ଫ୍ଲିପ୍‍କାର୍ଟ ଓ ଆମାଜନ୍‍କୁ ଜବାବ ମାଗିଛୁ – ପିୟୁଷ୍‍ ଗୋଏଲ୍‍

ନୂଆଦିଲ୍ଲୀ: ୱାଲ୍‍ମାର୍ଟ ସଂସ୍ଥାର ମାଲିକାନାରେ ଚାଲୁଥିବା ଫ୍ଲିପ୍‍କାର୍ଟ ଓ ଆମାଜନ୍‍ କମ୍ପାନୀ ଅତି ଶସ୍ତାରେ ସାମଗ୍ରୀ ଯୋଗାଉଥିବା ନେଇ ଯେଉଁ ଅଭିଯୋଗ ହୋଇଛି, ସରକାରଙ୍କ ପକ୍ଷରୁ ତାହା ତଦନ୍ତ କରାଯାଉଥିବା କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ୍‍ ଗୋଏଲ୍‍ କହିଛନ୍ତି। ମୁମ୍ବାଇଠାରେ ଗୋଏଲ୍‍ ସାମ୍ବାଦିକମାନଙ୍କୁ କହିଛନ୍ତି, ଏହି ଦୁଇ କମ୍ପାନୀ ଅତି ଶସ୍ତାରେ ସାମଗ୍ରୀ ଯୋଗାଉଥିବାରୁ ଅନ୍ୟାନ୍ୟ କମ୍ପାନୀଗୁଡ଼ିକ ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ନ ପାରି କ୍ଷତି ସହୁଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଏହି ଦୁଇ କମ୍ପାନୀକୁ ଜବାବ ମଗାଯାଇଛି।

ସେ କହିଛନ୍ତି, ରିହାତି ମୂଲ୍ୟରେ ଜିନିଷପତ୍ର ବିକିବାର ଅଧିକାର ଇ-କମର୍ସ କମ୍ପାନୀଗୁଡ଼ିକର ନାହିଁ। ସେମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହିଲେ ଖୁଚୁରା କ୍ଷେତ୍ରରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହେବେ। କ୍ରେତା ଓ ବିକ୍ରେତାଙ୍କୁ ସଂଯୋଗ କରିବା ଇ-କମ୍ପାନୀଗୁଡ଼ିକର କାର୍ଯ୍ୟ ଏବଂ ସେମାନଙ୍କର ସାମଗ୍ରୀ ବିକ୍ରିର ଅଧିକାର ନାହିଁ। ଅଖିଳ ଭାରତ ବ୍ୟବସାୟ ସଂଘ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସବୁ ଇ-କମର୍ସ କମ୍ପାନୀ ଏବଂ ନିର୍ଦ୍ଦିଷ୍ଟ ଭାବେ ଆମାଜନ୍‍ ଓ ଫ୍ଲିପ୍‍କାର୍ଟ ଭଳି ବିଦେଶୀ ସଂସ୍ଥାର ବ୍ୟବସାୟ ଢାଞ୍ଚାର ସମୀକ୍ଷା କରିବାକୁ ଦାବି କରିଛି। ସରକାର ଏହି ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି ଗୋଏଲ୍‍ କହିଛନ୍ତି।

Comments are closed.