ଟୁଇଟରକୁ ଚେତାବନୀ, ଦେଶର ନୀତି ସର୍ବୋଚ୍ଚ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଟୁଇଟରକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ଶୁକ୍ରବାର ଚରମବାଣୀ ଶୁଣାଇଛି। କମିଟି କହିଛି ଯେ ଭାରତରେ କାରବାର କରିବାକୁ ହେଲେ ନିଜର ନୀତି ନିୟମ ନୁହେଁ; ଭାରତର ନୀତି ଓ ନିୟମକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ। ସଂସଦୀୟ କମିଟିର ସମନ ଆଧାରରେ ଟୁଇଟରର ଅଧିକାରୀମାନେ ଆଜି କମିଟି ନିକଟରେ ହାଜର ହୋଇଥିଲେ। କେନ୍ଦ୍ର ସରକାର ନୂତନ ଆଇଟି ନିୟମକୁ ପାଳନ କରିବାରେ ଟୁଇଟର ନିଜକୁ ଦୂରେଇ ରଖିବା ପୂର୍ବକ ବିଭିନ୍ନ ବାହାନା ଦେଖାଉଛି। ଏପରିସ୍ଥଳେ ସଂସଦୀୟ କମିଟି ନୂଆ ନିୟମକୁ ପାଳନ କରିବାକୁ ବାଧ୍ୟ ବୋଲି କହିଛି।

ସାମାଜିକ ଗଣମାଧ୍ୟମର ଅପବ୍ୟବହାର ରୋକିବାକୁ ଏକ ପ୍ରସ୍ତାବ ଦେବା ଲାଗି ସଂସଦୀୟ କମିଟି ଟୁଇଟରର ଅଧିକାରୀଙ୍କୁ କହିଥିଲେ। କଂଗ୍ରେସ ସାଂସଦ ଶଶୀ ତରୁର୍‌ଙ୍କ ନେତୃତ୍ବରେ ଗଠିତ ସଂସଦୀୟ କମିଟି ଅନ୍ୟ ସାମାଜିକ ଗଣମାଧ୍ୟମର ଅଧିକାରୀଙ୍କୁ ମଧ୍ୟ ସମନ ଜାରି କରିଥିଲା। କମିଟି ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଓ ଲୋକଙ୍କ ଅଧିକାର ସୁରକ୍ଷା ବିଷୟରେ ଆଲୋଚନା ଲାଗି ସମନ ଜାରି କରିଥିଲା।

Comments are closed.