୫୭ ନୁହେଁ ୬୦ରେ ଅବସର – ତ୍ରୁଟି ସଂଶୋଧନ କଲେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନେ ଏଣିକି ୬୦ବର୍ଷ ବୟସରେ ଅବସର ଗ୍ରହଣ କରିବେ। ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏ ସମ୍ବନ୍ଧୀୟ ତ୍ରୁଟିକୁ ସଂଶୋଧନ କରି ମଙ୍ଗଳବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀ, ସୀମା ସୁରକ୍ଷା ବାହିନୀ, ଭାରତ ତିବ୍ଦତୀୟ ସୀମା ପୁଲିସ ଓ ସଶସ୍ତ୍ର ସୀମା ବଳର କନେଷ୍ଟବଳଠାରୁ ଆରମ୍ଭ କରି କମାଣ୍ଡାଣ୍ଟମାନଙ୍କ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ୫୭ବର୍ଷ ବୟସରେ ଅବସର ନେବାକୁ ପଡୁଥିଲା। କିନ୍ତୁ ସେନାବାହିନୀ ଗୁଡ଼ିକର ଡେପୁଟୀ ଇନ୍ସପେକ୍ଟର ଜେନେରାଲଠାରୁ ଡାଇରେକ୍ଟର ଜେନେରାଲ ପାହ୍ୟା ପର୍ଯ୍ୟନ୍ତ ଉଚ୍ଚ ପଦସ୍ଥ ଅଫିସରମାନେ ୬୦ବର୍ଷ ବୟସରେ ଅବସର ନେଉଥିଲେ। ତେବେ, ଅନ୍ୟ ଦୁଇଟି ବାହିନୀ- କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ ଓ ଆସାମ ରାଇଫଲ୍ସର ସମସ୍ତ କର୍ମଚାରୀ ୬୦ବର୍ଷ ବୟସରେ ଅବସର ନେଉଛନ୍ତି।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସଶସ୍ତ୍ର ବାହିନୀର ବିଭିନ୍ନ ବିଭାଗର କର୍ମଚାରୀଙ୍କ ଅବସର ଗ୍ରହଣ ବୟସରେ ତାଳମେଳ ନ ଥିବା କହିବା ସହ ଏହା ଅସାମ୍ବିଧାନିକ ବୋଲି ମତ ରଖିଥିଲେ। ସୋମବାର ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଯେଉଁମାନେ କୋର୍ଟ ଆଦେଶ ମୁତାବକ ୫୭ବର୍ଷରେ ଅବସର ଗ୍ରହଣ କରିଥିଲେ ସେମାନଙ୍କୁ ଦୁଇଟି ଉପାୟ ଦିଆଯାଇଥିଲା, ସେମାନେ ସମସ୍ତ ଅବସରକାଳୀନ ଲାଭ ଫେରସ୍ତ କରି ପୁଣି କାର୍ଯ୍ୟରେ ଯୋଗଦାନ କରିବେ କିମ୍ବା ୬୦ବର୍ଷ ବୟସ ପର୍ଯ୍ୟନ୍ତ ମିଳୁଥିବା ସମସ୍ତ ସୁବିଧା ଗ୍ରହଣ କରିବେ।

Comments are closed.