କାଗଜ କଲମରେ ସରକାରୀ ଯୋଜନା, କାଠ ବିକିଲେ ଚୁଲି ଜଳେ

କେନ୍ଦୁଝରଗଡ଼: ଆଦିମ ଜନଜାତି ଜୁଆଙ୍ଗ ସମେତ ଅନୁସୂଚିତ ଜନଜାତିବର୍ଗ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ସରକାରୀସ୍ତରରେ ଯୋଜନା ପରେ ଯୋଜନା ପ୍ରଣୟନ ହୋଇ କାର୍ଯ୍ୟକାରୀ ହୋଇଆସୁଛି। ତେବେ ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ବାବୁମାନଙ୍କ ଆବଶ୍ୟକ ତଦାରଖ ଅଭାବରୁ ଜନଜାତିଙ୍କ ବିକାଶ ଯେଉଁ ତିମିରେକୁ ସେଇ ତିମିରେ ରହିଯାଇଛି। ଖଣି ଓ ଶିଳ୍ପରେ ଭରପୁର କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ଓ ବିଶେଷକରି ଜନଜାତି ଭୂୟାଁ ସମ୍ପ୍ରଦାୟ ଲୋକେ ଏବେବି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀଜଳ, ଗମନାଗମନ ଭଳି ମୌଳିକ ସୁବିଧା ସେମାନଙ୍କ ପାଇଁ ସାତସପନ ପାଲଟିଛି। ପ୍ରାଚୁର୍ଯ୍ୟରେ ଭରପୂର ଏହି ଜିଲାବାସୀ ଦାରିଦ୍ର୍ୟତାର କଷାଘାତରେ ଜର୍ଜରିତ ଥିବାବେଳେ ପେଟକୁ ମୁଠାଏ ଅନ୍ନ ପାଇଁ ଏମାନେ ଜଙ୍ଗଲସମ୍ପଦ ଉପରେ ନିର୍ଭରଶୀଳ ହୋଇ ଦୈନିକ ଶହ ଶହ ମୂଲ୍ୟବାନ ଗଛ କାଟିଥାନ୍ତି।

ବିଶେଷକରି ବାଂଶପାଳ ବ୍ଲକରେ ବାସ କରୁଥିବା ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟ ଲୋକେ ଜଙ୍ଗଲସମ୍ପଦକୁ ନିର୍ଭର କରି ବର୍ଷତମାମ ସେମାନଙ୍କ ପରିବାର ପ୍ରତିପୋଷଣ କରଥାନ୍ତି। ଜିଲାର ଏହି ଆଦିମ ଜନଜାତିର ପୁରୁଷମାନେ ଦୈନିକ ନିକଟସ୍ଥ ସଂରକ୍ଷିତ ଜଙ୍ଗଲକୁ ଯାଇ ଗଛକୁ କାଟି ଚାଲି ଆସିଥାନ୍ତି। ଗଛ ତଳେ ପଡ଼ି ଶୁଖିଯିବା ପରେ ଏହାକୁ ଜାଳେଣି କାଠ ଭାବେ କାଟିବା ପରେ ମହିଳାମାନେ ଛୋଟ ଛୋଟ ଶିଶୁଙ୍କୁ କୋଳ କରି ଅତିକମ୍ରେ ୧୦ ରୁ ୧୫ କି.ମି.ଦୂର ବିପଦସଙ୍କୁଳ ଅବସ୍ଥାରେ ମୁଣ୍ଡରେ ବୋଝେଇ କେନ୍ଦୁଝର ସହରକୁ ଦୈନିକ ବିକ୍ରି ପାଇଁ ଆସିବା କିଛି ନୂଆକଥା ନୁହେଁ। ଜାଳେଣି କାଠ ବିକିଲେ ଏମାନଙ୍କ ଘରେ ଚୁଲି ଜଳେ। ଏହି ଆଦିମ ଜନଜାତିଙ୍କ ଜିବୀକା ନିର୍ବାହ ପାଇଁ ସରକାରୀସ୍ତରରେ ଜୁଆଙ୍ଗ ଉନ୍ନୟନ ସଂସ୍ଥା, ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା, ଓଡିଶା ଜୀବିକା ମିଶନ ସାଙ୍ଗକୁ ନିକଟରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକ୍ଷମ ହୋଇ ଆସୁଥିଲେ ହେଁ ଏହାର ସଠିକ୍ ତଦାରଖ ଅଭାବରୁ ବହୁ ପରିବାର ଓଳିଏ ଖାଇ ଓଳିଏ ଉପାସରେ ଦିନ କାଟିବାକୁ ବାଧ୍ୟ ହୋଇଥାନ୍ତି। ଫଳସ୍ୱରୂପ ଭୋକ ମେଣ୍ଟାଇବା ପାଇଁ ଏହି ନୀରିହ ଆଦିବାସୀମାନେ ଘଞ୍ଚ ଜଙ୍ଗଲରୁ ଦୈନିକ ଶହ ଶହ ମୂଲ୍ୟବାନ ଗଛ କାଟି ଜାଳେଣି କାଠ ଭାବେ ବିକ୍ରି କରିବାକୁ ବାଧ୍ୟ ହୋଇଥାନ୍ତି। ଏହାର ସୁଯୋଗ ନେଇ କାଠ ମାଫିଆ ମାନେ ନୀରିହ ଏହି ଆଦିବାସୀଙ୍କୁ ଢ଼ାଲ କରି ବହୁ ପୁରାତନ ଶାଳ ପିଆଶାଳ ଭଳି ମୂଲ୍ୟବାନ ଗଛକୁ କାଟି ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରି ମାଲେମାଲ ହେବା ଘଟଣା କାହାକୁ ଅଛପା ନୁହେଁ।

ଆଦିବାସୀଙ୍କ ଜିବନ ଜୀବିକା ନାମରେ ଗଛ କଟାକୁ କିଭଳି ରୋକାଯାଇ ପାରିବ ସେ ନେତ୍ତ ତତ୍କାଳୀନ ଜିଲାପାଳ ଓ ଡିଏଫ୍ଓଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲେ ହେଁ ସଚେତନତା ଅଭାବରୁ ଏହା ଫଳପ୍ରଦ ହୋଇପାରି ନଥିଲା। ଜିଲାର ଏହି ଆଦିମ ଜନଜାତିଙ୍କ ପେଟର ଭୋକ ମେଣ୍ଟି ପାରୁନଥିବା ବେଳେ ଏମାନଙ୍କ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟଜଳ ଭଳି ମୌଳିକ ଆବଶ୍ୟକତା ସାତସପନ। ଏଭଳିକି ସ୍ୱାଧିନତାର ଦୀର୍ଘ ୭୪ବର୍ଷ ପରେ ମଧ୍ୟ ଏମାନଙ୍କ ନିକଟରେ ସଭ୍ୟତା ଏବେବି ଅପହଞ୍ଚ। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଏହି ଆଦିମ ଜନଜାତି ସର୍ବଦା ନିଶାସକ୍ତ ହୋଇ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ କଥାକଥାକେ ଜଘନ୍ୟ ହତ୍ୟାକାଣ୍ଡ ଭିଆଇବା ଜିଲାର ବାଂଶପାଳ, ତେଲକୋଇ, ଯୋଡା ଓ ହରିଚନ୍ଦନପୁର ଆଦି ବ୍ଲକମାନଙ୍କରେ କିଛି ନୂଆକଥା ନୁହେଁ। ଏଭଳିସ୍ଥିତିରେ ଏହି ଆଦିମ ଜନଜାତିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ହେଲେ ଏମାନଙ୍କୁ କର୍ମସଂସ୍ଥାନ ଯୋଗାଣ ସହ ଖାଦ୍ୟସୁରକ୍ଷା ନିଶ୍ଚିତ କରାଯାଇପାରିଲେ ଜଙ୍ଗଲସମ୍ପଦ ସଂରକ୍ଷଣ କରାଯାଇ ପାରନ୍ତା ବୋଲି ବିଶିଷ୍ଟ ପରିବେଶବିତ୍ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ.ବିମ୍ବାଧର ବେହେରା ମତବ୍ୟକ୍ତ କରିଛନ୍ତି।

Comments
Loading...