ନିର୍ଭୟା ପାଣ୍ଠିରେ ପ୍ରତିଷ୍ଠା ହେବ ୧,୦୨୩ଟି ଫାଷ୍ଟଟ୍ରାକ କୋର୍ଟ

0

ନୂଆଦିଲ୍ଲୀ : ବିଚାର ଅପେକ୍ଷାରେ ପଡି ରହିଥିବା ନାବାଳିକା ଏବଂ ମହିଳାଙ୍କୁ ବଳାତ୍କାର ମାମଲାଗୁଡିକର ଶୁଣାଣି ନିମନ୍ତେ ନିର୍ଭୟା ପାଣ୍ଠି ବିନିଯୋଗରେ ୧,୦୨୩ଟି ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ସ୍ଥିର କରାଯାଇଛି। ଏ ନେଇ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରାଯାଇଥିବା ନେଇ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି କରାଯାଇଛି। ପ୍ରଥମତଃ ପୋକସୋ ଆଇନ ଅଧୀନରେ ରୁଜୁ ମାମଲା ସହିତ ଅନ୍ୟ ବଳାତ୍କାର ମାମଲାଗୁଡିକର ଶୁଣାଣି ଲାଗି ସରକାର ୧,୦୨୩ଟି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରିବେ। ଏହି ପ୍ରକଳ୍ପରେ ୭୬୭.୨୫ କୋଟି ଟଙ୍କା ବିନିଯୋଗ ହେବାର ଅଟକଳ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୯ଟି ରାଜ୍ୟରେ ୭୭୭ଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୪୬ଟି ସ୍ୱତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ ସ୍ଥାପନ କରାଯିବ। ଏହା ପୂର୍ବରୁ ଦେଶରେ ୧୦୦୦ଟି ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିବା ନିମନ୍ତେ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟ ୨୦୧୮ ଜୁଲାଇରେ ପ୍ରସ୍ତାବ ଦେଇଥିଲା। ଦ୍ୱିତୀୟତଃ ଯୌନ ନିର୍ଯାତନା ମାମଲାଗୁଡିକରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଫରେନ୍ସିକ କିଟ୍‍ ଯୋଗାଇ ଦେବାକୁ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏ ବାବଦରେ ନିର୍ଭୟା ପାଣ୍ଠିରୁ ୧୦୭ ନିମନ୍ତେ ମଞ୍ଜୁରୀ ପ୍ରଦାନ କରାଯାଇଛି। ତୃତୀୟରେ ଦେଶର ୫୦ଟି ରେଳଷ୍ଟେସନରେ ନିରୀକ୍ଷଣ ନିମନ୍ତେ କ୍ୟାମେରା ବ୍ୟବସ୍ଥା କରିବାକୁ ରେଳବାଇ ନିଗମ ଲିମିଟେଡ୍‍ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମଧ୍ୟ ମନ୍ତ୍ରାଳୟ ମଞ୍ଜୁରି ଦେଇଛି। ଏଥିରେ ୧୭.୬୪ କୋଟି ଟଙ୍କା ବିନିଯୋଗ ହେବ। ୨୦୧୨ ଡିସେମ୍ବର ୧୨ରେ ଦିଲ୍ଲୀର ଜଣେ ପାରାମେଡିକାଲ ଛାତ୍ରୀଙ୍କୁ ଗଣବଳାତ୍କାର ଓ ହତ୍ୟା ପରେ ମହିଳାଙ୍କ ସୁରକ୍ଷା ଦିଗରେ ଆରମ୍ଭ ହୋଇଥିବା ଅଭିଯାନକୁ ସମର୍ଥନ ସ୍ୱରୂପ ୨୦୧୩ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ପାଣ୍ଠି ଘୋଷଣା କରାଯାଇଥିଲା।

Leave A Reply