ବିଧାନସଭା ସଚିବାଳୟରେ ପ୍ରବେଶ ବେଳେ ଖୋଲାଗଲାନି ମୁଖ୍ୟ ଗେଟ୍‌ ତାଲା, ପ୍ରଶ୍ନ ଉଠାଇଲେ ରାଜ୍ୟପାଳ

କଲକାତା: ପଶ୍ଚିମବଙ୍ଗରେ ପୁଣି ଥରେ ରାଜ୍ୟ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ମମତା ବାନାର୍ଜୀଙ୍କ ସରକାର ବିଧାନସଭା କାର୍ଯ୍ୟକୁ ଅଚାନକ ସ୍ଥଗିତ କରାଯିବା ପରେ ରାଜ୍ୟପାଳ ଜଗଦୀପ ଧନଖଡ଼ ଗୁରୁବାର ବିଧାନସଭା ସଚିବାଳୟ ପରିଦର୍ଶନରେ ଯାଇଥିଲେ। ରାଜ୍ୟପାଳ ବିଧାନସଭା ୧ ନମ୍ବର ଗେଟ୍‌ ଦେଇ ଯିବାର ଥିବାବେଳେ ଗେଟ୍‌ରେ ତାଲା ପଡ଼ିଥିଲା, ଯାହାକୁ ନେଇ ରାଜ୍ୟପାଳ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଥିଲେ। କିଛି ସମୟ ପରେ ସେ ୨ୟ ଗେଟ୍‌ ଦେଇ ବିଧାନସଭାରେ ପ୍ରବେଶ କରିବା ସହିତ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ।

ରାଜ୍ୟପାଳ କହିଛନ୍ତି ଯେ, ଯେତେବେଳେ ମୁଁ ଏଠାକୁ ଆସିଲି, ସେତେବେଳେ ରାଜ୍ୟପାଳ ଏବଂ ଅନ୍ୟ ଭିଭିଆଇପିମାନଙ୍କ ପାଇଁ ରହିଥିବା ଗେଟ୍‌ ବନ୍ଦ ଥିଲା। ଫଳରେ ୨ୟ ଗେଟ୍‌ ଦେଇ ମୁଁ ଭିତରକୁ ଗଲି। ବିଧାନସଭା ସଚିବାଳୟ ବର୍ଷସାରା ଖୋଲା ରହିଥାଏ। ବିଧାନସଭା ଅଧିବେଶନ ସ୍ଥଗିତ ରହିଲେ ସଚିବାଳୟ କ’ଣ ବନ୍ଦ ରହିବ ବୋଲି ରାଜ୍ୟପାଳ ପ୍ରଶ୍ନ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ଐତିହାସିକ କୋଠା, ପାଠାଗାର ବୁଲିବାକୁ ମୁଁ ଆସିଥିଲି। କିନ୍ତୁ ସରକାରଙ୍କ ଏଭଳି କାର୍ଯ୍ୟ କେବଳ ମୋତେ ନୁହେଁ, ପୂରା ଗଣତନ୍ତ୍ରକୁ ଅପମାନ ବୋଲି ରାଜ୍ୟପାଳ କ୍ଷୋଭ ପ୍ରକାଶ କରି କହିଛନ୍ତି। ସୂଚନାଯୋଗ୍ୟ, ମମତା ସରକାର ଦ୍ବାରା ବିଧାନସଭା କାର୍ଯ୍ୟକୁ ଅଚାନକ ସ୍ଥଗିତ କରାଯିବା ନେଇ ରାଜ୍ୟପାଳଙ୍କ ଉପରେ ଅଭିଯୋଗ କରାଯାଇଥିଲା।

Comments are closed.