ଅସହାୟ ଶିଶୁଙ୍କ ପାଖରେ ପଂହଚିଲେ ସହକାରୀ ଜିଲ୍ଲାପାଳ

ରେଡକ୍ରସରୁ ସହାୟତା, ଥଇଥାନ ପାଇଁ ପ୍ରତିଶ୍ରୁତି

ହରଭଙ୍ଗା : ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଅର୍ନ୍ତଗତ ବଡବନ୍ଧ ଠୁକାସାହିର ମୃତ ଅଚ୍ୟୁତ ବେହେରାଙ୍କ ଅସହାୟ ଅବସ୍ଥାରେ ଥିବା ୩ ଝିଅ ଏବଂ ଦୁଇ ପୁଅଙ୍କ ଭଳି ୫ଜଣ ଶିଶୁଙ୍କ ପାଖରେ ଗୁରୁବାର ବୌଦ୍ଧ ସହକାରୀ ଜିଲ୍ଲାପାଳ ଅବିନାଶ ପାଣ୍ଡିଆ ପଂହଚିଥିଲେ। ଶିଶୁମାନଙ୍କ ସହିତ ସିଧାସଳଖ କଥାବାର୍ତା ହେବା ସହିତ ନିଜ ଆଖିରେ ତାଙ୍କ ଅବସ୍ଥା ଦେଖି ଗଭୀର ଦୁଃଖ ପ୍ରକାଶ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେଡକ୍ରସରୁ ୧୦ ହଜାର ଟଙ୍କା ସହାୟତା ରାଶି ବଡ ଝିଅ ତରଙ୍ଗିନୀକୁ ପ୍ରଦାନ କରିଥିଲେ। ପିତାଙ୍କ ଦଶାହ କାର୍ଯ୍ୟ ଶେଷପରେ ୩ଜଣ ଶିଶୁଙ୍କୁ ତୁରନ୍ତ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ କରାଯିବା ପାଇଁ କହିଥିଲେ। ଭୂମିହୀନ ଥିବାରୁ ହରଭଙ୍ଗା ତହସିଲଦାରଙ୍କୁ କହି ଖଣ୍ଡିଏ ଜମି ଯୋଗାଇଦିଆଯିବ। ପରେ ଆବାସ ଯୋଜନାରେ ମଧ୍ୟ ସାମିଲ କରାଯାଇ ଘର ଖଣ୍ଡିଏ ଦେବା ପାଇଁ ବି.ଡି.ଓ ଙ୍କୁ ଅବଗତ କରାଯିବ ବୋଲି କହିଥିଲେ। ଆଜି ସହକାରୀ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁ ସୁରକ୍ଷା ୟୁନିଟି ସଦସ୍ୟ ରାଜେନ୍ଦ୍ର ମଲ୍ଲିକ, ସମାଜସେବୀ ସହଦେବ ନାଏକ ଏବଂ ଶିବାନନ୍ଦ ଦଳବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଥାଉ କି ଗତ ୨ତାରିଖ ଅଚ୍ୟୁତଙ୍କ ମୃତ୍ୟୂ ଘଟିଥିଲା। ଦୀର୍ଘ ୫ବର୍ଷ ପୂର୍ବରୁ ପନ୍ତ୍ରୀ ଘର ଛାଡି ଚାଲିଯାଇଥିଲା। ଫଳରେ ମାଆ-ବାପାଙ୍କ ବିନା ଅସହାୟ ଅବସ୍ଥାରେ ୫ଜଣ ଶିଶୁ ଭୋକ ଉପାସରେ ଦିନକାଟୁଥିବା ଏକ ଶୀର୍ଷକ ଖବର ପ୍ରଥମେ କେବଳ ‘ସମାଜ’ରେ ପ୍ରକାଶ ପାଇଥିଲା।

Comments are closed.