ଗୌରୀ ଲଙ୍କେଶ ହତ୍ୟାକାରୀଙ୍କ ଡାଏରୀରୁ ଚାଞ୍ଚଲ୍ୟକର ତଥ୍ୟ

0

ବେଙ୍ଗାଲୁରୁ : ବରିଷ୍ଠ ସାମ୍ବାଦିକ ତଥା ସାମାଜିକ କର୍ମୀ ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ସନ୍ଦିଗ୍ଧ ଅମୋଲ କାଲେଙ୍କ ଡାଏରୀରୁ ଲୋମହର୍ଷକ ତଥ୍ୟ ହାସଲ କରିଛି ତଦନ୍ତକାରୀ ପୁଲିସ। ଗୌରୀଙ୍କୁ ହତ୍ୟା ପାଇଁ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ୫୦ ଦକ୍ଷ ‘ସୁଟର’ଙ୍କୁ ବଛା ଯାଇଥିଲା। କେବଳ ଗୌରୀ ନୁହେଁ; ଏମାନଙ୍କ ନିଶାଣରେ ମୋଟ ୩୬ଜଣ ଥିଲେ ବୋଲି ଏହି ଡାଏରୀରେ ଉଲ୍ଲେଖ ରହିଛି। ବିଭିନ୍ନ ସାଂକେତିକ ଶବ୍ଦରେ ଏମାନଙ୍କୁ ହତ୍ୟା କରାଯିବାର ଯୋଜନା ଲିପିବଦ୍ଧ ହୋଇଛି। କର୍ଣ୍ଣାଟକର ୧୦ଜଣଙ୍କ ସହ ମହାରାଷ୍ଟ୍ରର ବହୁ ବିଶିଷ୍ଟ ବ୍ୟକ୍ତି ହତ୍ୟା ନିଶାଣରେ ଥିଲେ ବୋଲି ପୁଲିସ ଏହି ଡାଏରୀରୁ ଜାଣିବାକୁ ପାଇଛି।
ହତ୍ୟାର ଶିକାର ହେବାକୁ ଥିବା ଏହି ବ୍ୟକ୍ତିମାନଙ୍କୁ ଡାଏରୀରରେ ‘ହିନ୍ଦୁ ବିରୋଧୀ’ ବୋଲି ଦର୍ଶାଯାଇଛି। ଉପରୋକ୍ତ ଦକ୍ଷ ସୁଟରଙ୍କୁ କର୍ଣ୍ଣାଟକର ବେଲଗାମ୍‍, ହୁବୁଳି ସହିତ ମହାରାଷ୍ଟ୍ରର ପୁଣେଠାରେ ବୋମା ନିର୍ମାଣ ସହ ବିଭିନ୍ନ ମାରଣାସ୍ତ୍ର ବ୍ୟବହାର ସମ୍ପର୍କରେ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା। କାଲେ ସେମାନଙ୍କୁ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଗୋଆର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କଠୋର ହିନ୍ଦୁବାଦୀଙ୍କ ସହ ସମ୍ମିଳନୀରେ ପହଞ୍ଚାଉଥିଲେ। ସେମାନଙ୍କ ମଧ୍ୟରୁ ସବୁଠୁ ସାହସୀ କିଏ ତାହା ସେଠାରେ ଲକ୍ଷ୍ୟ କରାଯାଉଥିଲା। ଗତବର୍ଷ ସେପ୍ଟେମ୍ବର ୫ରେ ଗୌରୀଙ୍କ ହତ୍ୟା ଅଭିଯୁକ୍ତ ପର୍ଶୁରାମ ୱାଘମାରେ ୨୦୧୨ରେ ଅନୁଷ୍ଠିତ ସବୁଠୁ ସାହସୀ ସୁଟର ଚୟନ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ବିବେଚିତ ହୋଇଥିଲା। ବିଜୟପୁରଠାରେ ପାକିସ୍ତାନୀ ପତାକା ଉତ୍ତୋଳନ କରି ସେ ସବୁଠୁ ଦୁର୍ଦ୍ଧର୍ଷ ବିବେଚିତ ହୋଇଥିଲା। ଗୌରୀଙ୍କ ହତ୍ୟା ଯୋଜନାକୁ ସଫଳ କରିବା ପାଇଁ ୱାଘମାରେକୁ ମାସକ ପୂର୍ବରୁ ବସ୍‍ ଭଡ଼ା ବାବଦକୁ ୩ହଜାର ଓ ଖାଇବା ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୦ହଜାର ଟଙ୍କା ଅଗ୍ରିମ ଦିଆଯାଇଥିଲା ବୋଲି ଡାଏରୀରେ ଉଲ୍ଲେଖ ରହିଛି। କାଲେ ଓ ୱାଘମାରେ କଠୋରବାଦୀ ହିନ୍ଦୁ ସଂଗଠନ ସହିତ ସକ୍ରିୟ ସମ୍ପୃକ୍ତ ଥିବା ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ଗୌରୀଙ୍କୁ ଦୁଇ ଜଣ ଆତତାୟୀ ଏକ ମୋଟର ସାଇକଲରେ ଆସି ତାଙ୍କ ଘର ସମ୍ମୁଖରେ ହତ୍ୟା କରିଥିଲେ। ଏହା ପୂର୍ବରୁ ସେମାନେ ତିନି ଥର ଏଥିପାଇଁ ଉଦ୍ୟମ କରିଥିଲେ। ଏହି ହତ୍ୟାକାଣ୍ଡର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ୬ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟ ତିନି ଜଣଙ୍କୁ ଖୋଜୁଛି। ଏହି ଗୋଷ୍ଠୀ ପୂର୍ବରୁ ମୁମ୍ବଇରେ ବିଶିଷ୍ଟ ଚିନ୍ତାନାୟକ ପ୍ରଫେସର କୁଲବର୍ଗୀ ଓ ଗୋବିନ୍ଦ ପାନ୍‍ସାରେଙ୍କୁ ହତ୍ୟା କରିଥିଲେ ବୋଲି ସନ୍ଦେହ କରାଯାଉଛି।

Leave A Reply