ସୁଧୁରୁନି ଗୋପବନ୍ଧୁ ଆୟୁର୍ବେଦ କଲେଜ ସ୍ବାସ୍ଥ୍ୟସେବା

ପଞ୍ଚକର୍ମ, ଫିଜିଓଥେରାପି, ପ୍ରସୂତି, ଅସ୍ତ୍ରୋପଚାର ବନ୍ଦ

ପୁରୀ : ଓଡ଼ିଶା ମାନବାଧିକାର କମିସନଙ୍କ ନିର୍ଦେଶ ସତ୍ତ୍ବେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସ୍ବାସ୍ଥ୍ୟସେବା। ପଞ୍ଚକର୍ମ, ଫିଜିଓଥେରାପି, ଇସିଜି, ପ୍ରସୂତିଗୃହ ଏବଂ ଅସ୍ତ୍ରୋପଚାର  ଗୃହ ଆଠମାସ ହେଲା ବନ୍ଦ ହୋଇ ରହିଛି। ଏଥିଯୋଗୁଁ ରୋଗୀମାନେ ଚରମ ଦୁର୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି। ପରୀକ୍ଷା ଗୃହରେ ଅସ୍ଥାୟୀଭାବେ ବହିଃରୋଗ ବିଭାଗ ଖୋଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଉଦ୍ଦିଷ୍ଟ ଶ୍ରେଣୀଗୃହରେ ୫୦ଗୋଟି ଶଯ୍ୟା ପକାଯାଇଛି। ମାର୍ଚ୍ଚ ୨୦ତାରିଖଠାରୁ ଏପର୍ଯ୍ୟନ୍ତ ଜଣେହେଲେ ରୋଗୀଙ୍କ ଅ‌େ​ସ୍ତ୍ରାପଚାର କିମ୍ବା ପ୍ରସୂତି କରାଯାଇ ନାହିଁ। ଫିଜିଓଥେରାପି ଏବଂ ପଞ୍ଚକର୍ମରୁ ଲୋକେ ବଞ୍ଚିତ ହୋଇଛନ୍ତି।

କଲେଜର ୧୫୦ ଶଯ୍ୟା ବିଶିଷ୍ଟ ୱାର୍ଡକୁ ରାଜ୍ୟ ସରକାର କରୋନା ହାସପାତାଳରେ ପରିଣତ କରିଛନ୍ତି। ନବକଳେବର ସମୟରେ ନିର୍ମିତ ଛାତ୍ରାବାସର ତଳମହଲାରେ ଏଏନ୍‌ଏମ୍‌ ଶିକ୍ଷାକେନ୍ଦ୍ର ଖୋଲିବାକୁ ଜିଲାପାଳ ନିର୍ଦେଶ ଦେଇଛନ୍ତି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଡାକ୍ତରୀଶିକ୍ଷା, ଗବେଷଣା ଏବଂ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ୭ମାସ ପରେ ଗୋଟିଏ କୋଠରିରେ ୭ଟି ବିଭାଗର ବର୍ହିଃରୋଗ ବିଭାଗ ଖୋଲା ଯାଇଛି। ରୋଗୀଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟସେବା ଯୋଗାଇବାରେ ତାହା ସମ୍ଭବପର ହେଉନାହିଁ। ଡାକ୍ତର ଏବଂ ରୋଗୀ ବସିବାରେ ସ୍ଥାନାଭାବ ଦେଖାଦେଇଛି। ଛାତ୍ରାବାସ କୋଠାର ଦ୍ବିତୀୟ ମହଲା ଶ୍ରେଣୀଗୃହକୁ ଅନ୍ତଃରୋଗ ଚିକିତ୍ସା ବିଭାଗ କରାଯାଇଛି। ଦୁଇତାଲା ଉପରକୁ ଯାତାୟାତ କରିବାରେ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାଜ୍ୟର ଏକ ପ୍ରମୁଖ ଏବଂ ପ୍ରାଚୀନ ସରକାରୀ ଆୟୁର୍ବେଦ ଶିକ୍ଷାକେନ୍ଦ୍ର ଭାବେ ଏହି କଲେଜର ସୁନାମ ରହିଛି। ସେଠାରେ ୧୫୦ ବିଏଏମଏସ୍‌ ସ୍ନାତକ ଡାକ୍ତରୀ ଶିକ୍ଷା ବ୍ୟବସ୍ଥା ରହିଛି। ଏହାଛଡା ୪୫ଜଣ ଛାତ୍ରଛାତ୍ରୀ ସ୍ନାତକୋତ୍ତର ଶିକ୍ଷାପାଇଁ ନାମ ଲେଖାଇଛନ୍ତି।

କରୋନା ବିପତ୍ତି ଯୋଗୁଁ କଲେଜରେ ଏବେ ଅନ୍‌ଲାଇନ ଶିକ୍ଷାଦାନ କରାଯାଉଛି। ଶ୍ରେଣୀଗୃହରେ ୫୦ଟି ଶଯ୍ୟା ପକାଯାଇ ଅନ୍ତଃରୋଗ ଚିକିତ୍ସା ବିଭାଗ ଖୋଲା ଯାଇଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ସ୍ବାଭାବିକ ହେବାପରେ ଛାତ୍ରଛାତ୍ରୀ କେଉଁଠି ପାଠପଢ଼ିବେ ସେଥିନେଇ ସମସ୍ୟା ଦେଖାଯିବା ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ରାଜ୍ୟ ଆୟୁଷ ନିର୍ଦେଶକ ଗତ ୨୯ତାରିଖ ଦିନ କଲେଜ ଅଧ୍ୟକ୍ଷକଙ୍କୁ ଚିଠିଲେଖି ରିପୋର୍ଟ ମାଗିଛନ୍ତି। ଆୟୁର୍ବେଦ କଲେଜରେ କାୟଚିକିତ୍ସା, ଶଲ୍ୟ ଚିକିତ୍ସା, ଶାଲକ୍ୟ, ପ୍ରସୂତିତନ୍ତ୍ର, କୌମାରଭୃତ୍ୟ, ପଞ୍ଚକର୍ମ, ରସଶାସ୍ତ୍ର, କ୍ରିୟାଶାରୀର, ରଚନାଶାରୀର, ସ୍ବସ୍ଥବୃତ୍ତ, ନିଦାନ, ଅଗଧତନ୍ତ୍ର, ସଂହିତା ଓ ସିଦ୍ଧାନ୍ତ ବିଭାଗ ରହିଛି।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମରେ ନାମିତ ହୋଇଥିବା ଏହି କଲେଜ ୧୯୪୯ରେ ପ୍ରତିଷ୍ଠା ହୋଇଥିଲା। ପୁରୀ ସହରର କେନ୍ଦ୍ରସ୍ଥଳ ଭିଆଇପି ରୋଡ୍‌ରେ ମହାବିଦ୍ୟାଳୟ ରହିଛି। ନବନିର୍ମିତ ଛାତ୍ରାବାସ ତଳମହଲାରେ ଏଏନଏମ୍‌ ଟ୍ରେନିଂ କଲେଜ ଖୋଲିବା ନିର୍ଦେଶକୁ କେନ୍ଦ୍ରକରି ବିବାଦ ଦେଖା ଦେଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ ଜୁଲାଇ ୬ତାରିଖ ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ଯକ୍ଷ୍ମା ଓ ସଂକ୍ରାମକ ରୋଗ ହାସପାତାଳ ଭିତରେ ଏଏନଏମ୍‌ କଲେଜ ସ୍ଥାୟୀଗୃହ ନିର୍ମାଣ ପାଇଁ ଯଥାଶୀଘ୍ର ଉପଯୁକ୍ତ ଜମି ଚିହ୍ନଟ ସହ ୭ଦିନ ମଧ୍ୟରେ ବ୍ୟୟଅଟକଳ ପ୍ରସ୍ତୁତ କରିବାକୁ ପୂର୍ତ୍ତି ନିର୍ବାହୀଯନ୍ତ୍ରୀଙ୍କୁ ବୈଠକରେ ନିର୍ଦେଶ ଦିଆଯାଇଥିଲା।

ଏହି ନିର୍ଦେଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ସ୍ବାସ୍ଥ୍ୟସେବା ଏବଂ ଡାକ୍ତରୀଶିକ୍ଷା ସମ୍ପୂର୍ଣ୍ଣ ସ୍ବାଭାବିକ କରିବାକୁ ଦାବିକରି ଆଇନଜୀବୀ ରମେଶ ପ୍ରସାଦ ସିଂହଙ୍କ ସମେତ ଅବସରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମାୟାଧର ମହାରଣା, ପୁରୀ ଓକିଲ ସଂଘ ପୂର୍ବତନ ସଭାପତି ପ୍ରେମାନନ୍ଦ ମହାନ୍ତି, ଆଇନଜୀବୀ କାମଦେବ ବାହିନୀପତି, ପୁରୀ ଅର୍ବାନ ବ୍ୟାଙ୍କ ପୂର୍ବତନ ସଭାପତି ଚଣ୍ଡୀପ୍ରସାଦ ସିଂହ, ବିଜେପି ପୂର୍ବତନ ଜିଲା ସଭାପତି ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ସହରର ବହୁ ବୁଦ୍ଧିଜୀବୀ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜଭବନ ପକ୍ଷରୁ ଗତ ଅଗଷ୍ଟ ୧୦ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବଙ୍କୁ ନିର୍ଦେଶ ଦିଆଯାଇଥିଲା। ଏସବୁ ସତ୍ତ୍ବେ ଆୟୁର୍ବେଦ କଲେଜରେ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ସ୍ବାଭାବିକ ହୋଇପାରି ନାହିଁ। ମାନବାଧିକାର କମିଶନଙ୍କ ନିର୍ଦେଶକୁ ଭିତ୍ତିକରି ପରୀକ୍ଷା ହଲ୍‌ରେ ବହିଃରୋଗ ଚିକିତ୍ସା ବିଭାଗ ଏବଂ ଶ୍ରେଣୀଗୃହରେ ୫୦ଶଯ୍ୟା ବିଶିଷ୍ଟ ୱାର୍ଡ ଖୋଲାଯାଇଥିବା କଲେଜ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା ପ୍ରକାଶ କରିଛନ୍ତି।

Comments are closed.