ଗ୍ରାସିମ ଇଣ୍ଡଷ୍ଟ୍ରିଜଠାରୁ ୧ ବିଲିଅନ ଡଲାର ଟିକସ ଦାବିକଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଦିତ୍ୟ ବିର୍ଲା ଗ୍ରୁପ୍‌ କମ୍ପାନୀ ଗ୍ରାସିମ ଇଣ୍ଡଷ୍ଟ୍ରିଜ ଠାରୁ ୨୦୧୮-୧୯ ବର୍ଷ ପାଇଁ ୧ ବିଲିଅନ ଡଲାର ଟିକସ ଦାବି କରିଛନ୍ତି । ଆଦିତ୍ୟ ବିର୍ଲା ନୁଭୋ ଏବଂ ଆଦିତ୍ୟ ବିର୍ଲା ଫାଇନାନ୍ସିଆଲ ସର୍ଭିସେସ ଦୁଇ କମ୍ପାନୀର ଗ୍ରାସିମ ଇଣ୍ଡଷ୍ଟ୍ରିଜ ସହିତ ମିଶ୍ରଣକୁ ନେଇ ଆୟକର ବିଭାଗ ପକ୍ଷରୁ ଏହି ନୋଟିସ ପଠାଯାଇଥିବା ଜଣାଯାଇଛି । ଏହି କାରବାର ଉପରେ ୨୦୧୯ରେ ଲାଭାଂଶ ଆବଣ୍ଟନ ଟିକସ ଦାବିକୁ ନେଇ ଡିସିଆଇଟିର ଆଦେଶ ଉପରେ ବମ୍ବେ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ । ସୂଚନାଯୋଗ୍ୟ ଯେ ଗ୍ରାସିମ ଇଣ୍ଡଷ୍ଟ୍ରିଜ ସହିତ ଆଦିତ୍ୟ ବିର୍ଲା ନୁଭୋ ଏବଂ ଆଦିତ୍ୟ ବିର୍ଲା ଫାଇନାନ୍ସିଆଲ ସର୍ଭିସେସର ମିଶ୍ରଣକୁ ଏନସିଏଲଟି ୨୦୧୭ ସେପ୍ଟେମ୍ବରରେ ଅନୁମୋଦନ କରିଥିଲା ।
ଶୁକ୍ରବାର ଦିନ ଗ୍ରାସିମ ଇଣ୍ଡଷ୍ଟ୍ରିଜ ପକ୍ଷରୁ କୁହାଯାଇଥିଲା ଯେ ଏହାକୁ ଆୟକର ବିଭାଗ ପକ୍ଷରୁ ୧ ବିଲିଅନ ଡଲାର ଅଥବା ୮୩୩୪ କୋଟି ଟଙ୍କାର ଟିକସ ପୈଠ ପାଇଁ ନୋଟିସ ଦିଆଯାଇଛି । ଏକ ଗ୍ରୁପ କମ୍ପାନୀରେ ଅଂଶ ବିକ୍ରିରୁ ମିଳିଥିବା ମୂଳଧନ ଲାଭ ବାବଦରେ ଟିକସ ଦେବାକୁ ଏହାକୁ ନୋଟିସ ମିଳିଛି । ଏ କ୍ଷେତ୍ରରେ କମ୍ପାନୀ ଆବଶ୍ୟକ ପଦକ୍ଷେପ ନେବ ବୋଲି କହିଛି । ସୂଚନାଯୋଗ୍ୟ ଯେ ନ୍ୟାସନାଲ କମ୍ପାନୀ ଲ ଟ୍ରିବୁନାଲର ଆଲ୍ଲାହାବାଦ ପୀଠ କମ୍ପାନୀର ମିଶ୍ରଣକୁ ଅନୁମୋଦନ କରିବାପରେ ଆଦିତ୍ୟ ବିର୍ଲା ଫାଇନାନ୍ସିଆଲ ସର୍ଭିସେସ ତାଲିକାଭୁକ୍ତ ହେବାକୁ ପଦକ୍ଷେପ ନିଆଯାଇଥିଲା ।

Comments are closed.