୧୩ ଗରିଲା କରୋନା ପଜିଟିଭ

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ସିଂହମାନେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ଗରିଲା ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଖବର ମିଳିଛି। ଏହା ଏବେ ଚିନ୍ତାର ବିଷୟ ପାଲଟିଛି। ଜର୍ଜିଆସ୍ଥିତ ଆଟଲାଣ୍ଟା ଚିଡିଆଖାନାର ୧୩ ଗରିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଗରିଲାଙ୍କ ମଧ୍ୟରେ ସବୁଠାରୁ ବୟସ୍କ ୬୦ ବର୍ଷୀୟ ଗରିଲା ମଧ୍ୟ ଅଛି।
ଚିଡିଆଖାନାର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, କିଛି ଗରିଲା ଅସୁସ୍ଥ ଥିବା କର୍ମଚାରୀ ଲକ୍ଷ୍ୟ କରିଥିଲେ। ଏହାପରେ ଚିଡିଆଖାନା ପରିସରରେ ଥିବା ଏକ ଲ୍ୟାବରେ ୨୦ ଗରିଲାଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୩ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାସହ ଲୋୱାସ୍ଥିତ ଜାତୀୟ ଭେଟେରାନି ସର୍ଭିସ ଲ୍ୟାବକୁ ଏହି ରିପୋର୍ଟ ପୁର୍ନବାର ଅନୁଧ୍ୟାନ ନିମନ୍ତେ ପଠାଯାଇଛି। ଗରିଲାଙ୍କ ଯତ୍ନ ନେଉଥିବା କିଛି କର୍ମଚାରୀଙ୍କ ଠାରୁ ଗରିଲାଙ୍କୁ ଭୂତାଣୁ ବ୍ୟାପିଥିବା ନେଇ ସନ୍ଦେହ କରାଯାଉଛି। ମାତ୍ର ସମସ୍ତ କର୍ମଚାରୀ ୨ଟି ଯାକ ପାନ ଟିକା ନେଇସାରିଥିବା ନେଇ କର୍ତ୍ତୃପକ୍ଷ କହିଛନ୍ତି। ଏହାସହ କର୍ମଚାରୀମାନେ ଗ୍ଲୋଭସ ଓ ମୁହଁରେ ମାସ୍କ ମଧ୍ୟ ବ୍ୟବହାର କରନ୍ତି। ତେବେ ଏହା ସତ୍ତେ୍ୱ କିପରି ଗରିଲାଙ୍କୁ କରୋନା ବ୍ୟାପିଲା ତାହା ଚିନ୍ତାର କାରଣ ପାଲଟିଛି। ଆଟାଲାଣ୍ଟା ଚିଡିଆଖାନା ପକ୍ଷରୁ ଖୁବ ଶୀଘ୍ର ସମସ୍ତ ଗରିଲାଙ୍କୁ ଟିକାକରଣ କରାଯିବ ଏହାସହ ଏବେ ସେଠାରେ ବାଘ,ସିଂହ ଆଦି ପ୍ରାଣୀଙ୍କ ଟିକାକରଣ ଚାଲିଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

 

Comments are closed.