ଘୋଷଣା ହୋଇପାରେ ୨.୩ ଲକ୍ଷ କୋଟିର ପ୍ରୋତ୍ସାହନ ପ୍ୟାକେଜ

ନୂଆଦିଲ୍ଲୀ : କରୋନା ମୁକାବିଲା ତଥା ଏତଦ୍‌ଜନିତ ଆର୍ଥିକ କ୍ଷତି ଭରଣା ପାଇଁ କେନ୍ଦ୍ର ସରକାର ଦେଢ଼ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବା ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଏ ନେଇ ବିଚାରବିମର୍ଶ ଜାରି ରହିଥିବା ସୂଚନା ମିଳିଛି। ଆବଶ୍ୟକ ହେଲେ ଏହି ପରିମାଣ ୨ଲକ୍ଷ ୩୦ହଜାର କୋଟି ପର୍ଯ୍ୟନ୍ତ ହୋଇପାରେ ବୋଲି ଭାରତ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏହି ପ୍ରକ୍ରିୟା ଚୂଡ଼ାନ୍ତ ହୋଇ ନାହିଁ ବୋଲି ସେ କହିଛନ୍ତି। ଏହି ପ୍ୟାକେଜ୍‌ ଚଳିତ ସପ୍ତାହ ଶେଷ ସୁଦ୍ଧା ଘୋଷଣା ହେବାର ସମ୍ଭାବନା ରହିଥିବା ସମ୍ପୃକ୍ତ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନାନୁଯାୟୀ, ସରକାର ଲକ୍‌-ଡାଉନ୍‌ ପ୍ରଭାବରେ କ୍ଷତିଗ୍ରସ୍ତ ଗରିବ ଲୋକଙ୍କୁ ସହାୟତା ପାଇଁ ପ୍ୟାକେଜ୍‌ରେ ବ୍ୟବସ୍ଥା ରଖିଛନ୍ତି। ଦେଶର ୧୦୦ନିୟୁତ ଗରିବଙ୍କ ବ୍ୟାଙ୍କ ଏକାଉଣ୍ଟରେ ପ୍ରତ୍ୟକ୍ଷ ଭାବେ ସରକାର ସହାୟତା ରାଶି ଜମା କରିବା ପାଇଁ ଚିନ୍ତା କରୁଛନ୍ତି। କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ମଧ୍ୟ ଏହି ସହାୟତା ଯୋଜନାରେ ସାମିଲ କରାଯାଇଛି। ବୁଧବାର, ଲକ୍‌-ଡାଉନ୍‌ର ପ୍ରଥମ ଦିନରେ ଦେଶର ଅବସ୍ଥାକୁ ଲକ୍ଷ୍ୟ କରି ଏହି ପ୍ୟାକେଜ୍‌ ପ୍ରସ୍ତୁତବେଳେ ରିଜର୍ଭ ବ୍ୟାଙ୍କକୁ ସରକାରୀ ସିକ୍ୟୁରିଟି କ୍ରୟ କରିବା ପାଇଁ ସରକାର ପ୍ରସ୍ତାବ ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ଅନ୍ୟ ବାଣିଜ୍ୟିକ ବ୍ୟାଙ୍କ ଭଳି ସରକାରୀ ବଣ୍ଡ କିଣିବା ପାଇଁ ମଧ୍ୟ ଚିନ୍ତା କରୁଥିବା ସମ୍ପୃକ୍ତ ଅଧିକାରୀ କହିଛନ୍ତି। ତେବେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ କିଛି କୁହାଯାଇ ନାହିଁ।

Comments are closed.