କୋଭିଡ୍‌ ନିୟମ ନ ମାନିଲେ ଆଜୀବନ ବିମାନ ଯାତ୍ରା ଉପରେ ଲାଗିପାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ବିତୀୟ ଲହରି ଆରମ୍ଭ ହେଲାଣି। ଯାହାଫଳରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ବିମାନ ଯାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ନିୟମ ଧାର୍ଯ୍ୟ କରାଯାଇଛି। ବିମାନ ଯାତ୍ରା ସମୟରେ ଏହି ନିୟମ ନ ମାନିଲେ ସରକାର ସମ୍ପୃକ୍ତ ଯାତ୍ରୀଙ୍କ ବିରୋଧରେ ଆଜୀବନ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି। ଏହା ସହିତ ଏୟାରଲାଇନ୍ସ ପକ୍ଷରୁ ବି ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନିକଟରେ କେତେକ ବିମାନ କମ୍ପାନୀ ପକ୍ଷରୁ ଏପରି ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଏସବୁ ଯାତ୍ରୀମାନେ ମାସ୍କ ଏବଂ ପିପିଇ କିଟ୍‌ ପିନ୍ଧିବାକୁ ମନା କରିଥିଲେ। ଗତ ସପ୍ତାହକ ମଧ୍ୟରେ ୩ଟି ବିମାନ କମ୍ପାନୀ ପକ୍ଷରୁ ୮ ଯାତ୍ରୀଙ୍କୁ ଏଭଳି ବିମାନରୁ ଓହ୍ଲାଇ ଦିଆଯାଇଛି।

ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ ସୂଚନା ଅନୁସାରେ, ଯଦି କୌଣସି ଯାତ୍ରୀ ନିୟମର ଉଲ୍ଲଂଘନ କରୁଛନ୍ତି, ତେବେ ତାଙ୍କ ବିରୋଧରେ ଦୁଇବର୍ଷ ପର୍ଯ୍ୟନ୍ତ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇପାରେ। ଡିଜିସିଏ ପକ୍ଷରୁ କୁହାଯାଇଛି ଯେ, ଯଦି ବାରମ୍ବାର ନିବେଦନ ସତ୍ବେ ଯାତ୍ରୀ ନିୟମ ପାଳନ କରନ୍ତି ନାହିଁ, ତେବେ ସେମାନଙ୍କୁ ବେଲଗାମ ଯାତ୍ରୀ ବର୍ଗରେ ଅନ୍ତର୍ଭୁକ୍ତ କରାଯିବ, ଅର୍ଥାତ ଆଗାମୀ ଦିନରେ ବି ସେମାନଙ୍କ ବିରୋଧରେ ପ୍ରତିବନ୍ଧକ ଲଗାଯାଇପାରେ। ଏପରି କ୍ଷେତ୍ରରେ ଯାତ୍ରୀମାନଙ୍କ ଉପରେ ୧ ମାସଠାରୁ ଆରମ୍ଭ କରି ଆଜୀବନ ବିମାନ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇପାରେ।

Comments are closed.