ଜୁଲାଇରେ ଅଧା କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ

ମାର୍ଗଦର୍ଶିକା ଜାରି କଲା ସାଧାରଣ ପ୍ରଶାସନ ବିଭାଗ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟ ନିମନ୍ତେ ସରକାର ଜାରି କରିଛନ୍ତି ନୂଆ ମାର୍ଗଦର୍ଶିକା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏଥିନେଇ ନିର୍ଦେଶନାମା ପ୍ରକାଶ ପାଇଛି । ସରକାରୀ କାର୍ଯ୍ୟାଳୟଗୁଡ଼ିକ ଅର୍ଧେକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ଓ କର୍ମଚାରୀମାନେ ପାଳି କରି ଅଫିସ ଆସିବେ ବୋଲି ନିଷ୍ପତ୍ତି ହୋଇଛି । ଏହି ନିର୍ଦେଶ ପୁରା ଜୁଲାଇ ମାସ ପାଇଁ ବଳବତ୍ତର ରହିବ ।

ରାଜ୍ୟ ସଚିବାଳୟ (ଲୋକସେବା ଭବନ), ଖାରବେଳ ଭବନ, ସେଚ ସଦନରେ ଏହି ନିର୍ଦେଶ ତତକ୍ଷଣାତ୍ କାର୍ଯ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି । ତେବେ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କେବେଠାରୁ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ ତାହା ସ୍ପଷ୍ଟ ହୋଇନାହିଁ । କେଉଁ ପରି କର୍ମଚାରୀମାନେ ଅଫିସ ଆସିବେ, କେମିତି କାର୍ଯ୍ୟ କରାଯିବ ତାହାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ନିର୍ଧାରଣ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ କୌଣସି ପରିସ୍ଥିତିରେ ଦୈନିକ କର୍ମଚାରୀଙ୍କ ସଂଖ୍ୟା ଅଫିସ ମଧ୍ୟରେ ୫୦%ରୁ ଅଧିକ ହେବ ନାହିଁ । ଏ ସମ୍ପର୍କରେ ଜିଲାପାଳ, ପୌର ପ୍ରଶାସନକୁ ମଧ୍ୟ ସୂଚନା ଦିଆଯାଇଛି ।

ଅପରପକ୍ଷରେ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ସରକାର । ଏ ସମ୍ପର୍କରେ ମୁଖ୍ୟ ସଚିବ ମଙ୍ଗଳବାର ସୂଚନା ଦେଇଛନ୍ତି । ପୂର୍ବରୁ ବିଏମସି ମଧ୍ୟ ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା ।

Comments are closed.