କନିଷି ତହସିଲ କାର୍ଯ୍ୟାଳୟ ସ୍ଥାନାନ୍ତରିତ ନ କରିବା ଦାବିରେ ଦାବିପତ୍ର ପ୍ରଦାନ

ଗୋପାଳପୁର: ଭାରତୀୟ ଜନତା ପାର୍ଟି ଗୋପାଳପୁର ନିର୍ବାଚନ ମଣ୍ଡଳୀ ତରଫରୁ କନିଷି ଠାରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କନିଷି ତହସିଲ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବାର ବିରୋଧ କରାଯାଇ ଏକ ରାଲିର ଆୟୋଜନ ସହ ଦାବିପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଏକ ରାଲି କନିଷି ଜଗନ୍ନାଥ ମନ୍ଦିର ଛକରୁ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ କରିବା ସହ ଅତିରିକ୍ତ ତହସିଲଦାର ଦେବେନ୍ଦ୍ର ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଅଭିଯୋଗ ଅନୁଯାୟୀ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ୧୯୮୫ ମସିହା ଠାରୁ ଜାତୀୟ ରାଜପଥ ପାର୍ଶ୍ବରେ ଥିବା କନିଶି ଠାରେ କନିଷି ତହସିଲ୍ କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା।

କନିଶି ତହସିଲ୍ କାର୍ଯ୍ୟାଳୟ ନିଜସ୍ୱ ପକ୍କା କୋଠାରେ ଚାଲିଥିବା ବେଳେ ବର୍ତ୍ତମାନ କିଛି ଜମି ମାଫିଆଙ୍କ ଦ୍ୱାରା ପ୍ରଲୋଭିତ ହୋଇ କନିଶି ଠାରୁ ୩ କି.ମି ଦୂର ସହ ରେଳପଥ ପାର ହୋଇ କୁକୁଡ଼ାଖଣ୍ଡି ବ୍ଲକ୍ ସୀମାବର୍ତ୍ତି ଅଞ୍ଚଳ ଗୋବିନ୍ଦପୁର ମୌଜା ବାଉରୀ ଗାଁ ପାଖରେ ରାଜକୋଷରୁ ଲକ୍ଷାଧିକ ଟଙ୍କା ବିନିଯୋଗ କରି ନୂତନ ତହସିଲ କାର୍ଯ୍ୟାଳୟ ନିର୍ମାଣ କରିବାକୁ ମସୁଧା କରାଯିବା ଘୋର ଉଦବେଗର ବିଷୟ ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। କନିଶି ତହସିଲ୍ କାର୍ଯ୍ୟାଳୟ ନିକଟସ୍ଥ ଅଞ୍ଚଳରେ ଅନେକ ସରକାରୀ ଜାଗା ଥିବା ବେଳେ ନିଜର ସମ୍ପର୍କୀୟ ତଥା ଶାସକ ଦଳର କିଛି ରାଜନୈତିକ ନେତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ତହସିଲ୍ଦାର ଏଭଳି ମନମୁଖୀ କାର୍ଯ୍ୟ କରୁଥିବାରୁ ଏଥିରେ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି। ଏଣୁ ବାଉରୀ ସାହି ଠାରେ ଚାଲିଥିବା କାର୍ଯ୍ୟକୁ ତୁରନ୍ତ ବନ୍ଦ୍ କରିବା ଓ କନିଶି ତହସିଲ୍ ଅଫିସ୍ କୁ ଅଞ୍ଚଳବାସୀଙ୍କ ସୁବିଧା କାରଣରୁ କନିଶି ଅଞ୍ଚଳରେ ହିଁ ରଖାଯିବାକୁ ଦାବି ଜଣା ଯାଇଛି। ଆଜି ଅନୁଷ୍ଠିତ ବିକ୍ଷୋଭ ଓ ରାଲିରେ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ସମେତ ମଣ୍ଡଳ ସଭାପତି ସନତ କୁମାର୍ ନାୟକ, ବ୍ରଜମୋହନ ନାହକ, ୫୩ନଂ ଜୋନ୍ ଜିଲ୍ଲା ପରିଷଦ ବିନୋଦ ଚନ୍ଦ୍ର ମିଶ୍ର, ରାଜ୍ୟ କିସାନ୍ ମୋର୍ଚ୍ଚା ସମ୍ପାଦକ ରାଜେଶ୍ କୁମାର ସାହୁ,ପୁର୍ବତନ ବ୍ଲକ୍ ସଭାପତି ରଜତ କୁମାର୍ ପଣ୍ଡିତ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥି, ସମାଜସେବୀ ସୁନିଲ୍ କୁମାର୍ ପାତ୍ର, ଅଟଳ ଯୁବ ବାହିନୀ ସଂଯୋଜକ ଜଗମୋହନ ପାତ୍ର, ଯୁବ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁବାଶିଷ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ।

Comments are closed.