ଗୋଠାଣୀ ଜମି ଚିହ୍ନଟ ନିମନ୍ତେ ଗ୍ରାମବାସୀ ତହସିଲଦାରଙ୍କ ଦ୍ୱାରସ୍ଥ

ଝୁମ୍ପୁରା :  ଝୁମ୍ପୁରା ବ୍ଲକ ବାଲିବନ୍ଧ ପଞ୍ଚାୟତର ଚିଙ୍ଗୁଡିପଶି ଗ୍ରାମର ଗୋଠାଣୀ ଜମିକୁ ଜଣେ ବ୍ୟକ୍ତି ଜବର ଦଖଲ କରି ଚାଲିଥିବାରୁ ଏହାକୁ ଚିହ୍ନଟ କରିବା ନିମନ୍ତେ ଗ୍ରାମବାସୀ ତହସିଲର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ଚିଙ୍ଗୁଡିପଶି ଗ୍ରାମବାସୀ ଝୁମ୍ପୁରା ତହସିଲଦାରଙ୍କ ଠାରେ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗ୍ରାମ ପ୍ରତିଷ୍ଠା ହେବା ଦିନଠାରୁ ଗ୍ରାମବାସୀ ଗ୍ରାମ ମୁଣ୍ଡରେ ରହିଥିବା ପଡିଆରେ ଗୋଠାଣୀ କରିବା ସହିତ କାଳିପୂଜାରେ ଏଠାରେ ଗୋଠ ପୂଜା କରିଥାନ୍ତି । କୁଡୁମୀ ସଂପ୍ରଦାୟର ଲୋକ ମାନେ ଏହି ଗୋଠାଣୀରେ କାଳିପୂଜାରେ ଗୋଠ ପୂଜା କରିବା ସହିତ ଏଠାରେ ଗ୍ରାମର ଗାଈ ବଳଦ ମାନଙ୍କୁ ଏକତ୍ରିତ କରି ପୂଜା ହୋଇଥିବା ଅଣ୍ଡାକୁ ମଡାଇଥାନ୍ତି । ଗ୍ରାମବାସୀ ପାଳି ଆସୁଥିବା ପର୍ବ ଯେଉଁ ସ୍ଥାନରେ କରୁଥିଲେ ସେହି ସ୍ଥାନକୁ ଗ୍ରାମର ରାଘବ ଚନ୍ଦ୍ର ମହାନ୍ତ ନିଜ ଅଧିନକୁ ନେଇଯାଉଥିବାରୁ ଗ୍ରାମବାସୀ ଏହାକୁ ଘୋର ବିରୋଧ କରିଛନ୍ତି । ଗ୍ରାମବାସୀ ରଖିଥିବା ସଂରକ୍ଷିତ ସ୍ଥାନ ଯଦି ଜବର ଦଖଲ କାରୀଙ୍କ ଅଧିନକୁ ଚାଲିଯାଏ ତା ହେଲେ ଗ୍ରାମବାସୀ କେଉଁଠାରେ ଗୋଠ ପୂଜା କରିବେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଗ୍ରାମବାସୀଙ୍କ ଗୋଠାଣୀକୁ ସୁରକ୍ଷିତ ରଖିବା ପାଇଁ ସେହି ଜାଗର ଚିହ୍ନଟ କରିବା ନିମନ୍ତେ ଗ୍ରାମବାସୀ ରବିନନ୍ଦନ ମହାନ୍ତ, ଝାଡେଶ୍ୱର ମହାନ୍ତ, ପରୁଷୋତ୍ତମ ମହାନ୍ତ, କାହ୍ନୁ ଚରଣ ମହାନ୍ତ, ସୁବାଷ ଚନ୍ଦ୍ର ମହାନ୍ତ, ଲଳିତ କୁମାର ମହାନ୍ତ, ରାଜୁ ମହାନ୍ତ, ରାମେଶ୍ୱର ମହାନ୍ତ, ପିତାମ୍ବର ମହାନ୍ତ, ଜଗଦିଶ ଲହାର, ମନୋଜ କୁମାର ମହାନ୍ତ, ବିଜୟ କୁମାର ମହାନ୍ତ, ପ୍ରଫୁଲ କୁମାର ମହାନ୍ତ, ମଥୁରା ମହାନ୍ତଙ୍କ ସମେତ ଗ୍ରାମର ଏକ ଶହରୁ ଅଧିକ ଦସ୍ତଖତ ରହିଥିବା ଅଭିଯୋଗ ପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ ତହସିଲଦାର ପାଇବାର ପରେ ତୁରନ୍ତ ଗୋଠାଣୀ ସ୍ଥାନକୁ ଚିହ୍ନଟ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଝୁମ୍ପୁରା ତହସିଲଦାର ବୋଲି ଗ୍ରାମବାସୀ ସୂଚନା ପ୍ରଦାନ କରିଛନ୍ତି।

Comments are closed.