୧୧ ବର୍ଷରେ ସ୍ନାତକ ଶିକ୍ଷା ଶେଷ; ମଣିଷକୁ ଅମର କରିବା ଲକ୍ଷ୍ୟ

ନ୍ୟୁୟର୍କ: ଆମେରିକାରେ ଜଣେ ୧୧ ବର୍ଷ ବୟସ୍କ ଛାତ୍ର ସ୍ନାତକ ଶିକ୍ଷା ଶେଷ କରିଛନ୍ତି । ଏତେ କମ୍‍ ବୟସରେ ସ୍ନାତକ ହେବାରେ ସେ ଦ୍ୱିତୀୟ ଛାତ୍ର ହୋଇଛନ୍ତି । ତାଙ୍କ ପୂର୍ବରୁ ୧୯୯୪ରେ ସାଉଥ ଆଲବାମାର ୧୦ ବର୍ଷ ବୟସ୍କ ମାଇକେଲ କେର୍ନି ନୃତତ୍ୱରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ସିମନ୍ସ ନାମକ ଏହି ୧୧ ବର୍ଷ ବୟସ୍କ ଛାତ୍ର ଆହୁରି କମ୍‍ ବୟସରେ ସ୍ନାତକ ଶିକ୍ଷା ଶେଷ କରିଥାନ୍ତେ । କିନ୍ତୁ ୨୦୧୯ରେ ହଲାଣ୍ଡସ୍ଥିତ ଇଣ୍ଡହୋଭେନ ବିଶ୍ୱବିଦ୍ୟାଳୟର ଅଧିକାରୀମାନେ ସେ ତାଙ୍କର ୧୦ମ ଜନ୍ମଦିନ ପାଳନ ପୂର୍ବରୁ ସ୍ନାତକ ଶିକ୍ଷା ଶେଷ କରିପାରିବେ ନାହିଁ ବୋଲି କହି ତାଙ୍କୁ ଏହି ସୁଯୋଗରୁ ବଂଚିତ କରିଥିଲେ । ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଉଛି, ଏହି ୧୧ ବର୍ଷ ବୟସ୍କ ବାଳକଙ୍କ ଜୀବନରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିଛି- ତାହା ହେଉଛି ମଣିଷ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଖରାପ ହେଲେ ସେହି ସ୍ଥାନରେ ଯାନ୍ତ୍ରିକ ଅଙ୍ଗ ପ୍ରତ୍ୟଙ୍ଗ ଖଞ୍ଜି ମଣିଷକୁ ଅମର କରିବା ।

ଲରେଣ୍ଟ ସିମନ୍ସ ନାମକ ଏହି ବାଳକ ହେଉଛନ୍ତି ବେଲଜିୟମର ଓଷ୍ଟେଣ୍ଡର ବାସିନ୍ଦା । ସେ ଏବେ ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ସ୍ନାତକ ହେବାର ଗୌରବ ଅର୍ଜନ କରିଛନ୍ତି । ଆଣ୍ଟୱେର୍ପ ବିଶ୍ୱବିଦ୍ୟାଳରୁ ପଦାର୍ଥ ବିଜ୍ଞାନରେ ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ସାଧାରଣତଃ ଛାତ୍ରଛାତ୍ରୀ ତିନିବର୍ଷ ଅଧ୍ୟୟନ କରିବା ପରେ ସ୍ନାତକ ଶିକ୍ଷା ଶେଷ କରୁଥିବାବେଳେ ସିମନ୍ସ ମାତ୍ର ଏକବର୍ଷ ଅଧ୍ୟୟନ କରି ପାଠ୍ୟକ୍ରମ ଶେଷ କରିବା ସହିତ ଡିଗ୍ରୀ ହାସଲ କରିବାକୁ ସମର୍ଥ ହୋଇଛନ୍ତି । ତାଙ୍କ ସହପାଠୀମାନଙ୍କ ତୁଳନାରେ ସେ ସର୍ବାଧିକ ୯୫% ନମ୍ବର ରଖିଥିଲେ । ତାଙ୍କ ଭବିଷ୍ୟତ ଯୋଜନା ସମ୍ପର୍କରେ ପଚାରିବାରୁ ସିମନ୍ସ କହିଛନ୍ତି, ଜଣେ ପଦାର୍ଥବିଜ୍ଞାନର ଛାତ୍ର ହୋଇଥିବାରୁ ସେ ମଣଷ ଶରୀରରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଖଞ୍ଜି ତାକୁ ଅମର କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି । ତାଙ୍କ ପାଇଁ ଏହା ଜୀବନର ସବୁଠାରୁ ବଡ ଲକ୍ଷ୍ୟ ହେବ । ତାଙ୍କ କହିବା ଅନୁଯାୟୀ ବୟସ ଯେତେ ହୋଇଥାଉ ନା କାହିଁକି, ଜଣେ ଜ୍ଞାନ ଆହରଣ କରିବା ଏବଂ ସେହି ଜ୍‍ଞାନକୁ ଉପଯୋଗ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ । ସେ ମଣିଷର କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ପ୍ରସ୍ତୁତ କରିବାକୁ ଉପାୟ ପ୍ରସ୍ତୁତ କରିଛନ୍ତି । ଏହା ଏକ ବୃହତ ପଜଲ ଏବଂ କ୍ୱାଣ୍ଟମ ଫିଜିକ୍ସ ସେହି ପଜଲର ପ୍ରଥମ ଅଂଶ ହେବ । ଏଥିପାଇଁ ସେ ବିଶ୍ୱର ଶ୍ରେଷ୍ଠ ପ୍ରଫେସରମାନଙ୍କ ସହିତ କାମ କରିବାକୁ ଚାହୁଛନ୍ତି ।

Comments are closed.