ଗୋପାଳପୁର ମୁହାଣ ଅଞ୍ଚଳରୁ ଭାସମାନ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର: ଗୋପାଳପୁର ମୁହାଣ ଅଞ୍ଚଳରୁ ସନ୍ଧ୍ୟା ସମୟରେ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଭାସମାନ ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ବୟସ ଆନୁମାନିକ ୪୦ ବର୍ଷ ହୋଇଥିବା ପୁଲିସ ସୂଚନା ଦେଇଥିବା ବେଳେ କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ଘଟିଛି ତା‌ହାକୁ ନେଇ ପୁଲିସ ତନାଘନା ଚଳାଇଛି। ଘଟଣା ସ୍ଥଳର ଅଳ୍ପ ଦୂରରୁ ପୁଲିସ ଗୋଟିଏ ଛତା ଓ ହଳେ ଚପଲ ଉଦ୍ଧାର କରିଥିବା ଜଣାପଡିଛି।

 

ଆଜି ସନ୍ଧ୍ୟା ପ୍ରାୟ ୬ଟା ବେଳେ ନିଛାଟିଆ ତଥା ସମୁଦ୍ର ମୁହାଣ ଅଞ୍ଚଳରେ ଏକ ଅଜଣା ମହିଳାଙ୍କ ମୃତ ଦେହ ଭାସୁଥିବା ସ୍ଥାନୀୟ କେତେକ ମତ୍ସ୍ୟଜୀବୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ସମୁଦ୍ର ମଧ୍ୟରୁ କୂଳକୁ ଆଣିଥିଲେ। ଅନ୍ୟ ପଟେ ମହିଳା ଜଣଙ୍କ ଗୋପାଳପୁର ଆସି ଆତ୍ମହତ୍ୟା କରିଛନ୍ତି ନା ସମୁଦ୍ର ରେ ଗାଧୋଉଥିବା ସମୟରେ ଭାସି ଯାଇ ମୃତ୍ୟୁ ବରଣ କରିଛନ୍ତି ତାହ ସନ୍ଦେହ ସୃଷ୍ଟି କରିଛି। ଅନ୍ୟ ପଟେ ନା ମହିଳାଙ୍କୁ କେହି ମାରି ସମୁଦ୍ରରେ ଭସାଇ ଦେଇଛି ତାହା ମଧ୍ୟ ସନ୍ଦେହ ଘେରରେ ରହିଛି। ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ସମୟ ମହିଳାଙ୍କ ଶରୀରରେ କୈାଣସି ଆଘାତ ଚିହ୍ନ ନଥିବା ବେଳେ ପାଣିରେ ବୁଡି ମରିଥିବା ସନ୍ଦେହ କରାଯାଇଥିବା ଆଇଆଇସି ମାଧବାନନ୍ଦ ନାୟକ ପ୍ରକାଶ କରିଛନ୍ତି। କିନ୍ତୁ ଶବ ବ୍ୟବଚ୍ଛେଦ ପରେ ହିଁ ମୃତ୍ୟୁ ର‌ ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି।

Comments are closed.