ମହିଳା ଜନଧନ ହିତାଧିକାରୀଙ୍କ ଖାତାରେ ଜମା ହେଉଛି ୫୦୦ ଟଙ୍କା

୧୦ ତାରିଖ ପରଠାରୁ ହିତାଧିକାରୀ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ : ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀମାନଙ୍କ ଜମାଖାତାକୁ ୫୦୦ ଟଙ୍କା ଲେଖାଏଁ ପଠାଇବା ଆରମ୍ଭ କରିଛନ୍ତି। ଜୁନ୍‍ ମାସପାଇଁ ଏହି ଅର୍ଥ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏହା ହେଉଛି ତୃତୀୟ କିସ୍ତିର ସହାୟତା। ଆର୍ଥିକ ସେବା ବିଭାଗ କହିଛି, ମହିଳା ହିତାଧିକାରୀମାନେ ଆସନ୍ତା ୧୦ ତାରିଖ ପରଠାରୁ ଯେକୌଣସି ସମୟରେ ଟଙ୍କା ଉଠାଇପାରିବେ।

ଗତ ଶୁକ୍ରବାରଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ହିତାଧିକାରୀମାନଙ୍କ ଜମାଖାତାକୁ ଜୁନ୍‍ ମାସ ପାଇଁ ଏହି ସହାୟତା
ପଠାଯାଉଛି। ଏହି ଅର୍ଥ ସିଧାସଳଖ ସେମାନଙ୍କର ଖାତାରେ ଜମା ହେବ। ଏହି ସହାୟତା ଅଧୀନରେ ୨୦ କୋଟି
ଜନଧନ ମହିଳା ଜମାଖାତାଧାରୀଙ୍କୁ ପ୍ରଥମ କିସ୍ତିରେ ୧୦ ହଜାର ୨୯ କୋଟି ଟଙ୍କା ଦିଆଯାଇଥିଲା। ଦ୍ୱିତୀୟ କିସ୍ତିରେ ୨୦
କୋଟି ୬୨ ଲକ୍ଷ ଜନଧନ ଜମାଖାତାଧାରୀଙ୍କୁ ୧୦ ହଜାର ୩୧୫ କୋଟି ଟଙ୍କା ଦିଆଯାଇଥିଲା। ୧ ଲକ୍ଷ ୭୦ ହଜାର
କୋଟି ଟଙ୍କା ସମ୍ବଳିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ସରକାର ଲୋକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ଓ
ନଗଦ ଟଙ୍କା ସହାୟତା ଆକାରରେ ଦେଉଛନ୍ତି।

Comments are closed.