ସାହିତ୍ୟ ଶବ୍ଦର ଖେଳ: ରାଜ୍ୟପାଳ

0

ଭୁବନେଶ୍ୱର : ସାହିତ୍ୟ ହେଉଛି ଶବ୍ଦର ଖେଳ, ମମତାମୂଳକ, ସମତାମୂଳକ, ଆନନ୍ଦମୂଳକ, ଚିତ୍ତମୂଳକ ଓ ମାୟାମୂଳକ। ସାହିତ୍ୟ ମାଧ୍ୟମରେ ଆନନ୍ଦ ପ୍ରାପ୍ତି ହୋଇପାରେ। ଏହା ସମାଜରେ ସମସ୍ତଙ୍କୁ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ। ସାହିତ୍ୟ ମଧ୍ୟ ଆମକୁ ପରମାତ୍ମାଙ୍କ ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ଶନିବାର ‘କାଦମ୍ବିନୀ’ ପକ୍ଷରୁ ଆୟୋଜିତ ଶାରଦୀୟ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କାଦମ୍ବିନୀର ବ୍ୟାଖ୍ୟା କରିବାକୁ ଯାଇ କହିଥିଲେ ଯେ କାଦମ୍ବିନୀ ଅର୍ଥ ହେଉଛି ମେଘମାଳା। ବର୍ଷା ଯେପରି ଉଦ୍ଭିଦଠାରୁ ଆରମ୍ଭ କରି ପ୍ରାଣୀ ଜଗତ ଓ ଜୀବଜଗତକୁ ପୁଲକିତ କରିଥାଏ, ସେହିପରି କାଦମ୍ବିନୀ ପତ୍ରିକା ତା’ର ଲେଖା ମାଧ୍ୟମରେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଥିବ ବୋଲି ରାଜ୍ୟପାଳ କହିଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍‍ ବସନ୍ତ ପଣ୍ଡା ‘କାଦମ୍ବିନୀ’ର ପୂଜା ବିଶେଷାଙ୍କ ଉପରେ ଆଲୋକପାତ କରି କହିଲେ, କାଦମ୍ବିନୀ ଆଜି ଘରେ ଘରେ ପରିଚିତ। ଏହା ସମ୍ପୂର୍ଣ୍ଣ ଭାବେ ଏକ ପାରିବାରିକ ପତ୍ରିକା ହୋଇଥିବାରୁ ପାଠକଙ୍କ ଆଦୃତ ଲାଭ କରିପାରିଛି। ଏଥିରେ ଅଧ୍ୟକ୍ଷତା କରି ବିଶିଷ୍ଟ ସାହିତ୍ୟିକ ଶାନ୍ତନୁ ଆଚାର୍ଯ୍ୟ କହିଲେ, ଓଡ଼ିଶାର କଳା ଓ ଭାସ୍କର୍ଯ୍ୟ ବହୁ ଉଚ୍ଚକୋଟୀର ଏବଂ ସମୃଦ୍ଧଶାଳୀ ହୋଇଥିଲେ ମଧ୍ୟ ଏ ବାବଦରେ କୌଣସି ସାହିତ୍ୟ ପତ୍ରିକା ଆଲୋଚନା କରନ୍ତି ନାହିଁ। ଏଥିପାଇଁ ସେ କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଜୟନ୍ତୀ ରଥ କହିଲେ, ଓଡ଼ିଶାର କଳା ଓ ସଂସ୍କୃତି ସମୃଦ୍ଧଶାଳୀ। ଏହାର କଳା, ସଂସ୍କୃତି ଓ ଐତିହ୍ୟ ବହୁ ପୁରାତନ। ରାଜ୍ୟ ଅଭିଲେଖାଗାର ଓ ରାଜ୍ୟ ସଂଗ୍ରହାଳୟରେ ବହୁ ଉପାଦେୟ ପୁସ୍ତକ, ତଥ୍ୟ ଓ ନମୂନା ରହିଛି। ତେବେ ରାଜ୍ୟ ଅଭିଲେଖାଗାର ଓ ସଂଗ୍ରହାଳୟ ସମ୍ପର୍କରେ ଓଡ଼ିଶାର ଅନେକ ଲୋକଙ୍କ ଧାରଣା ନାହିଁ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦିକା ଡ. ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘କାଦମ୍ବିନୀ’ର ପୂଜା ସଂଖ୍ୟାକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ।

Leave A Reply