ଗୋପାଳପୁର ବେଳାଭୂମିରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍‌

ଗୋପାଳପୁର: ପର୍ଯ୍ୟଟନସ୍ଥଳ ସହର ଗୋପାଳପୁରର ବିକାଶ ତଥା ଏହାକୁ ଆକର୍ଷଣୀୟ କରିବା ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା ଅନୁଦାନ ପ୍ରଦାନ କରାଯାଉଛି । କିନ୍ତୁ ବିକାଶ କାମ ସରିବା ପରେ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ସମୟରେ ଯୋଜନା ଗୁଡିକ ଲୋକଙ୍କ ବ୍ୟବହାରରେ‌ ଲାଗିବା ପରିବର୍ତ୍ତେ ଲୋକଙ୍କୁ ଅସୁବିଧାରେ ପକାଉଥିବା ଦେଖିବାକୁ ମିଳୁଛି । ଗୋପାଳପୁର ବେଳାଭୂମିର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଦେଶ ଦର୍ଶନ ଯୋଜନାରେ ଗତ ୨୦୧୪-୧୫ ଆର୍ଥିକ ବର୍ଷରେ ଗୋପାଳପୁର, ତାମ୍ପରା, ବରକୂଳ ଓ ସାତପଡାରେ ବିକାଶ ନିମନ୍ତେ ୭୬.୫ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା ।

ଏହା ମଧ୍ୟରେ ଗୋପାଳପୁରରେ ଏହି ଯୋଜନାରେ କରାପଲ୍ଲୀ ଠାରୁ ଗୋପାଳପୁର ୫ କିମି ରାସ୍ତାର ଉନ୍ନତିକରଣ ସହ ପ୍ରଶସ୍ତିକରଣ କାର୍ଯ୍ୟ କରାଯିବା ସହ ରାସ୍ତାର ଦୁଇପଟେ ଫେବର ବ୍ଲକ ବିଛା ଯାଇଥିଲା । ସହରରେ ଆଲୋକୀକରଣ ବ୍ୟବସ୍ଥା ସହ ବେଳାଭୂମିରେ ଘାସ ଗାଲିଚା, ଲାଇଟ ବ୍ୟବସ୍ଥା, ରାସ୍ତା କଡ ଆଲୋକୀକରଣ କାମ ଗତ ୨୦୧୯ ରେ ସରିଥିବା ବେଳେ ୧ କୋଟି ବ୍ୟୟରେ ଶୌଚାଳୟ ନିର୍ମାଣ ଆଦି କାର୍ଯ୍ୟ ଚଳିତ ବର୍ଷ ସମାପ୍ତ ହୋଇଥିଲା । ଏହା ମଧ୍ୟରେ ମାତ୍ର ଦୁଇବର୍ଷ ମଧ୍ୟରେ ବେଳାଭୂମିକୁ ଆଲୋକିତ କରାଯିବା ନିମନ୍ତେ ଲାଗିଥିବା ବହୁ ଦାମି ଲାଇଟ ଗୁଡିକ ଅଚଳ ହୋଇ ଯାଇଥିବା ବେଳେ ଆଉ ସେ ଗୁଡିକ ଜଳୁ ନାହିଁ । ଏହା ସହ ଅଧିକାଂଶ ଲାଇଟ ଭାଙ୍ଗି ରୁଜି ମଧ୍ୟ ଗଲାଣି ।

ଲାଇଟ ଗୁଡିକୁ ସଂଯୋଗ କରାଯାଇଥିବା ଜଙ୍କସନ ବକ୍ସ ଗୁଡିକ ମଧ୍ୟ ଭାଙ୍ଗି ରୁଜି ଯାଇଥିବା ଯୋଗୁଁ ବିଦ୍ୟୁତ ତାର ଗୁଡିକ ଖୋଲାମେଲା ହୋଇ ପଡ଼ିରହିଛି । ଯାହା ଫଳରେ କେଉଁ ସମୟରେ ମଧ୍ୟ ଅଘଟଣ ଘଟିବା ଆଶଙ୍କାକୁ ଏଡାଇ ହେବ ନାହିଁ । ଏଣୁ ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ନଜର ଦେବା ସହ ଭାଙ୍ଗି ରୁଜି ଯାଇଥିବା ଲାଇଟ ଗୁଡିକର ମରାମତି କରିବାକୁ ସାଧାରଣରେ ଦାବି ହେଉଛି । ଅନ୍ୟ ପଟେ ଗୋପାଳପୁରକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଅନେକ ସ୍ଥାନରେ ଖରାପ ହେବା ସହ ରାସ୍ତା କଡ଼ରେ ବିଛାଯାଇଥିବା ଫେବର ବ୍ଲକ ଗୁଡିକ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଏଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ନଜର ଦେବାକୁ ପର୍ଯ୍ୟଟକ ମାନେ ଦାବି ଜଣାଇଛନ୍ତି ।

 

Comments are closed.