଣ କରିବାର ଜରୁରୀ ଆବଶ୍ୟକତା ନଥିଲା । କିନ୍ତୁ ଅନିସ ପାକିସ୍ତାନରୁ ଫେରିବା ପରେ କିଛି ଅଧିକାରୀ ହଠାତ ଉକ୍ତ ପଦବୀ ପୂରଣ କରିବାକୁ ତତ୍ପର ହୋଇଉଠିଥିଲେ । ତାଙ୍କ ସମ୍ପର୍କରେ କୌଣସି ସୁରକ୍ଷା ସଂସ୍ଥା ଦ୍ୱାରା ଅନୁଧ୍ୟାନ କରାନଯାଇ ତାଙ୍କୁ ତୁରନ୍ତ ଏଭଳି ଏକ ସରକାରୀ ଉଚ୍ଚ ପଦବୀରେ ନିଯୁକ୍ତି ପ୍ରଦାନ କରିବାକୁ ଅନୁମତି ଦିଆଯାଇଥିଲା । ସେଥିପାଇଁ ଉଚ୍ଚ ମହଲରୁ ଚାପ ପଡିଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଅନିସ କାମ କରୁଥିବା ବିଭାଗ ଜମ୍ମୁ କାଶ୍ମୀରରେ ଉଚ୍ଚସ୍ତରୀୟ ବୈଠକ ଏବଂ ଅତି ବିଶିଷ୍ଟ ବ୍ୟକ୍ତିମାନଙ୍କର ସମ୍ମିଳନୀ ଆୟୋଜନ ଦାୟିତ୍ୱ ନିଭାଇଥାଏ । ଅନ୍ୟ ଏକ ସୂତ୍ର ଅନୁଯାୟୀ ଅନିସ ୟୁଏଇ ଏବଂ ସାଉଦି ଆରବରେ ଥିବା ତିନିଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସଂପର୍କରେ ବରାବର ରହିଥିଲେ । ତାଙ୍କ ସହିତ ଜଣେ ସ୍କୁଲ ଶିକ୍ଷକ ଫାରୁକ ଅହମଦ ବଟ୍ଟଙ୍କୁ ମଧ୍ୟ ଚାକିରିରୁ ବହିଷ୍କାର କରାଯାଇଛି । ତାଙ୍କୁ ୨୦୦୫ରେ ନିଯୁକ୍ତି ଦିଆଯାଇ ୨୦୧୦ରେ ନିୟମିତ କରାଯାଇଥିଲା । ତାଙ୍କ ଭାଇ ଅମିନ ବଟ୍ଟ ଜଣେ ଲସ୍କର ଇ ତଇବା ଆତଙ୍କବାଦୀ ଏବଂ ସେ ପାକ ଅଧିକୃତ କାଶ୍ମୀରରେ ରହି ଆତଙ୍କବାଦ ଚଳାଇଛନ୍ତି ।

Comments are closed.