ପହିଲାରୁ ଘରୋଇ ଡାକ୍ତରଖାନାକୁ ଟିକା ଦେବେନି ସରକାର

ଭୁବନେଶ୍ୱର: କରୋନା ଟିକାକରଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ମେ’ ପହିଲାରୁ ରାଜ୍ୟର କୌଣସି ଘରୋଇ ଡାକ୍ତରଖାନାକୁ ଆଉ ୨୫୦ ଟଙ୍କିଆ କରୋନା ଟିକା ଯୋଗାଣ କରିବେ ନାହିଁ। ଏହାସହିତ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୨୪ରୁ ସବୁ ସହରାଞ୍ଚଳରେ ଶନିବାର ଓ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିବ। ସୋମବାରଠାରୁ ଶୁକ୍ରବାର ମଧ୍ୟରେ ସହରାଞ୍ଚଳରେ ଏଣିକି ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟବିଭାଗ ନିର୍ଦେଶନାମା ଜାରି କରିଛି।

ଏସଂକ୍ରାନ୍ତରେ ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ(ଏସିଏସ୍) ପ୍ରଦୀପ୍ତ କୁମାର ମହାପାତ୍ର ସବୁ ଜିଲାପାଳ, ମହାନଗର କମିସନର ଓ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ସେ ଦର୍ଶାଇଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦେଶକ୍ରମେ ଆସନ୍ତା ମେ’ ପହିଲାରୁ ୧୮ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ସମସ୍ତ ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହାସହିତ ଖୋଲା ବଜାରରେ ୫୦ ପ୍ରତିଶତ ଟିକା ଉପଲବ୍ଧ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପୂର୍ବରୁ ଘରୋଇ ଡାକ୍ତରଖାନାରେ ଥିବା କରୋନା ଟିକା କେନ୍ଦ୍ରକୁ ସରକାର ୨୫୦ ଟଙ୍କା ଦରରେ ଟିକା ଯୋଗାଣ କରୁଥିଲେ; ମାତ୍ର ଏବେ ଏହାକୁ ମେ’ ପହିଲାରୁ ବନ୍ଦ କରି ଦିଆଯିବ। ସମସ୍ତ ଘରୋଇ ହସ୍ପିଟାଲ ସିଧାସଳଖ କୋଭିଡ୍ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ କ୍ରୟ କରିବେ। ଭାରତ ସରକାର ୫୦ ପ୍ରତିଶତ ଉତ୍ପାଦିତ କରୋନା ଟିକାକୁ ରାଜ୍ୟ ସରକାର ଓ ଖୋଲା ବଜାର ପାଇଁ ଉପଲବ୍ଧ କରିଥିବାରୁ ଘରୋଇ ଡାକ୍ତରଖାନା ଗୁଡ଼ିକ ଏହି ଟିକାକୁ ସିଧାସଳଖ କିଣିପାରିବେ। ଆସନ୍ତା ୩୦ତାରିଖ ପରଠୁ ଆଉ ଘରୋଇ କରୋନା ଟିକାକରଣ କେନ୍ଦ୍ରକୁ ଟିକା ଯୋଗାଣ ହେବ ନାହିଁ । ଏହାବ୍ୟତୀତ ଯେଉଁମାନେ ଟିକାର ପ୍ରଥମ ଖୁରାକ ନେଇଛନ୍ତି ଓ ଦ୍ବିତୀୟ ଖୁରାକ ପାଇଁ ସମୟ ହୋଇସାରିଛି ସେମାନେ ତୁରନ୍ତ ଟିକା ନେବାକୁ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.