ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଚତୁଃପାର୍ଶ୍ବ ବନ୍ଦ ଫାଟକକୁ ଖୋଲିବା ଦାବିରେ ଦାବି ପତ୍ର ପ୍ରଦାନ               

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅଣ ଛାତ୍ର ପ୍ରବେଶ ଉପରେ ରୋକ ଲଗାଇବା ନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରଶାସନ କୋଠା ସମ୍ମୁଖରେ ,ଛାତ୍ରୀ ନିବାସ, ଏସ.ବି.ଆଇ ବ୍ୟାଙ୍କ, ଜଗନ୍ନାଥ ମନ୍ଦିର ଏବଂ ମୋନାର୍କ ଛକ ନିକଟରେ ଫାଟକ ନିର୍ମାଣ କରାଯାଇଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ଭାବରେ ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେବା  ପରେ ଏହି ଫାଟକ ଗୁଡିକକୁ ସନ୍ଧ୍ୟା ୬ଟା ପରେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କେବଳ ପ୍ରଶାସନ କୋଠା ସମ୍ମୁଖରେ ଥିବା ଫାଟକଟି ରାତ୍ର ୧୧ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ  ଛାତ୍ରୀ ନିବାସ ନିକଟରେ ଥିବା ଫାଟକଟି ବନ୍ଦ ରହୁଥିଲେ ମଧ୍ୟ ୨୪ ଘଣ୍ଟିଆ ଯାଆଆସ ପାଇଁ ବ୍ୟବସ୍ଥା କରାଯାଇଛି ।

ବିଶ୍ଵବିଦ୍ୟାଳୟ ଛୁଟି ଦିନରେ ସମସ୍ତ ଫାଟକ ବନ୍ଦ ରହୁଥିବାରୁ ଛାତ୍ରାବାସରେ ରହୁଥିବା ଛାତ୍ର ମାନେ ପ୍ରାୟ ୩ କିଲୋମିଟର ଚାଲି ଆସିବାକୁ ପଡୁଥିବାରୁ ବହୁ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡୁଥିଲା । ଯାହାଫଳରେ କ୍ୟାମ୍ପସ ପରିସରରେ ରହୁଥିବା କର୍ମଚାରୀ ମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । କ୍ୟାମ୍ପସ ପରିସରରେ ବ୍ୟାଙ୍କ, ସ୍କୁଲ କଲେଜ, ପୋଷ୍ଟ ଅଫିସ, ମେଡିସିନ ଷ୍ଟୋର, ମେଡିକାଲ୍ ଆଦି ଉପରେ ଏହାର ଆଖପାଖ ଅଞ୍ଚଳର ବହୁ ଲୋକେ ନିର୍ଭର କରବା ସହ ପ୍ରତିଦିନ ଯାଅଆସ ସମୟରେ ଅସୁବିଧାରେ ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି । କ୍ୟାମ୍ପସ ପରିସରରେ ଥିବା ଲାଇବ୍ରେରୀ ସୋମବାର ଠାରୁ ଶୁକ୍ରବାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ କ୍ଲାସ୍ ଏବଂ ପ୍ରାକ୍ଟିକାଲ ସନ୍ଧ୍ୟା ୬ ପର୍ଯ୍ୟନ୍ତ ରହୁଛି ।

ଏ ଭଳି ସମସ୍ୟାକୁ ନେଇ ବହୁ ଛାତ୍ରଛାତ୍ରୀ ଏକ ଦାବି ପତ୍ର ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଜରିଆରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ପରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏଣିକି ପ୍ରତ୍ୟେକ ଦିନ ରାତି ୮ ଟା ପର୍ଯ୍ୟନ୍ତ କ୍ୟାମ୍ପସ ପରିସରରେ ଥିବା ସମସ୍ତ ଫାଟକ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Comments are closed.