କରୋନା କଟକଣା ସତ୍ତ୍ୱେ ବନ୍ଦ ହେଉନି ଅମାନିଆଙ୍କ ଗୋପାଳପୁର ବୁଲିବା

ଗୋପାଳପୁର: ରାଜ୍ୟରେ କରୋନା କଟକଣା ବଳବତ୍ତର ରହିଥିବା ବେଳେ ସମସ୍ତ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ଆଗମନରେ ସମ୍ପୂର୍ଣ କଟକଣା ଜାରି କରାଯାଇଥିଲେ ମଧ୍ୟ ଅନେକ ଅମାନିଆ ଛୁଟି ଦିନମାନଙ୍କରେ ପରିବାର ସାଙ୍ଗସାଥିଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଆସୁଥିବା ଦେଖିବାକୁ ମିଳିଛି। ଏହି ଅମାନିଆ ମାନଙ୍କୁ ସାବାଡ କରିବା ନିମନ୍ତେ ପୁଲିସ ପକ୍ଷରୁ ଅନେକ ସମୟରେ ଗୋପାଳପୁର ପ୍ରବେଶ ପଥରେ ବ୍ଲକିଂ କରୁଥିଲେ ସୁଦ୍ଧା ପର୍ଯ୍ୟଟକମାନେ ଗୋପାଳପୁର ଆସିବା ବନ୍ଦ କରୁନାହାନ୍ତି।

ଏହି କ୍ରମରେ ଆଜି ଦ୍ବିତୀୟ ଶନିବାର ଛୁଟି ଦିନ ଥିବାରୁ ପୁଣିଥରେ ପର୍ଯ୍ୟଟକଙ୍କ ଗୋପାଳପୁର ଆଗମନକୁ ଦୃଷ୍ଟିରେ ରଖି ଗୋପାଳପୁର ଥାନା ଅଧିକାରୀ ମାଧବାନନ୍ଦ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅପରାହ୍ନରେ ଗୋପାଳପୁର କଲେଜ ଛକଠାରେ ରୋଡ ବ୍ଲକିଂ କରାଯାଇ ପର୍ଯ୍ୟଟକଙ୍କୁ ଗୋପାଳପୁର ପ୍ରବେଶ ନେଇ ବାରଣ କରାଯିବା ସହ କଡାକଡି ଯାଞ୍ଚ କରାଯାଇଥିଲା। ଅନ୍ୟ ପଟେ କିନ୍ତୁ ଅନେକ ପର୍ଯ୍ୟଟକ କଲେଜ ଛକ ଠାରେ ପୁଲିସର କଡ଼ା କଡି ଯାଞ୍ଚ କରୁଥିବା ହେତୁ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି। କିଛି ଅମାନିଆ ଗାଡ଼ି ଚାଳକ ଓ ମାସ୍କ ପିନ୍ଧି ନ ଥିବାଙ୍କ ଠାରୁ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଯାଞ୍ଚ ବେଳେ ଏଏସଆଇ ପୁରୋଷତ୍ତମ ପାଇକ, ଏଏସଆଇ ସୁବାଷ ଚନ୍ଦ୍ର ବାଇକ, ଅନିସ୍ ଖାନ୍, ଉପେଦ୍ର ବେହେରା, ଅଭିମନ୍ୟୁୁ ବଡ଼ମୁଣ୍ଡି, କାମେଶ୍ୱର ଭୂୟାଁ, କପିଳ ବଡମୁଣ୍ଡି ପ୍ରମୁଖ ଯାଞ୍ଚ ବେଳେ ଉପସ୍ଥିତ ଥିଲେ। କିନ୍ତୁ ଅନ୍ୟ ପଟେ କରୋନା କଟକଣା ଯୋଗୁଁ ଗୋପାଳପୁର ପ୍ରବେଶ ଉପରେ ରୋକ ଲାଗିଥିବାରୁ ଏବେ ଅନେକ ପର୍ଯ୍ୟଟକ ଗୋପାଳପୁର ନିକଟବର୍ତ୍ତୀ ହରିପୁର ବେଳାଭୂମିରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି। ଉକ୍ତ ବେଳାଭୂମି ଅଞ୍ଚଳଟି ଚମାଖଣ୍ଡି ଥାନା ଅଧିନରେ ଆସୁଥିବା ସହ ଗୋପାଳପୁର ଓ ଚମାଖଣ୍ଡି ଥାନର ସିମାବର୍ତ୍ତୀ ଅଞ୍ଚଳରେ ଆସୁଥିବାରୁ ଏହି ଅଞ୍ଚଳକୁ ଉଭୟ ଥାନାର କୈାଣସି କର୍ମଚାରୀ ଯାଉନଥିବା ଜଣାପଡିଛି। ଯଦ୍ୱାରା ଏବେ ଗତ ଏକ ବର୍ଷ ହେଲା ଛୁଟିଦିନ ସମେତ ଅନ୍ୟ ଦିନମାନଙ୍କରେ ଆଖପାଖ ଅଞ୍ଚଳର ପର୍ଯ୍ୟଟକମାନେ ପରିବାର ସହ ଯାଇ ସମୁଦ୍ର ର ମଜ୍ଜା ଉଠାଉଥିବା ଦେଖିବାକୁ ମିଳିଛି।

Comments are closed.