ଦୁଇ ବର୍ଷ ଯାଏ ହାତପାଣ୍ଠି ସ୍ଥଗିତ; ବର୍ଷକ ପର୍ଯ୍ୟନ୍ତ ଦରମା ହ୍ରାସ ବିଲ୍ ପାସ: ଜାଣନ୍ତୁ କେତେ ହେବ ସରକାରଙ୍କ ସଞ୍ଚୟ

ନୂଆଦିଲ୍ଲୀ: ସଂସଦ ସଦସ୍ୟ ବେତନ, ଭତ୍ତା, ପେନସନ ବିଧେୟକ ସଂଶୋଧନ ବିଲ୍ ଲୋକସଭାର ମଞ୍ଜୁରୀଲାଭ କରିଛି । ନୂଆ ନିୟମ ଅନୁସାରେ ସାଂସଦଙ୍କ ବେତନ ବର୍ଷକ ପର୍ଯ୍ୟନ୍ତ ୩୦% ହ୍ରାସ କରାଯିବ ଏବଂ ଏହାବ୍ୟତୀତ ସାଂସଦ ହାତପାଣ୍ଠି ବାବଦରେ ମିଳୁଥିବା ବାର୍ଷିକ ୫ କୋଟି ଟଙ୍କା ଅନୁଦାନ ୨ ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଏହି ଅର୍ଥ କରୋନା ମହାମାରୀ ବାବଦରେ ଖର୍ଚ ହେବ ।
ସାଧାରଣତଃ ଦରମା ଓ ଅନ୍ୟାନ୍ୟ ଭତ୍ତା ବାବଦରେ ଜଣେ ସାଂସଦଙ୍କୁ ମାସିକ ୨,୯୧,୮୩୩ ଟଙ୍କା ମିଳିଥାଏ । ଏହାମଧ୍ୟରେ ଦରମା ୧ ଲକ୍ଷ ଟଙ୍କା ଓ ଅବଶିଷ୍ଟ ୧,୯୧, ୮୩୩ ଟଙ୍କା ହେଉଛି ଅନ୍ୟାନ୍ୟ ଭତ୍ତା।  ଅର୍ଥାତ୍ ଜଣେ ସାଂସଦଙ୍କ ପାଇଁ ବର୍ଷକୁ ୩୫ ଲକ୍ଷ ଟଙ୍କା ସରକାରଙ୍କୁ ଖର୍ଚ କରିବାକୁ ପଡ଼ିଥାଏ । କରୋନା ନିମନ୍ତେ ୩୦% ବେତନ ହ୍ରାସ ପରେ ସାଂସଦଙ୍କୁ ମାସିକ ୧ ଲକ୍ଷ ଟଙ୍କା ବଦଳରେ ୭୦ ହଜାର ଟଙ୍କା ଦରମା ମିଳିବ । ସେହିପରି ପୂର୍ବରୁ ମାସିକ ୭୦ ହଜାର ଟଙ୍କା ଦିଆଯାଉଥିବା ସାଂସଦ ନିଧିକୁ ହ୍ରାସ କରାଯାଇ ୪୯ ହଜାର ଟଙ୍କା କରି ଦିଆଯାଇଛି । କାର୍ଯ୍ୟାଳୟ ଭତ୍ତା ୬୦ ହଜାର ଟଙ୍କା ବଦଳରେ ୫୪ ହଜାର ଟଙ୍କା ମିଳିବ । ୫୪ ହଜାର ଟଙ୍କା ମଧ୍ୟରୁ ୪୦ ହଜାର ଟଙ୍କା ସାଂସଦଙ୍କ ସଚିବ ସହାୟତାରାଶି ଓ ୧୪ ହଜାର ଟଙ୍କା କାର୍ଯ୍ୟାଳୟ ଖର୍ଚ ମିଳିବ ।
ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭତ୍ତା କେତେ ହ୍ରାସ 
ମନ୍ତ୍ରୀଙ୍କ ବେତନ ଓ ଭତ୍ତା ବିଧେୟକ ୨୦୨୦ରେ ମଧ୍ୟ ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀଙ୍କ ଭତ୍ତା ମାସିକ ୩୦୦୦ ଟଙ୍କା ବଦଳରେ ୨୧୦୦ ଟଙ୍କା, କ୍ୟାବିନେଟ୍ ମନ୍ତ୍ରୀଙ୍କ ଭତ୍ତା ମାସିକ ୨୦୦୦ ଟଙ୍କା ବଦଳରେ ୧୪୦୦ ଟଙ୍କା ଓ ରାଷ୍ଟ୍ରମନ୍ତ୍ରୀଙ୍କ ଭତ୍ତା ୧୦୦୦ ବଦଳରେ ୭୦୦ ଟଙ୍କା ମିଳିବ ।
ମାସିକ ୨.୩୪ କୋଟି ଟଙ୍କା ସଞ୍ଚୟ 
ସଂସଦର ଦୁଇ ସଦନରେ ୭୯୦ ସାଂସଦ ଅଛନ୍ତି । ଏମାନଙ୍କ ମଧ୍ୟରୁ ଲୋକସଭାର ସଦସ୍ୟ ସଂଖ୍ୟା ୫୪୫ ଓ ରାଜ୍ୟସଭାରେ ୨୪୫ । ବର୍ତମାନ ଲୋକସଭାରେ ୫୪୨ ଜଣ ଓ ରାଜ୍ୟସଭାରେ ୨୩୮ ଜଣ ସଦସ୍ୟ ରହିଛନ୍ତି । ଏହି ଆଦାରରେ ବର୍ତମାନର ୭୮୦ ଜଣ ସାଂସଦଙ୍କ ନିମନ୍ତେ ଦରମା ଓ ଆନୁଷଙ୍ଗିକ ଭତ୍ତା ହ୍ରାସ ପରେ ମାସିକ ୨.୩୪ କୋଟି ଟଙ୍କା ସଞ୍ଚୟ ହେବା ଆଶା ରହିଛି ।
ସେହିପରି ସାଂସଦ କ୍ଷେତ୍ର ବିକାଶ ନିଧି (ଏମପିଲାଡ଼ ) ସମ୍ପର୍କରେ କେନ୍ଦ୍ର ସରକାର କହିଛନ୍ତି ଯେ ସାଂସଦ ହାତପାଣ୍ଠିକୁ ବର୍ତମାନ ସମୟରେ ଅସ୍ଥାୟୀ ଭାବରେ ୨ ବର୍ଷ ପାଇଁ ସ୍ଥଗିତ ରଖାଯାଇଛି । ଲୋକଙ୍କ ସହାୟତା ନିମନ୍ତେ କିଛି ବଡ଼ ନିଷ୍ପତ୍ତି ନେବାକୁ ପଡ଼ୁଛି ଏବଂ ଏହା ତାହାର ଅଂଶବିଶେଷ ।
ସୂଚନାଯୋଗ୍ୟ ଯେ ୭୮୦ ଜଣ ସାଂସଦଙ୍କ ହାତପାଣ୍ଠି ସ୍ଥଗିତ କରାଯିବା ଦ୍ବାରା ୨ ବର୍ଷରେ ୭୮୦୦ କୋଟି ଟଙ୍କା ସଞ୍ଚୟ ହୋଇ ପାରିବ ।

Comments are closed.