କୃଷକ-ସରକାର ଦଶମ ବୈଠକ, ଫଳ ଶୂନ: ପୁଣି ୨୨ରେ ଆଲୋଚନା

- ଆଇନକୁ ୧୮ମାସ ସ୍ଥଗିତ ରଖିବାକୁ ସରକାରଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଦୁଇ ମାସ ଧରି ଆନ୍ଦୋଳନରତ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଧବାର ଦଶମ ପର୍ୟ୍ୟାୟ ବୈଠକ ପୂର୍ବପରି ବିଫଳତାର ସହିତ ଶେଷ ହୋଇଛି। ବୈଠକ ଦୁଇ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିବାରୁ କୌଣସି ସମାଧାନ ରାସ୍ତା ବାହାରିପାରି ନାହିଁ। ସରକାରଙ୍କ ପକ୍ଷରୁ ଆଇନରେ କେତେକ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ଏହାକୁ ଅଗ୍ରାହ୍ୟ କରି କୃଷକ ନେତାମାନେ ନୂଆ କୃଷି ଆଇନର ପ୍ରତ୍ୟାହାର ପାଇଁ ଅଡ଼ି ବସିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି; ଚାଷୀଙ୍କୁ ଆନ୍ଦୋଳନରୁ ହଟାଇବା ପାଇଁ ବର୍ଷେ ବା ଦେଢ଼ ବର୍ଷ ପର୍ୟ୍ୟନ୍ତ ଆଇନର କାର୍ୟ୍ୟକାରିତାକୁ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯିବ ବୋଲି ସରକାର କହିଥିଲେ। ଏତଦ୍‌ବ୍ୟତୀତ ଆଇନ ଉପରେ ବିଚାରବିମର୍ଶ ପାଇଁ ଏକ ସାନି ସ୍ବତନ୍ତ୍ର କମିଟି ଗଠନ କରିବାକୁ ସରକାର କହିଥିଲେ; କିନ୍ତୁ କୃଷକ ନେତାମାନେ ଏହାକୁ ଗ୍ରହଣ କରି ନ ଥିଲେ। ଏହା ଉପରେ ପରବର୍ତ୍ତୀ ସମୟରେ ବିଚାର କରାଯିବ ବୋଲି ସେମାନେ କହିବାରେ ପୁନର୍ବାର ଆଲୋଚନା ପାଇଁ ଆସନ୍ତା ୨୨ ତାରିଖ ଧାର୍ୟ୍ୟ କରାଯାଇଛି।

ଅପରପକ୍ଷରେ ସାମ୍ପ୍ରତିକ ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଯେଉଁ କମିଟି ଗଠନ କରିଥିଲେ ସେଥିରୁ ଭୂପିନ୍ଦର ସିଂହ ମାନ୍‌ ଓହରିଯିବା ପରେ କମିଟିର ପୁନର୍ଗଠନ ପାଇଁ କୃଷକ ସଂଗଠନ ପକ୍ଷରୁ ଆବେଦନ କରାଯାଇଛି। ଏହି ପ୍ରସଙ୍ଗରେ ସୁପ୍ରିମ୍‌କୋର୍ଟ ବୁଧବାର କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ବୁଧବାର ଏହା ଉପର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡ଼େ କମିଟି ସଦସ୍ୟଙ୍କୁ ଦୃଢ଼ ଭାବେ ସମର୍ଥନ କରିଥିଲେ। ସେମାନଙ୍କୁ ନିନ୍ଦା​ କରୁଥିବା ବ୍ୟକ୍ତିବିଶେଷଙ୍କୁ ସମାଲୋଚନା କରିଥିଲେ। ପ୍ରଧାନ ବିଚାରପତି କହିଥିଲେ ଯେ କମିଟିର ସଦସ୍ୟମାନେ କୃଷି କ୍ଷେତ୍ରରେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ। ସେମାନଙ୍କୁ ପକ୍ଷପାତୀ ବୋଲି କୁହାଯାଇପାରିବ ନାହିଁ। ସେମାନଙ୍କୁ ନିନ୍ଦା ମଧ୍ୟ କରାଯାଇପାରିବ ନାହିଁ। କମିଟି ଆଗରେ କୃଷକମାନେ ହାଜର ହୋଇ ନ ପାରନ୍ତି; ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ; କିନ୍ତୁ ସମ୍ପୃକ୍ତ ବିଶେଷଜ୍ଞମାନଙ୍କର କୁତ୍ସାରଟନାରୁ ନିବୃତ୍ତ ରୁହନ୍ତୁ। ଏଥିସହିତ କମିଟିକୁ କେବଳ ରିପୋର୍ଟ ଦେବା ପାଇଁ କୁହାଯାଇଛି; ଏହାର କୌଣସି ନିଷ୍ପତ୍ତି ନେବା କ୍ଷମତା ନାହିଁ; ତେଣୁ କମିଟିକୁ ନେଇ କେହି ବିଭ୍ରାନ୍ତ ହେବା ଅନୁଚିତ। କମିଟି ରିପୋର୍ଟ ଦେବା ପର୍ୟ୍ୟନ୍ତ ଓ ଆଇନ ସଂକ୍ରାନ୍ତରେ ବିଚାରବିମର୍ଶ ଶେଷ ପର୍ୟ୍ୟନ୍ତ କୃଷକମାନେ ଆନ୍ଦୋଳନ ସ୍ଥଗିତ ରଖିବା ଉଚିତ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ଏତଦ୍‌ବ୍ୟତୀତ କୃଷକମାନଙ୍କର ସାଧାରଣତନ୍ତ୍ର ଦିବସରେ ପ୍ରସ୍ତାବିତ ଟ୍ରାକ୍ଟର ଶୋଭାଯାତ୍ରା ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ପୁନର୍ବାର ସ୍ପଷ୍ଟ କରିଛନ୍ତି। ଦିଲ୍ଲୀ ପୁଲିସ ଏହା ଉପରେ ନିଷ୍ପତ୍ତି ନେବ ବୋଲି ପ୍ରଧାନ ବିଚାରପତି ଦୋହରାଇଛନ୍ତି। ଏହାକୁ ବନ୍ଦ କରିବା ପାଇଁ ନିର୍ଦେଶ ଦେବାକୁ ଦିଲ୍ଲୀ ପୁଲିସ ପକ୍ଷରୁ ଏ ସଂକ୍ରାନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଅପରପକ୍ଷରେ କୃଷି ଆଇନ ଉଚ୍ଛେଦ ବ୍ୟତୀତ ଅନ୍ୟ କୌଣସି କଥା ସେମାନଙ୍କୁ ଆନ୍ଦୋଳନରୁ ବିରତ କରାଇପାରିବ ନାହିଁ। ଏହା ସରକାର ବୁଝିସାରିଛନ୍ତି ବୋଲି ସୁପ୍ରିମକୋର୍ଟରେ କହିଥିଲେ ବିଭିନ୍ନ କୃଷକ ସଙ୍ଗଠନ ତରଫରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ଦୁଷ୍ୟନ୍ତ ଡାଭେ।

Comments are closed.