ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଗୋପାଳପୁର: ରଙ୍ଗେଈଲୁଣ୍ଡା ବ୍ଲକ ଆନ୍ତର୍ଗତ ଚିକରଡ଼ା ଗ୍ରାମର ଦୃଷ୍ଟିଶକ୍ତି ବାଧିତ ଦିବ୍ୟାଙ୍ଗ ଛାତ୍ରୀ ରିଙ୍କି ବେହେରାଙ୍କ ଉଚ୍ଚଶିକ୍ଷା ନିମନ୍ତେ ହାତ ବଢ଼ାଇଛି ଗଞ୍ଜାମ ସ୍କାଉଟ ଗାଇଡିସର ଗୁରୁ କଲ୍ୟାଣ ପାଣ୍ଠି। ରିଙ୍କି ୨୦୨୧ ମସିହା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ଚିକରଡ଼ାରୁ ପାସ କରିଥିଲେ କିନ୍ତୁ ପରିବାର ପକ୍ଷରୁ ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ଯାଉଥିଲେ। ଏହା ସହ ରିଙ୍କିଙ୍କ ବାପା କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଗତ ଦେଢ଼ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ସେବେଠାରୁ ପରିବାର ଆର୍ଥିକ ଅନଟନ ଦେଇ ଗତି କରୁଥିଲେ। ଏଣୁ ରିଙ୍କିର ମା’ ଶକୁନ୍ତଳା ବେହେରା ଆର୍ଥିକ ଅଭାବରୁ ରିଙ୍କିଙ୍କ ଉଚ୍ଚଶିକ୍ଷା ନିମନ୍ତେ ସାହାଯ୍ୟ କରିବାକୁ ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ ପ୍ରଭାତି ମହାପାତ୍ରଙ୍କ ନିକଟରେ ନିବେଦନ କରିଥିଲେ।

ବ୍ଲକ ଶିକ୍ଷାଧିକାରୀ ଡ଼. ପ୍ରଭାତୀ ମହାପାତ୍ର ରିଙ୍କିଙ୍କ ଆବେଦନକୁ ହୁଦୟଙ୍ଗମ କରି ରିଙ୍କିର ଉଚ୍ଚଶିକ୍ଷା ନିମନ୍ତେ ଗୁରୁ କଲ୍ୟାଣ ପାଣ୍ଠିରୁ ୧୦ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଆଜି ନିଜ କାର୍ଯ୍ୟାଳୟ ପରିସରରେ ରିଙ୍କିଙ୍କୁ ପ୍ରଦାନ କରିଥିଲେ। ଏହି ରାଶି ପ୍ରଦାନ ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ରଥ, ପ୍ରଶାନ୍ତ କୁମାର ସାହୁ, ବିଦୁଷା ମିଶ୍ର, ସୂର୍ଯ୍ୟ ନାରାୟଣ ବେହେରା, ସମାଜ ସେବୀ ଚନ୍ଦ୍ରମା ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହା ସହ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼ ପ୍ରଭାତି ମହାପାତ୍ରଙ୍କ ଉଦ୍ୟମ ଯୋଗେ ରିଙ୍କି ଆଜି ବ୍ରହ୍ମପୁର ସ୍ଥିତ ଡେକାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷରେ ନାମ ଲେଖାଇଥିବା ମଧ୍ୟ ଜଣାପଡିଛି।

Comments are closed.