ଗୋପବନ୍ଧୁ ହାଇସ୍କୁଲ ହେବ ସ୍ମାର୍ଟ୍ ସ୍କୁଲ, ଚାଲିଛି ଜୋରଦାର ପ୍ରସ୍ତୁତି

ଲାଞ୍ଜିଗଡ : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋପବନ୍ଧୁ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବେ ପରିଣତ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଜିଲ୍ଲା ଓ ବ୍ଲକ ପ୍ରଶାସନ ଚୂଡାନ୍ତ ରୂପରେଖା ପ୍ରସ୍ତୁତି ଜାରି ରଖିଛନ୍ତି। ଏହାକୁ ବାସ୍ତବ ରୂପ ଦେବାକୁ ନେଇ ଆଜି ସ୍କୁଲ ପରିସରରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ସ୍କୁଲ ପରିଚାଳନା କମିଟିର ସଭାପତି ଅନନ୍ତରାମ ପ୍ରଧାନୀ ପ୍ରମୁଖ ଯୋଗ ଦେଇ ପ୍ରଶାସନ ସହିତ ପୁରାତନ ଛାତ୍ରଛାତ୍ରୀ ନିଜ ସ୍କୁଲର ଉନ୍ନତି ପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ହାଇସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବହୁ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀ ସାମିଲ ହେବା ସହିତ ନିଜ ସ୍କୁଲର ଉନ୍ନତି ପାଇଁ ଶପଥ ନେଇଥିଲେ। ତେବେ ଗୋପବନ୍ଧୁ ହାଇସ୍କୁଲରେ ପାଠ ପଢିଥିବା ପୁରାତନ ଛାତ୍ରଛାତ୍ରୀମାନେ ନିଜ ସ୍କୁଲର ଉନ୍ନତି ପାଇଁ କାୟମନ ବାକ୍ୟରେ ଆଗେଇ ଆସିବାକୁ ନେଇ ଏହି ବୈଠକରେ ଆହ୍ୱାନ ଦିଆଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ବିବେଚନା କରାଯାଉଛି। ଏହାସହିତ ସେମାନେ ଯିଏ ଯେଉଁଠି ଥିଲେ ସୁ୍ଦ୍ଧା ନିଜ ସ୍କୁଲର ଉନ୍ନତି ଚିନ୍ତା କରିବାକୁ ହାଇସ୍କୁଲ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଅସ୍ଥାୟୀ ପୁରାତନ ଛାତ୍ର ସଂଘ ଗଠିତ ହୋଇଯାଇଛି। ଏଥିରେ ସଭାପତି ଭାବେ ସମାଜସେବୀ ତରୁଣ କୁମାର ଦାସ, ଉପସଭାପତି ମନୋରଞ୍ଜନ ବିଶି, ସାଧାରଣ ସଂପାଦକ ଧବଳେଶ୍ୱର ଠେଲା, ଯୁଗ୍ନ ସଂପାଦକ ବୈଶାଖୁ ନାଏକ, ସଦସ୍ୟ ଭାବେ ତାପସରଞ୍ଜନ ଦଳେଇ, ପ୍ରଣବ କୁମାର ପୁଷ୍ଟି, କୁଳମଣି ବାଣୁଆ, କେ. ସନ୍ତୋଷ ପାତ୍ର, ମାଧବ ଦଣ୍ଡସେନା, ବନମାଳୀ ଦଳେଇ ଓ ମିଡିଆ ସଂଯୋଜକ ଭାବେ ସନ୍ତୋଷ କୁମାର ତୁଳ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା।

Comments are closed.