ରାଷ୍ଟ୍ରପତିଙ୍କୁ ତୃଣମୂଳ କଂଗ୍ରେସର ଚିଠି; ରାଜ୍ୟପାଳ ଧନକରଙ୍କୁ ହଟାଯାଉ

କଲକାତା : ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ସାମ୍ବିଧାନିକ ପଦମର୍ଯ୍ୟାଦା ପରିପନ୍ଥୀ କାର୍ଯ୍ୟ କରୁଛନ୍ତି। ସମ୍ବିଧାନର ସୁରକ୍ଷା ପାଇଁ ସେ ଶପଥ ଗ୍ରହଣ କରିଥିଲେ ମଧ୍ୟ ରାଜନୈତିକ କାର୍ଯ୍ୟକଳାପ ସହିତ ଜଡ଼ିତ ରହୁଛନ୍ତି ଓ ଏକ ନିର୍ଦିଷ୍ଟ ରାଜନୈତିକ ଦଳ ପାଇଁ କାମ କରୁଛନ୍ତି। ସେ ସମସ୍ତ ସାମ୍ବିଧାନିକ ସୀମା ଉଲ୍ଲଙ୍ଘନ କରିଛନ୍ତି। ରାଜ୍ୟପାଳ ରାଜ୍ୟ ପ୍ରଶାସନ ତଥା ସରକାରଙ୍କ ବିରୋଧରେ ନିୟମିତ ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟପାଳ ସମ୍ବିଧାନର ଧାରା ୧୫୬(୧)ର ଉଲ୍ଲଙ୍ଘନ କରୁଥିବା ଉଲ୍ଲେଖ କରିଛନ୍ତି। ତାଙ୍କୁ ତୁରନ୍ତ ରାଜ୍ୟପାଳ ଭଳି ସାମ୍ବିଧାନିକ ପଦରୁ ହଟାଯାଉ। ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ତଥା​ ଏହାର ମୁଖ୍ୟ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଷ୍ଟ୍ରପତି ରାମନାଥ କୋବିନ୍ଦକୁ ବୁଧବାର ଏଭଳି ଚିଠି ଲେଖିଛନ୍ତି। ଏଥିରେ ସୁଖେନ୍ଦୁ ଶେଖର ରାୟ, ସୁଦୀପ ବନ୍ଦୋପାଧ୍ୟାୟ, କାକଳି ଘୋଷ ଦସ୍ତିଦାର, ଡେରିକ ଓ’ବ୍ରିଏନ୍‌ ପ୍ରମୁଖ ତୃଣମୂଳ କଂଗ୍ରେସର ବରିଷ୍ଠ ସାଂସଦମାନେ ସ୍ବାକ୍ଷର କରିଛନ୍ତି। ଏଥିରେ ରାଜ୍ୟପାଳଙ୍କ ରାଜନୈତିକ କାର୍ଯ୍ୟକଳାପର ତାଲିକା ପ୍ରଦାନ କରାଯାଇଛି।
ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରାୟଙ୍କ ସୂଚନାନୁଯାୟୀ, ଧନକର ଗତ ବର୍ଷ ଜୁଲାଇରେ ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରଠାରୁ ନିୟମିତ ଭାବେ ରାଜ୍ୟ ସରକାରଙ୍କ ବିରୋଧରେ ମାତିଛନ୍ତି। ସେ ବିଭିନ୍ନ ପ୍ରସଙ୍ଗରେ ନିୟମିତ ଭାବେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଓ ଟ୍ୱିଟ୍ କରି ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପ ବିରୋଧରେ ମନ୍ତବ୍ୟ ଦେଇଆସୁଛନ୍ତି। ବିଭିନ୍ନ ଟେଲିଭିଜନ ଆଲୋଚନାରେ ଅଂଶଗ୍ରହଣ କରି ସେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ, ସରକାରୀ ଅଧିକାରୀ; ଏମିତି କି ବିଧାନସଭା ବାଚସ୍ପତିଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି। ଏହା ଦ୍ବାରା ସେ ନିଜର ସାମ୍ବିଧାନିକ ଦାୟିତ୍ବର ଉଲ୍ଲଙ୍ଘନ କରୁଛନ୍ତି। ରାଜ୍ୟ ସରକାରକୁ ବଦନାମ କରିବା ପାଇଁ ​‌େ​‌ସ ଯୋଜନାବଦ୍ଧ ଭାବେ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରଙ୍କ ନିର୍ଦେଶରେ କାର୍ଯ୍ୟ କରୁଛନ୍ତି। ପଶ୍ଚିମବଙ୍ଗର ୭୫ବର୍ଷର ଇତିହାସରେ ଏଭଳି କେବେ ଦେଖାଯାଇ ନ ଥିଲା। ତାଙ୍କର ଯାହା କହିବାର ଅଛି ସେ ସାମ୍ବିଧାନିକ ଉପାୟରେ ତାହା କହିପାରନ୍ତେ; କିନ୍ତୁ ବାରମ୍ବାର ଏହାର ବ୍ୟତିକ୍ରମ ଲକ୍ଷ୍ୟ କରାଯାଉଛି ବୋଲି ସୁଖେନ୍ଦୁ କହିଛନ୍ତି।
ଅପରପକ୍ଷରେ ମମତାଙ୍କ ଏଭଳି ପଦକ୍ଷେପକୁ ବିରୋଧ କରିଛି ବିଜେପି। ରାଜ୍ୟପାଳ ତାଙ୍କ ସାମ୍ବିଧାନିକ କ୍ଷମତା ଆଧାରରେ କାର୍ଯ୍ୟ କରୁଥିବାରୁ ତୃଣମୂଳ କଂଗ୍ରେସ ଭୟଭୀତ ହୋଇପଡ଼ିଛି ବୋଲି ବିଜେପି ପକ୍ଷରୁ ଜବାବ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଉପରେ ଏହି ଚିଠିର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବିଜେପି କହିଛି।

Comments are closed.