ରେମଡେସିଭିର ଔଷଧ ଯୋଗାଣ କୋଟା ବୃଦ୍ଧି କଲେ କେନ୍ଦ୍ର ସରକାର

ଦେଶର କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ରେମଡେସିଭର୍ ଔଷଧ ଯୋଗାଣ କୋଟାରେ ବୃଦ୍ଧି କରାଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ କରୋନା ସଂକ୍ରମିତ ରୋଗୀଙ୍କ ପାଇଁ ରେମଡେସିଭର୍ ଔଷଧ ଆବଶ୍ୟକତା ଥିବା ବେଳେ କିଛିଦିନ ହେବ ତାହା ପର୍ଯ୍ୟାପ୍ତ ଭାବେ ମିଳୁନଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଅସୁବିଧାର ସମାଧାନ ପାଇଁ ତଥା ଆନ୍ତ – ରାଜ୍ୟ ଯୋଗାଣକୁ ସୁଗମ କରିବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଫାର୍ମାସ୍ୟୁଟିକାଲ୍ସ ବିଭାଗ ମିଳିତ ଭାବେ ୧୯ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ରେମଡେସିଭର ଔଷଧ ମଧ୍ୟବର୍ତ୍ତୀକାଳୀନ ଆବଶ୍ୟକତା ପୂରଣ ପାଇଁ ଆବଣ୍ଟନ କରିଥିଲେ। ପୁଣିଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ପାଇଁ ଏହି ଔଷଧ କୋଟା ବୃଦ୍ଧି କରାଯାଇଥିବା କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ସଦାନନ୍ଦ ଗୌଡା କହିଛନ୍ତି। ମୋଟ ୧୬ ଲକ୍ଷ ରେମଡେସିଭିର ଔଷଧ ଯୋଗାଣ ଆରମ୍ଭ ହୋଇଛି ଓ ଚଳିତ ମାସ ଶେଷ ସୁଦ୍ଧା ଏହି କୋଟା ପୂରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଆବଣ୍ଟନ ଅନୁଯାୟୀ, ଦିଲ୍ଲୀକୁ ୭୨ ହଜାର ଭାଏଲ ରେମଡେସିଭିର ଔଷଧ ଦିଆଯିବାକୁ ଥିବା ବେଳେ ଛତିଶଗଡକୁ ୭୫ ହଜାର ଭାଏଲ, ଗୁଜୁରାଟକୁ ୧ ଲକ୍ଷ ୬୫ ହଜାର ଭାଏଲ, ହରିୟାଣାକୁ ୩୫ ହଜାର ଭାଏଲ, ଆନ୍ଧ୍ରପ୍ରଦେଶକୁ ୬୦ ହଜାର ଭାଏଲ, ମଧ୍ୟପ୍ରଦେଶକୁ ୯୫ ହଜାର ଭାଏଲ, ମହାରାଷ୍ଟ୍ରକୁ ୪ ଲକ୍ଷ ୩୫ ହଜାର ଭାଏଲ, ପଞ୍ଜାବକୁ ୨୨ ହଜାର ଭାଏଲ, ରାଜସ୍ଥାନକୁ ୬୭ ହଜାର ଭାଏଲ, ତାମିଲନାଡୁକୁ ୫୯ ହଜାର ଭାଏଲ, ଉତ୍ତରପ୍ରଦେଶକୁ ୧ ଲକ୍ଷ ୬୧ ହଜାର ଭାଏଲ, ଉତ୍ତରାଖଣ୍ଡକୁ ୧୬ ହଜାର ଭାଏଲ, କର୍ଣ୍ଣାଟକକୁ ୧ ଲକ୍ଷ ୨୨ ହଜାର ଭାଏଲ ଏବଂ କେରଳକୁ ୨୪ ହଜାର ଭାଏଲ ରେମଡେସିଭିର ଔଷଧ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି।

ସେହିପରି ଆସାମକୁ ୭ ହଜାର ୫ ଶହ, ବିହାରକୁ ୪୦ ହଜାର, ଚଣ୍ଡିଗଡ଼କୁ ୫ ହଜାର, ପୁଡୁଚେରୀ, ଗୋଆ ଓ ହିମାଚଳ ପ୍ରଦେଶକୁ ୩ ହଜାର ଲେଖାଏଁ, ଜାମ୍ମୁ କାଶ୍ମୀରକୁ ୩ ହଜାର ୫ ଶହ, ଓଡିଶା ଓ ଝାଡ଼ଖଣ୍ଡକୁ ୨୧ ହଜାର ଲେଖାଏଁ, ଲଦାଖ, ଆଣ୍ଡାମାନ ନିକୋବର, ମଣିପୁର, ମେଘାଳୟ, ଅରୁଣାଚଳ ପ୍ରଦେଶ, ମିଜୋରାମ, ଦାମନ ଡ଼ିଉ, ଶିକ୍କିମ, ତ୍ରିପୁରା, ନାଗାଲାଣ୍ଡ ଓ ଲାକ୍ଷାଦ୍ଵୀପକୁ ୧ ହଜାର ଲେଖାଏଁ, ତେଲେଙ୍ଗାନାକୁ ୩୫ ହଜାର ଏବଂ ପଶ୍ଚିମବଙ୍ଗକୁ ୩୨ ହଜାର ଭାଏଲ ରେମଡେସିଭିର ଔଷଧ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି।

ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟମାନଙ୍କୁ ଚେତାବନୀ ଦିଆଯାଇଛି ଯେ ଗୁରୁତର କରୋନା ରୋଗୀଙ୍କୁ ରେମଡେସିଭର୍ ଔଷଧ ଦିଆଯାଉଥିବାରୁ, ସେହି ରୋଗୀମାନଙ୍କୁ ଯେଭଳି ଅକ୍ସିଜେନ ସହାୟତା ମିଳିପାରିବ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ। ଅନ୍ୟପକ୍ଷରେ ଏହି ଔଷଧର ଯେଭଳି କଳାବଜାରୀ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟଗୁଡ଼ିକୁ ସତର୍କ କରାଇ ଦିଆଯାଇଛି।

ଇତି ମଧ୍ୟରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଫାର୍ମା କମ୍ପାନୀଗୁଡିକ ରେମଡେସିଭର୍ ଔଷଧ ମାସିକ ୩୮ ଲକ୍ଷ ଭାଏଲରୁ ୭୪ ଲକ୍ଷ ଭାଏଲକୁ ବୃଦ୍ଧି କରିବା ସହ ୨୦ଟି ଅତିରିକ୍ତ ସ୍ଥାନରେ ଏହାର ଉତ୍ପାଦନ ପାଇଁ ଅନୁମୋଦନ କରାଯାଇଛି। ଅନ୍ୟପକ୍ଷରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରେମଡେସିଭିର ରପ୍ତାନି ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି।

Comments are closed.