ବୟନ କ୍ଷେତ୍ରର ଦକ୍ଷତା ନବୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର

ଆତ୍ମନିର୍ଭର ଭାରତ ଗଠନ ଦିଗରେ ବୟନଶିଳ୍ପ ଏକ ପ୍ରମୁଖ କ୍ଷେତ୍ର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ବୟନଶିଳ୍ପ କ୍ଷେତ୍ରରେ ସରକାର ଦକ୍ଷତା ବୃଦ୍ଧି, ଆର୍ଥିକ ସହାୟତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ  ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଗତକାଲି ଇଣ୍ଡିଆନ କାଉନ୍ସିଲ ଫର କଲଚରାଲ ରିଲେସନ – ଆଇସିସିଆର ଦ୍ୱାରା ଆୟୋଜିତ ଟେକ୍ସଟାଇଲ୍ ପରମ୍ପରା ଶୀର୍ଷକ ଏକ ଆନ୍ତର୍ଜାତୀୟ ୱେବିନାରକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।

ସେ କହିଛନ୍ତି, ବିଶ୍ୱ ସ୍ତରୀୟ ଉତ୍ପାଦ ତିଆରି କରିବାରେ ଆମର ବୁଣାକାରମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ବିଶ୍ୱସ୍ତରୀୟ ସର୍ବୋତ୍ତମ କୌଶଳ ଶିଖିବାକୁ ଚାହୁଁ। ସେ କହିଛନ୍ତି ଯେ ବୟନ କ୍ଷେତ୍ର ସର୍ବଦା ସୁଯୋଗ ଆଣିଛି ଏବଂ ଘରୋଇ କ୍ଷେତ୍ରରେ ଏହି କ୍ଷେତ୍ର ଭାରତର ସର୍ବୋଚ୍ଚ ନିଯୁକ୍ତି ପ୍ରଦାନକାରୀଙ୍କ ମଧ୍ୟରେ ରହିଛି। ଆନ୍ତର୍ଜାତୀୟ ସ୍ତରରେ ଟେକ୍ସଟାଇଲ ଶିଳ୍ପ ବିଶ୍ୱ ସହ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ସଂଯୋଗ ଦିଗରେ ସାହାଯ୍ୟ କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱସ୍ତରରେ ଭାରତୀୟ ବସ୍ତ୍ରଗୁଡ଼ିକ ଉଚ୍ଚ ପ୍ରସଂଶିତ ହୋଇଛି ଏବଂ ଏହା ମଧ୍ୟ ଅନ୍ୟ ଦେଶର ହସ୍ତଶିଳ୍ପ, ଉତ୍ପାଦ ଏବଂ କୌଶଳ ସହିତ ସମୃଦ୍ଧ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାରା ବିଶ୍ୱରେ ଟେକ୍ସଟାଇଲ ସେକ୍ଟରରେ ଅନେକ ମହିଳା ନିଯୁକ୍ତି ପାଇଛନ୍ତି ଏବଂ ତେଣୁ ଏକ ସଜୀବ ବୟନ କ୍ଷେତ୍ର ମହିଳା ସଶକ୍ତିକରଣର ପ୍ରୟାସରେ ଶକ୍ତି ଯୋଗାଇବ। ସେ କହିଛନ୍ତି ଯେ ଏଭଳି ଆହ୍ବାନମୂଳକ ସମୟରେ ଆମେ ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ।

ଶ୍ରୀ ମୋଦୀ କହିଛନ୍ତି, ଗାନ୍ଧିଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେ କହିଛନ୍ତି, ମହାତ୍ମା ଗାନ୍ଧୀ ବୟନଶିଳ୍ପ କ୍ଷେତ୍ର ଏବଂ ସାମାଜିକ ସଶକ୍ତିକରଣ ମଧ୍ୟରେ ଏକ ଘନିଷ୍ଠ ସମ୍ପର୍କ ଦେଖିଥିଲେ ଏବଂ ଚରଖାକୁ ଭାରତର ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରମୁଖ ପ୍ରତୀକ ରୂପେ ପରିଣତ କରିଥିଲେ। ସେ କହିଛନ୍ତି, ଚରଖା ଆମକୁ ଏକ ରାଷ୍ଟ୍ର ଭାବରେ ଏକତ୍ର କରିଥିଲା।

Comments
Loading...