ସରପଞ୍ଚଙ୍କୁ ସରକାରଙ୍କ ରଜ ଭେଟି: ବଢ଼ିଲା ମାସିକ ଭତ୍ତା

ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ସବୁ ନିର୍ବାଚିତ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧି, ୱାର୍ଡ଼ମେମ୍ବରଙ୍କ ପାଇଁ ଭତ୍ତା ନାହିଁ

ଭୁବନେଶ୍ବର: ପଞ୍ଚାୟତରେ ଏବେ ଜିଲାପାଳ ଦାୟିତ୍ବ ନିର୍ବାହ କରୁଥିବା ସରପଞ୍ଚଙ୍କୁ ରାଜ୍ୟ ସରକାର ଦେଇଛନ୍ତି ରଜ ଭେଟି । ସେମାନଙ୍କର ମାସିକ ଭତ୍ତାକୁ ସରକାର ବୃଦ୍ଧି କରିଛନ୍ତି । କେବଳ ସରପଞ୍ଚ ନୁହନ୍ତି, ସମିତି ସଭ୍ୟ, ଜିଲା ପରିଷଦ ସଭ୍ୟ, ଜିଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନାଏବ ସରପଞ୍ଚ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସମସ୍ତଙ୍କର ଭତ୍ତା ବୃଦ୍ଧି ହୋଇଛି । ଗତ ୧ ଏପ୍ରିଲଠାରୁ ଏହା କାର୍ଯ୍ୟକାରୀ ହେବ । ତେବେ ୱାର୍ଡ଼ମେମ୍ବରମାନଙ୍କ ନିମନ୍ତେ କୌଣସି ମାସିକ ଭତ୍ତା ବ୍ୟବସ୍ଥା କରାଯାଇ ନାହିଁ । ସେମାନେ କେବଳ ପଞ୍ଚାୟତ ବୈଠକ ସମୟରେ ଉପସ୍ଥିତି ପାଇଁ ଦୈନିକ ବୈଠକ ଭତ୍ତା ପାଇବେ ।

ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟମାନଙ୍କର ମାସିକ ଭତ୍ତା ୧୯୦ଟଙ୍କାରୁ ୧୮୮୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।  ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ସଂକଳ୍ପ ଜାରି କରାଯାଇଛି ।  ଓଡ଼ିଶା ପଞ୍ଚାୟତ ସମିତି ଟିଏ ରୁଲସ-୧୯୭୫ର ଗାଇଡଲାଇନ୍ ଅନୁସାରେ ବର୍ତ୍ତମାନର ଜୀବନଶୈଳୀକୁ ଦୃଷ୍ଟିରେ ରଖି ଏହି ଦର ବୃଦ୍ଧି ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି। 

ଜିଲ୍ଲା ପରିଷଦ ସଭ୍ୟଙ୍କ ମାସିକ ଭତ୍ତା ୭୧୦ଟଙ୍କା ବୃଦ୍ଧି ପାଇ ୩୫୩୦ଟଙ୍କା ହୋଇଛି ।  ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କର ଭତ୍ତା ୧୪୧୦ଟଙ୍କା ବୃଦ୍ଧି ପାଇ ୭୦୪୦ଟଙ୍କା ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କର ଭତ୍ତା ୧୮୮୦ଟଙ୍କା ବଢ଼ି ୯୩୮୦ ଟଙ୍କାରେ ପହଞ୍ଚିଛି।  ଜିଲ୍ଲା ପରିଷଦ ସଭ୍ୟ ଓ ଅଧ୍ୟକ୍ଷଙ୍କ ଦୈନିକ ଭତ୍ତା ୮୦ଟଙ୍କା ଓ ବୈଠକ  ଫି’ ୨୨୦ଟଙ୍କା ଅପରିବର୍ତ୍ତିତ ରହିଛି।

ସମିତି ସଭ୍ୟ ଓ ପଞ୍ଚାୟତସମିତି ଉପାଧ୍ୟକ୍ଷଙ୍କ ମାସିକ ଭତ୍ତା ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବୃଦ୍ଧି ପାଇଛି । ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କର ଭତ୍ତା ୨୮୨୦ଟଙ୍କାରୁ ୩୫୩୦ଟଙ୍କାକୁ ବୃଦ୍ଧି ପାଇଛି। ସମିତି ସଭ୍ୟ ଓ ବ୍ଲକ ଅଧ୍ୟକ୍ଷଙ୍କର ଦୈନିକ ଭତ୍ତା ୪୦ଟଙ୍କା ଓ ସିଟିଙ୍ଗ୍ ଫି’ ୨୦୦ଟଙ୍କା ଅପରିବର୍ତ୍ତିତ ରହିଛି।

ଅନ୍ୟପକ୍ଷରେ ନାଏବ ସରପଞ୍ଚଙ୍କ ମାସିକ ପାରିତୋଷିକ ୭୫୦ଟଙ୍କାରୁ ୯୪୦ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ସରପଞ୍ଚଙ୍କର ଭତ୍ତା ୧୮୮୦ଟଙ୍କାରୁ ୨୩୫୦ଟଙ୍କାକୁ ବୃଦ୍ଧି ପାଇଛି। ଅର୍ଥାତ୍ ନାଏବ ସରପଞ୍ଚଙ୍କୁ ମାସିକ ୧୯୦ଟଙ୍କା ଓ ସରପଞ୍ଚଙ୍କୁ ଅଧିକ ୪୭୦ଟଙ୍କା ମିଳିବ। ସେହିପରି ୱାର୍ଡମେମ୍ବର, ନାଏବ ସରପଞ୍ଚ ଓ ସରପଞ୍ଚଙ୍କ ଦୈନିକ ଭତ୍ତା ୪୦ଟଙ୍କା ଓ ବୈଠକ ଫି’ ୨୦୦ଟଙ୍କା ପୂର୍ବଭଳି ରହିଛି।

Comments are closed.