ଦେଶରେ ଶତ ପ୍ରତିଶତ ସାକ୍ଷରତା ସରକାରଙ୍କ ପ୍ରାଥମିକତା

ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସରେ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଦେଶର ଜନସଂଖ୍ୟାର ଏକ ବୃହତ ଅଂଶ ଏବେ ମଧ୍ୟ ସାକ୍ଷର ହୋଇପାରି ନାହାନ୍ତି ଓ ସେ ଦୃଷ୍ଟିରୁ ଏ ଦିଗରେ ଅଧିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ କହିଛନ୍ତି। ସେ କହିଛନ୍ତି, ଜାତୀୟ ଶିକ୍ଷାନୀତି-୨୦୨୦ରେ ଅଣାଯାଇଥିବା ସଂସ୍କାର ମାଧ୍ୟମରେ ସରକାର ଶତ ପ୍ରତିଶତ ସାକ୍ଷରତା ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରିବେ। ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ନିଶଙ୍କ କହିଛନ୍ତି, ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ବିଭିନ୍ନ ସଂଗଠନ, ଗ୍ରାମସଭା ଓ ଅନ୍ୟ ଭାଗିଦାରମାନଙ୍କୁ ମିଶନ୍‍ ଭିତ୍ତିରେ କାର୍ଯ୍ୟ କରିବାକୁ ହେବ। ପ୍ରତି ଦୁଇ ମାସରେ ଥରେ ସାକ୍ଷରତା କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ନିଶଙ୍କ କହିଛନ୍ତି, ଭାରତରେ ୧ହଜାରରୁ ଅଧିକ ବିଶ୍ୱବିଦ୍ୟାଳୟ, ୪୫ ହଜାର ଡିଗ୍ରୀ କଲେଜ୍‍, ୧୬ଲକ୍ଷ ସ୍କୁଲ୍‍ ଓ ୧କୋଟିରୁ ଊର୍ଦ୍ଧ୍ବ ଶିକ୍ଷକ ଅଛନ୍ତି ଏବଂ ଭାରତ ପାଖରେ ଏହାର ଦୁରଦୃଷ୍ଟି ଓ କ୍ଷମତା ରହିଛି ଏବଂ ସାମୁହିକ ଉଦ୍ୟମ ଜାରିଆରେ ଏହା ସମ୍ପୂର୍ଣ୍ଣ ସାକ୍ଷରତା ହାସଲ କରିପାରିବ। ସେ କହିଛନ୍ତି, ୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ ସାକ୍ଷରତା ଲକ୍ଷ୍ୟ ହାସଲ ପାଇଁ ପଢ଼ିବା ଲେଖିବା ଅଭିଯାନ ଏକ ସ୍ୱତନ୍ତ୍ର ପଦକ୍ଷେପ ହେବ। ୫୭ଲକ୍ଷ ନିରକ୍ଷରଙ୍କୁ ଶିକ୍ଷିତ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସେମାନେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଅଛନ୍ତି ଓ ସେମାନଙ୍କର ବୟସ ୧୫ ବର୍ଷରୁ ଅଧିକ।

ଆନ୍ତର୍ଜାତିକ ସାକ୍ଷରତା ଦିବସ

ସମଗ୍ର ବିଶ୍ୱରେ ଆଜି ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଛି। ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖ ଦିନଟିକୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ଭାବେ ପାଳନ କରାଯାଇଥାଏ। ବ୍ୟକ୍ତିବିଶେଷ, ସମ୍ପ୍ରଦାୟ ଓ ସମାଜ ପାଇଁ ସାକ୍ଷରତାର ଗୁରୁତ୍ୱକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ ହେଉଛି। ଚଳିତ ବର୍ଷର ଆନ୍ତର୍ଜାତିକ ସାକ୍ଷରତା ଦିବସରେ କରୋନା ସଂକ୍ରମଣ ସମୟରେ ସାକ୍ଷରତା, ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ଉପରେ ଆଲୋକପାତ କରାଯାଇଛି। ସଂକ୍ରମଣ ଯୋଗୁଁ ନୀତି ନିର୍ଦ୍ଧାରଣ ଓ ସେଗୁଡ଼ିକର କାର୍ଯ୍ୟକାରିତାରେ ତାରତମ୍ୟ ରହିଯାଉଛି। କୋବିଡ୍‍ ସଂକ୍ରମଣ ଆରମ୍ଭରେ ଅନେକ ଦେଶରେ ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିଲା। ସଂକ୍ରମଣ ଆରମ୍ଭରେ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା ଓ ବିଶ୍ୱର ଶତକଡ଼ା ୬୨ଦଶମିକ୍‍ ୩ ଭାଗ ଛାତ୍ରଛାତ୍ରୀଙ୍କର ପାଠପଢ଼ା ବାଧାପ୍ରାପ୍ତ ହୋଇଥିଲା। ସମଗ୍ର ବିଶ୍ୱରୁ ୭୭୩ ନିୟୁତ ପ୍ରୌଢ଼ ଓ ଯୁବା ମୌଳିକ ସାକ୍ଷରତାରୁ ବଞ୍ଚିତ ରହିଛନ୍ତି। ୬୧୭ ନିୟୁତ ପିଲା ଓ କିଶୋର ପଢ଼ିବା ଓ ଗଣିତରେ ସର୍ବନିମ୍ନ ଦକ୍ଷତା ସ୍ତର ହାସଲ କରିନାହାନ୍ତି। ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ଏବଂ ୨୦୩୦ ସ୍ଥାୟୀ ବିକାଶ କାର୍ଯ୍ୟସୂଚୀରେ ସାକ୍ଷରତା ଏକ ମୁଖ୍ୟ ବିଷୟ ରହିଛି।

୧୯୬୬ ମସିହା ଅକ୍ଟୋବର ୨୬ ତାରିଖରେ ୟୁନେସ୍କୋର ଚତୁର୍ଦ୍ଦଶ ଅଧିବେଶନରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ୧୯୬୭ ମସିହାରେ ପ୍ରଥମ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ କରାଯାଇଥିଲା ଓ ଏଥିରେ ସାକ୍ଷରତା, ବ୍ୟକ୍ତିବିଶେଷ, ସମ୍ପ୍ରଦାୟ ଓ ସମାଜ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ୟୁନେସ୍କୋର ସମସ୍ତଙ୍କ ପାଇଁ ଶିକ୍ଷା ସଂକ୍ରାନ୍ତ ଗ୍ଲୋବାଲ ମନିଟରିଂ ରିପୋର୍ଟ ୨୦୦୬ ଅନୁସାରେ ଦକ୍ଷିଣ ଏସିଆରେ ପ୍ରୌଢ଼ ଶିକ୍ଷା ହାର ସବୁଠୁ କମ୍‍ ଥିବାର ଜଣାପଡିଥିଲା। ଏହି ହାର ଶତକଡା ୫୮ ଦଶମିକ ୬ ଭାଗ ଥିଲା। ନିରକ୍ଷରତାର ମୂଳ କାରଣ ଉତ୍କଟ ଦାରିଦ୍ର୍ୟ ଓ ମହିଳାମାନଙ୍କ ପ୍ରତି ପକ୍ଷପାତ ଥିଲା।

Comments are closed.