ସରକାର ଦେଇଥିଲେ, କମ୍ପାନୀ ଛଡାଇ ନେଲା : ୧୦ ବର୍ଷ ପରେ ବି ମିଳୁନି ନ୍ୟାୟ

ବିଶାଖା ଆଜବେଷ୍ଟସ୍ ଯୋଗୁଁ ଜମି ହରାଇଥିବା ଆଦିବାସୀ ପରିବାର ଅସହାୟ, ଜମି ଫେରି ପାଇବା ଆଶାରେ ଆଖି ବୁଜିଲେଣି ୫ ଜମିହରା

ରେଙ୍ଗାଲି (ପରମାଣପୁର) : ସମ୍ବଲପୁର ଜିଲ୍ଲାର ପରମାଣପୁର ପାଖ ନୁଆଁମୁଣ୍ଡାରେ ପ୍ରତିଷ୍ଠା ହୋଇଛି ବିଶାଖା ଆଜବେଷ୍ଟସ୍ କମ୍ପାନୀ । ୧୦ ବର୍ଷ ହେଲା ଚାଲିଥିବା ଏହି କମ୍ପାନୀ ୧୦ଟି ଆଦିବାସୀ ଏବଂ ପଛୁଆବର୍ଗ ପରିବାର ଜମିକୁ ବିନା କ୍ଷତିପୂରଣ ତଥା ବିନା ସହମତିରେ ଅକ୍ତିଆର କରି ବେଧଡକ ଓ ନିଶ୍ଚିନ୍ତ ଭାବରେ ଆଜବେଷ୍ଟସ୍ କାରଖାନା ଚଳାଇଛି। ଜମି ଫେରି ପାଇବା ପାଇଁ ଗତ ୧୦ ବର୍ଷ ହେଲା ଜମିହରା ଆଦିବାସୀ ପରିବାର ଜମି ଫେରି ପାଇବା ପାଇଁ  ବିଭିନ୍ନ କାର୍ଯ୍ୟାଳୟ ଏବଂ ଅଦାଲତ ର ଦ୍ୱାରସ୍ତ ହୋଇଥିଲେ ହେଁ ଏଯାଏଁ କିଛି ସୁଫଳ ମିଳିନାହିଁ। ନ୍ୟାୟ ନ ପାଇ ଆଦିବାସୀ ପରିବାର ଘୋର ଦୁଶ୍ଚିନ୍ତା ଏବଂ ଅନାଟନ ମଧ୍ୟରେ କାଳାତିପାତ କରୁଛନ୍ତି। ଇତି ମଧ୍ୟରେ ଜମିହରା ଆଦିବାସୀ ପରିବାର ମଧ୍ୟରୁ ଯଦୁ ମିର୍ଦ୍ଧା, ଶ୍ରୀକର ମିର୍ଦ୍ଧା, ଜଗଦିଶ ମିର୍ଦ୍ଧା, ସାହେବ ମିର୍ଦ୍ଧା ପ୍ରମୁଖ ୪ଜଣ ବିଗତ ବର୍ଷରେ ଜମି କୁ ଝୁରିଝୁରି ମୃତ୍ୟୁବରଣ କରିଥିବା ବେଳେ ଗତ ୨୦ ତାରିଖ ଦିନ ଦୁଃଖୁ ମିର୍ଦ୍ଧା ପ୍ରାଣ ହରାଇଛନ୍ତି। ଅର୍ଥାତ୍ ଏପର୍ଯ୍ୟନ୍ତ ୫ଜଣ ଜମିହରା ମୃତ୍ୟୁ ବରଣ କଲେଣି। ତଥାପି ଏମାନଙ୍କୁ ନ୍ୟାୟ ମିଳୁ ନାହିଁ । ସରକାର ଗରିବ ଆଦିବାସୀ /ହରିଜନ/ ପଛୁଆବର୍ଗ ର ସ୍ୱାର୍ଥ ରକ୍ଷା ଏବଂ ସେମାନଙ୍କୁ ଉଚିତ ନ୍ୟାୟ ଦେବାକୁ ଡେଙ୍ଗୁରା ପିଟୁଥିବା ବେଳେ ୧୦ ବର୍ଷ ହେଲା ବିଶାଖା ଆଜବେଷ୍ଟସ୍  କମ୍ପାନୀ ଯୋଗୁଁ ଜମି ହରାଇଥିବା ଆଦିବାସୀ ପରିବାର ରୁ ୫ଜଣ ମରିଗଲେ ପଛକେ ନ୍ୟାୟ ପାଇଲେ ନାହିଁ ଏଥିରୁ ଆଉ ଦୁର୍ଭାଗ୍ୟ ର ବିଷୟ କଣ ଥାଇପାରେ ବୋଲି ସଚେତନ ନାଗରିକ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଜମି ହରାଇ ଥିବା ପରିବାର ମୁଖ୍ୟ ଙ୍କ ମୃତ୍ୟୁ ପାଇଁ କମ୍ପାନୀ ଦାୟୀ ବୋଲି ସ୍ଥାନୀୟ ସଚେତନ ଲୋକେ ମତବ୍ୟକ୍ତ କରୁଛନ୍ତି। କମ୍ପାନୀ ବିରୁଦ୍ଧରେ ହତ୍ୟା ମାମଲା ରଜ୍ଜୁ କରାଯିବା ଉଚିତ ବୋଲି ରାଜାରାମ ପଣ୍ଡା, ବିଭୂତିଭୂଷଣ ନାଥ,ପ୍ରମୋଦ କୁମାର ନାଥ ପ୍ରମୁଖ  ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।

ସରକାର ଆମକୁ ଜମିଦେଇଥିଲେ। ସେଇ ଜମି ରେ ଚାଷ କରି ଆମ ପରିବାର ପ୍ରତିପୋଷଣ ହେଉଥିଲା।  ବିନା କ୍ଷତିପୂରଣ ରେ ଆମର ସହମତି ନନେଇ କମ୍ପାନୀ ଜୋରଜବରଦସ୍ତି ଆମର ଜମି କୁ ଛଡାଇ ନେଇ କାରଖାନା ପ୍ରତିଷ୍ଠା କରିଛି। ଆମକୁ ଆମର ଜମି ଫେରାଇ ଦେଉ କିମ୍ବା ଉଚିତ୍ କ୍ଷତି ପୂରଣ ଦେଉ ବୋଲି ଦିବଙ୍ଗତ ଦୁଃଖୁ ମିର୍ଦ୍ଧା ଙ୍କ ପୁଆ ଗୋବିନ୍ଦ ମିର୍ଦ୍ଧା ଦାବି କରିଛନ୍ତି। କମ୍ପାନୀ ଜମି ଛଡାଇ ନେଇଗଲା ପରେ ଆମେ ବହୁତ ଅସୁବିଧା ରେ ଚଳୁଛୁ ବୋଲି ଗୋବିନ୍ଦ କହିଛନ୍ତି। ସରକାର ଦେଇଥିଲେ କମ୍ପାନୀ ଛଡାଇ ନେଲା । ବାପା ଏବଂ ଅଜା ଜମି ଫେରିପାଇବା ପାଇଁ ବହୁତ ଲଢେଇ କରି ହତାସ୍ ହୋଇ ମୃତ୍ୟୁ ବରଣ କଲେ। କମ୍ପାନୀ ଆମର ଜମି କବଜା କରିଥିଲେ ବି ଆମେ ଖଜଣା ଦେଉଛୁ ବୋଲି କହି ଗୋବିନ୍ଦ ଖଜଣା ରସିଦ୍ ଦେଖାଇଥିଲେ। ଖଜଣା ସୁଝାଉଥିଲେ ଜମି ଉପରେ ଆମର ହକ୍ ଜାହିର କରିପାରିବୁ ବୋଲି ଗୋବିନ୍ଦ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପୁର୍ବରୁ ମୃତ୍ୟୁ ବରଣ କରିଥିବା ଶ୍ରୀକର ମିର୍ଦ୍ଧା ପତ୍ନୀ ସୁଭଦ୍ରାଙ୍କୁ ଏକାକୀ କରି ଛାଡିଯାଇଛନ୍ତି। ଏକାକୀ ନିଃସଙ୍ଗ ଜୀବନ ଅତିବାହିତ କରୁଛନ୍ତି ଦିବଙ୍ଗତ ଶ୍ରୀକର ମିର୍ଦ୍ଧା ଙ୍କ ଧର୍ମପତ୍ନୀ ସୁଭଦ୍ର। ଠିକ୍ ସେହିପରି ବିଗତ ବର୍ଷ ରେ ମୃତ୍ୟୁ ବରଣ କରିଥିବା ଜମିହରା  ସାହେବ ମିର୍ଦ୍ଧା ତାଙ୍କର ବିଧବା ପତ୍ନୀ କଇଁଫୁଲ  ଏବଂ ଦୁଇପୁଅ ମହେନ୍ଦ୍ର ,ଯୋଗେନ୍ଦ୍ର ଓ ଦୁଇ ବୋହୂ ଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି।

ସୂଚିତ ଯେ ୧୯୮୩ ମସିହା ରେ ପରମାଣପୁର ମୌଜା (ନୁଆମୁଣ୍ଡା )ଖାତା ନମ୍ବର ୪୪୫ ରୁ ୫୭ ଏକର ସିଲିଂ ବହିର୍ଭୁତ ଜମି ସରକାର ଆଦିବାସୀ,ହରିଜନ ଏବଂ ଭୂମିହୀନ ପରିବାର ମଧ୍ୟରେ ବଣ୍ଟନ କରି ସଂପୃକ୍ତ  ପରିବାର କୁ ସିଲିଂ ଜମି ପଟ୍ଟା ପ୍ରଦାନ କରଯାଇଥିଲା। ସିଲିଂ ଜମି ପଟ୍ଟା ପାଇଥିବା ଆଦିବାସୀ/ହରିଜନ ଏବଂ ଭୂମିହୀନ ପରିବାର ଜମି କୁ ଭୋଗ ଦଖଲ କରି ଚାଷବାସ କରିବା ସହିତ ପ୍ରତିବର୍ଷ ଖଜଣା ଦାଖଲ କରିଆସୂଥିଲେ। କମ୍ପାନୀ କବ୍ଜା ରେ ଜମି ଥିଲେ ମଧ୍ୟ କେତେକ ପରିବାର ଏପର୍ଯ୍ୟନ୍ତ ଖଜଣାପୈଠ କରୁଛନ୍ତି। ତେବେ ୨୦୧୦ ମସିହା ରେ ବିଶାଖା ଆଜବେଷ୍ଟସ୍ କମ୍ପାନୀ ସରକାର ଦେଇଥିବା ସିଲିଂ ଜମି କୁ ବିନା କ୍ଷତି ପୂରଣରେ ଏବଂ ପଟ୍ଟାଦାରଙ୍କ ବିନା ସହମତିରେ କବ୍ଜା କରି କାରଖାନା ପ୍ରତିଷ୍ଠା କରିବା ଫଳରେ ସିଲିଂ ଜମି ପାଇଥିବା ଆଦବାସୀ/ହରିଜନ ପରିବାର ଜମିହରା ହୋଇଗଲେ। ଜମି ଫେରି ପାଇବାକୁ ତହସିଲଦାର, ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆପତ୍ତି ଅଭିଯୋଗ କଲା ପରେ କୌଣସି ସୁଫଳ ମିଲିଲା ନାହିଁ । ଫଳରେ ଜମିହରା ପରିବାର ମାସାଧିକ କାରଖାନା ମୁଖ୍ୟ ଫାଟକ ସମ୍ନାରେ ଧାରଣା ମଧ୍ୟ ଦେଇଥିଲେ। କିଛିଦିନ କାରଖାନ ବନ୍ଦ ବି ରହିଥିଲା। କିନ୍ତୁ କମ୍ପାନୀ ପ୍ରଶାସନର କିଛି ଅଧୀକାରୀଙ୍କୁ ଆୟୁଧ କରି ଅନଶନରେ ବସିଥିବା ୧୦ ଜଣ ଜମିହରାଙ୍କ ନାଁରେ ମିଛ ମାମଲା ଋଜ୍ଜୁ କରିବା ଫଳରେ ସେମାନଙ୍କୁ ଜେଲ୍ ହାଜତକୁ ଯିବାକୁ ପଡିଥିଲା। ଜମିହରାଙ୍କୁ ନ୍ୟାୟ ପ୍ରଦାନ ପାଇଁ ହାଇକୋର୍ଟରେ ଏକାଧିକ ଜନସ୍ୱାର୍ଥ ମାମଲା ମଧ୍ୟ ଦାୟର ହୋଇଥିଲା। ସବୁ ଆଡୁ ନିରାଶ ହତାସ୍ ହୋଇ ଆମକୁ ଆତ୍ମହତ୍ୟା ପାଇଁ ଅନୁମିତି ଦିଆଯାଉ ବୋଲି କିଛି ଜମିହରା ଚାଷୀ ତତ୍କାଳିନ୍ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ନିକଟରେ ନିବେଦନ ଜଣାଇଥିଲେ। ଏହାପରେ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ନିଜେ ବିଶାଖା ଇଣ୍ଡଷ୍ଟ୍ରିଜ୍ ଏବଂ ସରକାରୀ କଳ ବିରୋଧରେ ଜନସ୍ୱାର୍ଥ ମାମଲା ରଜ୍ଜୁ କରିଥିଲେ। ତେବେ ଦୁର୍ଭାଗ୍ୟ ଓ ବିଡମ୍ବନାର ବିଷୟ ଯେ, ତଥାପି ନ୍ୟାୟ ନପାଇ ଗୋଟିଏ ପରେ ଗୋଟିଏ ଜମିହରା ପରିବାର ର ମୁଖିଆ ମୃତ୍ୟୁ ବରଣ କରିବାର ଧାରା ଜାରି ରହିଛି। ସରକାର ଗରିବ,ଭୂମିହୀନ ମାନଙ୍କୁ ଦେଇଥିବା ସିଲିଂ ଜମି କୁ ସେମାନଙ୍କ ବିନା ସହମତି ରେ କବ୍ଜା କରି ନେଇ କାଣି କଉଡିଟିଏ କ୍ଷତି ପୂରଣ ନଦେଇ ଗରିବ ଆଦିବାସୀ/ଭୂମିହୀନ ମାନଙ୍କ ର ଚାଷ ଜମିରେ କୋଟି କୋଟି ଟଙ୍କାର କାରଖାନା ଛିଡା କରି ମୁନାଫା କରୁଥିବା କମ୍ପାନୀ ବିରୋଧ ରେ ନିଜର ହକ୍ ସତ୍ୱ ଥିବା ଜମି ଫେରି ପାଇବା ପାଇଁ ଲଢେଇ କରୁଥିବା ନିରୀହ ତଥା ଗରିବ ଆଦିବାସୀ ପରିବାର କୁ ନ୍ୟାୟ ପାଇଁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡିବ ଜଣାନାହିଁ। ଜମିହରା ନ୍ୟାୟ ପାଇବେ ନା ଏମିତି ଗୋଟିଏ ପରେ ଗୋଟିଏ ଜମିହରା ମୃତ୍ୟୁ ବରଣ କରୁଥିବେ ବୋଲି ସଚେତନ ନାଗରିକ ମହଲ ରେ ପ୍ରଶ୍ନ ହେଉଛି।

Comments are closed.