ରିଆତିରେ ମିଳିବ ଚିନି, ଲାଭ ପାଇବେ ୧୬ କୋଟି ପରିବାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦେଶର ୧୬.୩ କୋଟି ଅତିରିକ୍ତ ପରିବାରକୁ ସବସିଡି ବା ରିଆତିରେ ଚିନି ଦେବାକୁ ପ୍ରସ୍ତୁତି କରୁଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‍) ଅନୁସାରେ ଏହି ପରିବାରଙ୍କୁ ୧ କିଲୋଗ୍ରାମ ଚିନି ରିଆତି ଦରରେ ଦିଆଯିବ। ଏହି ପଦକ୍ଷେପ ଜରିଆରେ ସରକାର ମୌସୁମୀ ପୂର୍ବରୁ ଦେଶରେ ବହୁ ପରିମାଣରେ ଗଚ୍ଛିତ ଚିନିକୁ ବାଣ୍ଟିଦେବାକୁ ଚାହୁଁଛି।
ସୂଚନା ଅନୁସାରେ ଖାଦ୍ୟ ମନ୍ତ୍ରାଳୟ ନୂଆ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ରିଆତି ଚିନି ଦେବା ସୀମାକୁ ବୃଦ୍ଧି କରିବାକୁ ସୁପାରିଶ କରିଥିଲା। କ୍ୟାବିନେଟ ମନ୍ତ୍ରାଳୟକୁ ପିଡିଏସ୍‍ ଜରିଆରେ ଅତିରିକ୍ତ ଖାଦ୍ୟ ପଦାର୍ଥ ବଣ୍ଟନ କରିବାକୁ ପ୍ରସ୍ତାବ ମାଗିଛି। ପିଡିଏସ୍‍ ଜରିଆରେ ଅତିରିକ୍ତ ଖାଦ୍ୟ ପଦାର୍ଥର ବିତରଣ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଦ୍ୱାରା କରାଯାଇଥାଏ।
ବର୍ତ୍ତମାନ ସରକାର ଅନ୍ତୋଦୟ ଅନ୍ନ ଯୋଜନାରେ ପ୍ରାୟ ୨.୫ କୋଟି ପରିବାରକୁ କିଲୋ ପ୍ରତି ୧୩.୫ ଟଙ୍କାର ରିଆତି ଦରର ଚିନି ଯୋଗାଇ ଦେଉଛି। ଏଥିରେ ୧୬.୨୯ କୋଟି ପରିବାରକୁ ଅନ୍ତର୍ଭୁକ୍ତ କରାଗଲେ ସରକାରୀ ରାଜକୋଷ ଉପରେ ୪,୭୨୭ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ। ମନ୍ତ୍ରାଳୟ ଚିନିକୁ ଛାଡ଼ି ଚାଉଳ ଓ ଅନ୍ୟ କେତେକ ଖାଦ୍ୟ ପଦାର୍ଥର ବିତରଣ ୧ରୁ ୨ କିଲୋ ବୃଦ୍ଧି କରିବାକୁ ବିଚାର କରୁଛି।

Comments are closed.