ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ବନ୍ଦ ରହିବ ଭୈରବୀ ମନ୍ଦିର

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହରଡଙ୍ଗ ଠାରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମାଆ ସିଦ୍ଧ ଭୈରବୀ ପିଠ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଥିବା ବେଳେ ମନ୍ଦିର ବନ୍ଦ ରହୁଥିବାରୁ ଏଠାକୁ ଆସୁଥିବା ଶହଶହ ଭକ୍ତ ମାଆଙ୍କ ଦର୍ଶନ ନ ପାଇ ମନ ଦୁଃଖରେ ଫେରୁ ଥିବା ଦେଖିବାକୁ ମିଳିଛି। କରୋନା କଟକଣା କୋହଳ ହେବା ପରେ ରାଜ୍ୟରେ ଗତ ୩ ତାରିଖରୁ ସମସ୍ତ ମନ୍ଦିର ଖୋଲିବା ସହ କରୋନା କଟକଣା ମାନି ଭକ୍ତ ମାନଙ୍କୁ ଭଗବାନ ଦର୍ଶନ କରିବାକୁ ମନ୍ଦିର ପରିସରକୁ ଛାଡ଼ିବାକୁ ନିର୍ଦ୍ଦେଶନା ଦିଆଯାଇଥିଲା। କିନ୍ତୁ ଅଦ୍ୟାବଧି ଭୈରବୀ ମନ୍ଦିର ଖୋଲାଯାଇଥିବା ଦେଖିବାକୁ ମିଳିଛି। ଏହି ମନ୍ଦିର ଦର୍ଶନ ନିମନ୍ତେ ଓଡ଼ିଶା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶର ଶତାଧିକ ଭକ୍ତ ସମେତ ବହୁ ମାନସିକ ଧାରୀ ପ୍ରତିଦିନ ଏଠାରେ ଗହଳି ଜଣାଇଥାନ୍ତି। ଏଥି ସହ ବର୍ତ୍ତମାନ ପିକନିକ ଋତୁ ଚାଲିଥିବାରୁ ଅନେକ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସି ମାଆଙ୍କ ଦର୍ଶନ ନ କରିପାରି ମନ୍ଦିର ବାହାରେ ପୂଜା କରି ଫେରୁଛନ୍ତି। ଏହି ଘଟଣା ନେଇ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତଥା ଭୈରବୀ ମନ୍ଦିର ସଂକ୍ରାନ୍ତି ପୂଜା କମିଟି ସଭାପତି ପୂର୍ଣ୍ଣ ସାହୁଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି।

ମନ୍ଦିର ଖୋଲିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଲିଖିତ ସୂଚନା ତାଙ୍କୁ ମିଳିପାରି ନ ଥିବାରୁ ସେମାନେ ମନ୍ଦିର ବନ୍ଦ ରଖିଛନ୍ତି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କମିଟି ସଦସ୍ୟ ମାନେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କ ସହ ସାକ୍ଷାତ କରି ମନ୍ଦିର ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ଅନ୍ୟ ପଟେ ଗତ ଦଶହରା ଅଷ୍ଟମୀରେ ମନ୍ଦିରରେ କୋଭିଡ ନିୟମ ମାନି କେବଳ କମିଟି ସଦସ୍ୟ ଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଉଥିବା ବେଳେ କନିଷି ତହସିଲଦାର ଓ ଗୋଳନ୍ଥରା ପୁଲିସ ପକ୍ଷରୁ ମନ୍ଦିର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ମନ୍ଦିର ବନ୍ଦ ରହିଥିବା ବେଳେ କେବଳ କେତେକ ପୂଜକଙ୍କ ଦ୍ୱାରା ମନ୍ଦିର ର ଦୈନିନ୍ଦିନ ପୁଜା ପାଠ ଚାଲୁରହିଛି ‌। ଅନ୍ୟ ପଟେ ମନ୍ଦିର ପୂଜକ ଭୈରବ ରଣାଙ୍କ ସହ ଯୋଗାଯୋଗ ବେଳେ ସେ ସୂଚନା ଦେଇଛନ୍ତି ଯେ ମନ୍ଦିର ଆସନ୍ତା ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପୂଜକ କମିଟି ପକ୍ଷରୁ ଜିଲ୍ଲାପାଳ ସମେତ ଅନ୍ୟ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଏହି ପିଠରେ ଓଡ଼ିଶା ସମେତ ପଡୋଶୀ ଆନ୍ଧ୍ର ପ୍ରଦେଶ ରୁ ଦୈନିକ ଶହ ଶହ ଭକ୍ତ ଭିଡ଼ ଜମାଇବା ଆଶଙ୍କା ରହିଥିବା ବେଳେ ମନ୍ଦିର କମିଟି ପକ୍ଷରୁ କୋଭିଡ ନିୟମ ପାଳନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରା ନ ଯିବାର ଆଶଙ୍କା ରହିଥିବ ରୁ ସେମାନଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି। କିନ୍ତୁ ଯାହା ହେଲେ ମଧ୍ୟ ମନ୍ଦିର ଖୋଲିବା ସହ ଭକ୍ତଙ୍କ ନିମନ୍ତେ ମାଆଙ୍କ ଦର୍ଶନ କରିବାର ସୁଯୋଗ ଦେବାକୁ ଦାବି ହେଉଛି।

Comments are closed.