ଓଡ଼ିଶା ହେବ ଦେଶର ୧ ନମ୍ବର କ୍ରୀଡ଼ା ରାଜ୍ୟ: ଗୋପୀଚାନ୍ଦ

0

ଭୁବନେଶ୍ବର : ଦେଶର କ୍ରୀଡ଼ା ରାଜଧାନୀ ଭାବେ ପରିଚିତ ଭୁବନେଶ୍ବରରେ ଆଉ ୫ଟି କ୍ରୀଡ଼ାର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ର ସୃ​‌ଷ୍ଟିହୋଇଛି। ଅଭିନବ ବିନ୍ଦ୍ରା କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ପରେ ସୋମବାର ଦୌଡ଼କୁଦ, ବ୍ୟାଡ୍‌ମିଣ୍ଟନ, ଫୁଟବଲ, ଭାରୋତ୍ତୋଳନ ଓ ସ୍ପୋର୍ଟସ ମେଡିସିନ୍ ହାଇପରଫର୍ମାନ୍‌ସ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ଟି ହାଇପରଫର୍ମାନ୍‌ସ କେନ୍ଦ୍ର ସହ ସ୍ପୋର୍ଟସ ୱାଲ୍ କ୍ଲାଇମ୍ବିଂକୁ ଉଦ୍‌ଘାଟନ କରିଛନ୍ତି।
ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ଓ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ପାଇଁ ବିିଭିନ୍ନ କମ୍ପାନୀଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହିତ କ୍ରୀଡ଼ା ପାଇଁ ଆଉ ଏକ ଐତିହାସିକ ଦିନ ବୋଲି କହିଥିଲେ। ବ୍ୟାଡ୍‌ମିଣ୍ଟନ ହାଇପରଫର୍ମାନ୍‌ସ କେନ୍ଦ୍ର ମୁଖ୍ୟ ପୁଲୈଲା ଗୋପୀଚାନ୍ଦ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ନୂତନ ପଦକ୍ଷେପ ଓ ପ୍ରୋତ୍ସାହନକୁ ପ୍ରଶଂସା କରିଥିଲେ। ଓଡ଼ିଶା ସମଗ୍ର ଦେଶ ପାଇଁ କ୍ରୀଡ଼ା କ୍ଷେତ୍ରରେ ନୂଆ ଉଦାହରଣ ସୃଷ୍ଟିକରିଛି। ଆଗକୁ ଓଡ଼ିଶା ହିଁ ଦେଶର ଶ୍ରେଷ୍ଠ କ୍ରୀଡ଼ା ରାଜ୍ୟ ଭାବେ ପରିଗଣିତ ହେବ ବୋଲି ଗୋପୀଚାନ୍ଦ କହିଥିଲେ। କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବେଲେ ମଧ୍ୟ ଓଡ଼ିଶା ସରକାରଙ୍କ କ୍ରୀଡ଼ା ପ୍ରତି ଉତ୍ସାହକୁ ବେଶ ପ୍ରଶଂସା କରିଥିଲେ। କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଳ ଦେବ, ନିର୍ଦେଶକ ଆର. ବିନୀଳ କୃଷ୍ଣ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଗୃହ ସଚିବ ଅସିତ୍‌ ତ୍ରିପାଠୀ, ଭାରତୀୟ ଦୌଡ଼କୁଦ ମହାସଂଘ ସଭାପତି ସି.କେ. ଭାଲ୍‌ସନ, ଭାରତୀୟ ଫୁଟ୍‌ବଲ ମହାସଂଘ ନିର୍ଦେଶକ ଅଭିଷେକ ଯାଦବ, ସ୍ପୋର୍ଟ୍ସ ମେଡ଼ିସିନ୍‌ ନିର୍ଦେଶକ ଡ. ଆଶିଷ କଣ୍ଟ୍ରାକ୍ଟର, ଆସ୍‌ଲେ ଫର୍ଣ୍ଣାଣ୍ଡିଜ୍‌, କଣ୍ଣେଲ ଏଚ.ଏସ୍‌ ଚୌହ୍ବାନ ପ୍ରମୁଖ ଉପସ୍ଥିତ ଥିଲେ। ଅଲିମ୍ପିଆନ ଅନୁରାଧା ବିଶ୍ବାଳ, ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଏଭରେଷ୍ଟ ବିଜେତା ଗଣେଣ ଚନ୍ଦ୍ର ଜେନାଙ୍କ ସମେତ ବହୁ କ୍ରୀଡ଼ା ବ୍ୟକ୍ତିତ୍ବ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ରାଜ୍ୟ ସରକାର ରାଜ୍ୟରେ ୯ଟି ହାଇପରଫର୍ମାନ୍‌ସ କେନ୍ଦ୍ର ଖୋଲିବା ନେଇ ବିଭିନ୍ନ କମ୍ପାନୀଙ୍କ ସହ ନଭେମ୍ବର ୧୨ରେ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ। ଏହିକ୍ରମରେ ଗତ ୧୮ରେ କଳିଙ୍ଗ ଷ୍ଟାଡ଼ିୟମରେ ଅଭିନବ ବିନ୍ଦ୍ରା କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଖୋଲିଥିବା ବେଳେ ସୋମବାର ଆଉ ୫ଟି କେନ୍ଦ୍ର ଖୋଲିଛି। ଖୁବ୍‌ ଶୀଘ୍ର ଅବଶିଷ୍ଟ ୩ଟି ହାଇପରଫର୍ମାନ୍‌ସ କେନ୍ଦ୍ର ଖୋଲିବ ବୋଲି କ୍ରୀଡ଼ା ସଚିବ ବିଶାଳ ଦେବ ସୂଚନା ଦେଇଥିଲେ।
ଆଥ୍‌ଲେଟିକ୍‌ସ: ରିଲାଏନ୍‌ସ ଆଥ୍‌ଲେଟିକ ସେଣ୍ଟର ଫର ଏକ୍ସଲେନ୍‌ସ ରିଲାଏନ୍‌ସ କମ୍ପାନୀ ପକ୍ଷରୁ ଖୋଲିଛି। ଯେଉଁଠାରେ ଦେଶ ଓ ବିଦେଶର ପ୍ରତିଷ୍ଠିତ ପ୍ରଶିକ୍ଷକ, ଟ୍ରେନର ଓ ଫିଜିଓ ନିଯୁକ୍ତି କରାଯିବା ସହିତ ଦେଶର କୋଣ ଅନୁକୋଣରୁ ୧୩ରୁ ୧୫ ବର୍ଷ ବୟସ୍କ ଖେଳାଳିଙ୍କୁ ମନୋନୟନ କରାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯିବ।
ବ୍ୟାଡ୍‌ମିଣ୍ଟନ: ଡାଲମିଅା ଭାରତ ଗୋପୀଚାନ୍ଦ ବ୍ୟାଡ୍‌ମିଣ୍ଟନ ଏକାଡ଼େମୀ ହାଇପରଫର୍ମାନ୍‌ସ କେନ୍ଦ୍ର ପୁଲୈଲା ଗୋପୀଚାନ୍ଦଙ୍କ ନେତୃତରେ ପରିଚାଳିତ ​‌େ​‌ହବ। ଯେଉଁଥିରେ ଖେଳାଳିଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବା ସହିତ ବିଦେଶୀ ପ୍ରଶିକ୍ଷକ, ଫିଜିଓ ଓ ଟ୍ରେନର ନିଯୁକ୍ତ ହେବେ।
ଫୁଟ୍‌ବଲ: ଓଡ଼ିଶା ସରକାର ଓ ସର୍ବଭାରତୀୟ ଫୁଟବଲ ମହାସଂଘର ମିଳିତ ସହଯୋଗରେ ଫୁଟବଲ ହାଇପରଫର୍ମାନ୍‌ସ କେନ୍ଦ୍ର ପରିଚାଳିତ ହେବ। ଦେଶର ୧୫ ଓ ୧୭ ବର୍ଷରୁ କମ୍‌ ଫୁଟବଲ ଖେଳାଳିଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବା ସହିତ ବିଦେଶୀ ପ୍ରଶିକ୍ଷକ, ଟ୍ରେନର ମଧ୍ୟ ନିଯୁକ୍ତ ହେବେ।
ଭାରୋତ୍ତୋଳନ: କେଜେଏସ୍‌ ଆଲୁୱାଲିଆ ଓ ଟେନ୍‌ୱିକ୍‌ ସ୍ପୋର୍ଟସ ପକ୍ଷରୁ ହାଇପରଫର୍ମାନ୍‌ସ ଭାରୋତ୍ତୋଳନ କେନ୍ଦ୍ର ପରିଚାଳିତ ହେବ। କଳିଙ୍ଗ ଷ୍ଟାଡ଼ିୟମରେ ଏହି କେନ୍ଦ୍ରରେ ୨୫ ଜଣ ଲେଖାଏଁ ଖେଳାଳିଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏଥିପାଇଁ ଇରାନର ଜଣେ ପ୍ରଶିକ୍ଷକଙ୍କୁ ନିଯୁକ୍ତ ମଧ୍ୟ କରାଯାଇଛି ବୋଲି ଟେନ୍‌ୱିକ୍‌ ସ୍ପୋର୍ଟସର ପରିଚାଳନା ନିର୍ଦେଶକ ଅନୀଲ କୁମ୍ବେଲେ କହିଛନ୍ତି।
ସ୍ପୋର୍ଟସ ମେଡିସିନ୍‌ କେନ୍ଦ୍ର: କ୍ରୀଡ଼ାବିତ୍‌ଙ୍କ ପାଇଁ ସ୍ପୋର୍ଟସ ମେଡିସିନ୍‌ କେନ୍ଦ୍ରର ନିତ୍ୟାନ୍ତ ଆବଶ୍ୟକତା ରହିଛି। ଉକ୍ତ କେନ୍ଦ୍ର ମଧ୍ୟ ରାଜ୍ୟ ସରକାର ଓ କେଜେଏସ୍‌ ଆଲୁୱାଲିଆ ଗ୍ରୁପ୍‌ ଦ୍ବାରା ପରିଚାଳିତ ହେବ; ଯେଉଁଥିରେ କ୍ରୀଡ଼ାବିତ୍‌ଙ୍କ ଶାରୀରକ ସୁସ୍ଥତା ନେଇ ସମସ୍ତ ପ୍ରକାର ସୁଯୋଗ ଉପଲବ୍ଧ ହେବ। କ୍ରୀଡ଼ା ଡାକ୍ତର ଓ ମନସ୍ତତ୍ତ୍ବଵିତ୍‌ ମଧ୍ୟ ନିଯୁକ୍ତ କରାଯାଇଛି।

Leave A Reply