ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମିଶିଲା ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ

ଗୋପାଳପୁର: ଆଜି ଠାରୁ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଗାଇଡ ଲାଇନ ପାଳନ କରିବ। ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଆଜି ଠାରୁ ପାଠ ପଢା ଓ ସମସ୍ତ ଅଫିସ କାମ ଆରମ୍ଭ ଏଠାରେ କରାଯିବ। ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ୨୦୧୫ରୁ ଆରମ୍ଭ ହୋଇଥିଲେ ମଧ୍ୟ ୨୦୧୮ରେ ଶିକ୍ଷକ ନିଯୁକ୍ତି ହେବା ସହ ୬ ଟି ପାଠ୍ୟକ୍ରମ ବାଇଓ ସାଇନ୍ସ ଆଣ୍ଡ ବାଈଓ ଇନଫରମେଟିକସ୍, ନେଚୁରାଲ ରିଶୋର୍ସ ମେନେଜମେଣ୍ଟ୍ ଏଣ୍ଡ୍ ଜିଓଇନଫରମେଟିକସ୍, ଲାଇବ୍ରେରୀ ଏଣ୍ଡ ଇନ୍ଫର୍ମେସନ୍ ସାଇନ୍ସ, ଟ୍ରlଭେଲ୍ ଏଣ୍ଡ ଟୁରିଜିମ ମେନେଜମେଣ୍ଟ୍, ବିଜିନେଶ ଇକୋନୋମିକସ୍, କମ୍ୟୁନିକେସନ ଏଣ୍ଡ ମିଡ଼ିଆ ଟେକ୍ନୋଲୋଜି ବିଭାଗ ଖୋଲାଯାଇଥିଲା। ଏଥିରେ ୯୬ ଜଣ ଛାତ୍ର ଛାତ୍ରୀ ଆଡ଼ମିଶନ କରିଥିବା ବେଳେ ୨୭ ଅଧ୍ୟାପକ, ଅଧ୍ୟାପିକା ନିଯୁକ୍ତି ପାଇଥିଲେ।

ପାଠ ପଢା ଓ ପରୀକ୍ଷାର ସମସ୍ୟା ଯୋଗୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି ଉଚ୍ଚଶିକ୍ଷା ବିଭାଗ ଏହାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସହ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ଆଜି ୨୭ ଅଧ୍ୟାପକ ଅଧ୍ୟାପିକା ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ପହଞ୍ଚି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ତାହା ସହ ଆବଶ୍ୟକ ଜିନିଷ ପତ୍ର ସ୍ଥାନାନ୍ତର କରାଯାଉଥିବା ଦେଖିବାକୁ ମିଳୁଛି। ଏ ନେଇ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଆସିଥିବା ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଓ ଖାଇବା ପାଇଁ ମେସର ବ୍ୟବସ୍ଥା ହୋଇଛି। ଏ ନେଇ ନୂତନ ଭାବେ ଆସିଥିବା ଅଧ୍ୟାପକଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ବର୍ତ୍ତମାନ ଆସିଥିବା ଜିନିଷ ଗୁଡ଼ିକୁ ସଜଡ଼ା ସଜଡ଼ି ଚାଲିଛି ଓ ତୁରନ୍ତ ପାଠପଢ଼ା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି। ଆଜି ଠାରୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଚିଠି ନଂ ୩୮୦୬୦ ୨୦/୯/୨୧ ପ୍ରକାରେ ବାଇଓମେଟ୍ରିକ ଆରମ୍ଭ ହୋଇଛି। ତାହା ସହ ଏସଏସବି ଜରିଆରେ ୧୬ ଜଣ ଜୁନିଅର ଆସିଷ୍ଟାଣ୍ଟ ଓ ୨ ଜଣ ସାମୁଦ୍ରିକ ବିଜ୍ଞାନ ବିଭାଗର ଶିକ୍ଷକ ,୨ ଜଣ ଷ୍ଟେନୋ ନିଯୁକ୍ତି ପାଇଥିବା ବେଳେ ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି।

Comments
Loading...