କ୍ବାରେଣ୍ଟାଇନ୍ ଭେଳିକି: ଚଟାଣରେ ଏକାଠି ଶୋଉଛନ୍ତି ଏକାଧିକ ସନ୍ଦିଗ୍ଧ

ଭୁବନେଶ୍ବର: କରୋନା ସନ୍ଦିଗ୍ଧଙ୍କ ପାଇଁ ରାଜ୍ୟ ସରକାର ହଜାର ହଜାର ସଂଖ୍ୟାରେ କ୍ବାରେଣ୍ଟାଇନ୍ ଅବା ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରିଛନ୍ତି। ସେଠାକୁ କରୋନା ସନ୍ଦେହରେ ଅଣାଯାଇ ଥିବା ସନ୍ଦିଗ୍ଧଙ୍କ ରହିବା ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ବୋଲି ସରକାର କହୁଛନ୍ତି। କିନ୍ତୁ ଖୋଦ୍ ରାଜଧାନୀରେ ଏହି ବ୍ୟବସ୍ଥାରେ ଘୋର ବ୍ୟତିକ୍ରମ ଦେଖାଯାଇଛି। ଏଠାରେ ରହୁଥିବା ଲୋକଙ୍କୁ ଆଶ୍ରୟ ଦିଆଯାଇଛି ସତ କିନ୍ତୁ ରହିବା ପାଇଁ ସାମାନ୍ୟ ସୁବିଧା ନାହିଁ। ୭ମ ବାଟାଲିଅନ୍ ସ୍କୁଲ୍‌ରେ ଥିବା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ଏପରି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏଠାରେ ରହୁଥିବା କରୋନା ସନ୍ଦିଗ୍ଧଙ୍କୁ ଖାଇବା ଦିଆଯାଉଛି ସତ, କିନ୍ତୁ ଶୋଇବା ପାଇଁ ନା ଖଟ ଅଛି ନା ସେମାନଙ୍କୁ ବେଡ୍‌ସିଟ୍ ଖଣ୍ଡେ ମିଳୁଛି।

ପଞ୍ଚାୟତ ସ୍ତରରେ ଥିବା କ୍ବାରେଣ୍ଟାଇନ୍ କେନ୍ଦ୍ରରେ ନୂଆ ଖଟ, ନୂଆ ବେଡ୍‌ସିଟ୍, ତକିଆ ଦିଆଯାଉଛି। ବ୍ୟବହାର ପାଇଁ ଅଲଗା ଅଲଗା ବାଲ୍ଟି ମଗ ବ୍ୟବସ୍ଥା ବି ହୋଇଛି। ହେଲେ ରାଜଧାନୀରେ କରୋନା ସନ୍ଦିଗ୍ଧ ଖୋଲା ଚଟାଣ ଉପରେ ଶୋଇବା ପାଇଁ ବାଧ୍ୟ ହେଉଛନ୍ତି। ଏପରିକି ଗୋଟିଏ କୋଠରି ଭିତରେ ଏକାଧିକ ସନ୍ଦିଗ୍ଧ ପାଖାପାଖି ଶୋଇବା ପାଇଁ ବାଧ୍ୟ ହେଉଛନ୍ତି। ଫଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ରାଜଧାନୀରେ ବିଭିନ୍ନ ସ୍ଥାନରେ ସରକାର କ୍ବାରେଣ୍ଟାଇନ୍ କେନ୍ଦ୍ର ଖୋଲିଥିବା ବେଳେ ସେଥିରୁ ଅନ୍ୟତମ ହେଉଛି ସାମନ୍ତବିହାର ସ୍ଥିତ ୭ମ ବାଟାଲିଅନ୍ ବିଦ୍ୟାଳୟ। ଏଠାରେ ବର୍ତ୍ତମାନ ୧୬ ଜଣ କରୋନା ସନ୍ଦିଗ୍ଧଙ୍କୁ ରଖାଯାଇଛି। ସକାଳ ଜଳଖିଆ ଦିଆଯାଉ ଥିବା ବେଳେ ମଧ୍ୟାହ୍ନ ଓ ରାତି ଭୋଜନରେ ଭାତ ଡ଼ାଲମା ଦିଆଯାଉଛି। ସେଠାରେ ରହି ନମୁନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଥିବା ସନ୍ଦିଗ୍ଧ କହିଛନ୍ତି, ଗୋଟିଏ ଗୋଟିଏ କୋଠରିରେ ୩/୪ ଜଣଙ୍କୁ ରଖାଯାଇଛି। ଶୋଇବା ପାଇଁ କିଛି ବ୍ୟବସ୍ଥା ନଥିବାରୁ ନିଜ ପାଖରେ ଥିବା ଗୋଟିଏ ବେଡ୍‌ସିଟ୍‌ରେ କୋଠରୀରେ ଥିବା ସମସ୍ତେ ଲାଗି ଲାଗି ଶୋଇବା ପାଇଁ ବାଧ୍ୟ ହେଉଛୁ। ଯଦି ଆମ ଭିତରୁ କେହି ସଂକ୍ରମିତ ଥାନ୍ତି ତା ହେଲେ ତାଙ୍କ ପାଖରେ ଶୋଉଥିବା ଅନ୍ୟ ଲୋକ ବି ସଂକ୍ରମିତ ହେବା ନିଶ୍ଚିତ। ଗାଁ ଗଣ୍ଡାରେ ସରକାର କରିଥିବା ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ସନ୍ଦିଗ୍ଧଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଉଛି। ହେଲେ ରାଜଧାନୀରେ ଏପରି ଅବ୍ୟବସ୍ଥା ହେତୁ ଭଲ ଲୋକ ବି ସଂକ୍ରମିତ ହେବେ।

ଏଠାରେ ରହୁଥିବା ଲୋକଙ୍କ ଭିତରୁ କାହାର ତିନି ଦିନ ହେଲା ନମୁନା ପରୀକ୍ଷା ପାଇଁ ଯାଇଛି ତ ଆଉ କେହି ଚାରିଦିନ ହେଲା ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ କେବେ ଆସିବ ତାହାର ଉତ୍ତର କେହି ଦେଇ ପାରୁନାହାନ୍ତି। ଯଦି ରିପୋର୍ଟ ପଜିଟିଭ୍ ଆସୁଛି ତା ହେଲେ ତାଙ୍କୁ ସରକାର କୋଭିଡ୍ ହସ୍ପିଟାଲରେ ନେଇ ରଖିବେ। କିନ୍ତୁ ଯଦି ଯାହା ରିପୋର୍ଟ ନେଗେଟିଭ୍ ଆସିବ ସେ ନିଜ ଗାଁକୁ କେମିତି ଫେରିବେ ତାହା ଏବେ ବଡ଼ ପ୍ରଶ୍ନ। ବର୍ତ୍ତମାନ ଯାନ ବାହନ ଚଳାଚଳ ବନ୍ଦ ରହିଛି। ଏଠାରେ ରହୁଥିବା ପ୍ରାୟ ସମସ୍ତେ ଶ୍ରମିକ କିମ୍ବା ଗରିବ ଶ୍ରେଣୀର ହୋଇଥିବାରୁ ନିଜ ଖର୍ଚ୍ଚରେ ଅଟୋ, ଟ୍ୟାକ୍ସି ଭଡ଼ା କରି ଘରକୁ ଫେରିବା ସମ୍ଭବ ନୁହେଁ। ତେଣୁ ନେଗେଟିଭ୍ ରିପୋର୍ଟ ଆସୁଥିବା ଲୋକଙ୍କୁ ଗାଁକୁ ପଠାଇବା ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ। ନଚେତ କିଏ ଚାଲି ଚାଲି ଗାଁକୁ ଯାଇ ପ୍ରାଣ ହରାଇବ ତ ଆଉ କିଏ ରାସ୍ତା କଡ଼େ ଆଶ୍ରୟ ନେଇ ସାମାଜିକ ଦୂରତା ନିୟମ ଭଙ୍ଗ କରିବାକୁ ବାଧ୍ୟ ହେବ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।

Comments are closed.